ସେପ୍ଟେମ୍ବର ୨୯ ବିଧାନସଭା ଘେରାଉକୁ ସଫଳ କରିବାକୁ ଆହ୍ୱାନ; ପିସିସି ବୈଠକରେ ୭ଟି ପ୍ରସ୍ତାବ ଗୃହୀତ ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ସ୍ୱାର୍ଥ ସମ୍ପର୍କିତ ପ୍ରସଙ୍ଗକୁ ନେଇ ରାଜ୍ୟ କଂଗ୍ରେସ ଆନ୍ଦୋଳନକୁ ଆହୁରି ବ୍ୟାପକ କରିବାକୁ ନିଷ୍ପତ୍ତି ନେଇଛି। ଡବଲ୍ ଇଞ୍ଜିନ ସରକାର ରାଜ୍ୟର ସ୍ୱାର୍ଥକୁ ଅଣଦେଖା କରୁଥିବା ଅଭିଯୋଗ କରି କଂଗ୍ରେସ ନେତାମାନେ ଏମଏମଡିଆର ସଂଶୋଧନ, ମହାନଦୀ, ବଂଶଧାରା, ପୋଲାଭରମ, କୃଷି, ଶିକ୍ଷା, ଆଇନଶୃଙ୍ଖଳା ଓ ଦରବୃଦ୍ଧି ଭଳି ପ୍ରସଙ୍ଗ ଉଠାଇଛନ୍ତି। ପାତ୍ରପଡ଼ାସ୍ଥିତ ଏ.ଏ. କନଭେନସନ୍ରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଅଧ୍ୟକ୍ଷତାରେ ନବଗଠିତ ପିସିସି କର୍ମକର୍ତ୍ତା ଓ କାର୍ଯ୍ୟକାରୀ କମିଟିର ପ୍ରଥମ ବୈଠକ ବସିଥିଲା। ବୈଠକରେ ଦଳର ସାଂଗଠନିକ କାର୍ଯ୍ୟକ୍ରମ ସହ ରାଜ୍ୟର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଏହି ବୈଠକରେ ୭ଟି ପ୍ରସ୍ତାବ ଗ୍ରହଣ କରାଯାଇଥିବା ଦଳ ପକ୍ଷରୁ କୁହାଯାଇଛି। କଂଗ୍ରେସର ଅଭିଯୋଗ ଅନୁସାରେ, ଏମଏମଡିଆର ସଂଶୋଧନ ଦ୍ୱାରା ଓଡ଼ିଶାର ଖଣିଜ ସମ୍ପଦ ଓ ଏଥିରୁ ମିଳୁଥିବା ରାଜସ୍ୱ ଉପରେ ରାଜ୍ୟର ସ୍ୱାର୍ଥ ପ୍ରଭାବିତ ହୋଇପାରେ। ଏହି ପ୍ରସଙ୍ଗରେ ଓଡ଼ିଶାର ଦାବିକୁ କେନ୍ଦ୍ର ସରକାରଙ୍କ ନିକଟରେ ଜୋରଦାର ଭାବେ ଉଠାଇବାକୁ ଦଳ ନିଷ୍ପତ୍ତି ନେଇଛି। ଏମଏମଡିଆର ସଂଶୋଧନକୁ ବିରୋଧ କରି ସେପ୍ଟେମ୍ବର ୨୯ରେ ବିଧାନସଭା ଘେରାଉ ପାଇଁ କଂଗ୍ରେସ, ବାମଦଳ ଓ ଅନ୍ୟ ସହଯୋଗୀ ଦଳଗୁଡ଼ିକ ପୂର୍ବରୁ ଘୋଷଣା କରିଛନ୍ତି। ମହାନଦୀ ଜଳ ବିବାଦ, ବଂଶଧାରା ଓ ପୋଲାଭରମ ପ୍ରକଳ୍ପକୁ ନେଇ ମଧ୍ୟ ରାଜ୍ୟର ସ୍ୱାର୍ଥ ସୁରକ୍ଷା ପାଇଁ ସରକାରଙ୍କ ଭୂମିକା ଉପରେ କଂଗ୍ରେସ ପ୍ରଶ୍ନ ଉଠାଇଛି। ରେଳ ଭିତ୍ତିଭୂମି ସମ୍ପର୍କିତ କେତେକ ନିଷ୍ପତ୍ତି ମଧ୍ୟ ଓଡ଼ିଶାର ସ୍ୱାର୍ଥ ବିରୋଧୀ ବୋଲି ଦଳ ପକ୍ଷରୁ ଅଭିଯୋଗ କରାଯାଇଛି। ବୈଠକରେ ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ଆଲୋଚନା ହୋଇଥିଲା। ପାଠ୍ୟପୁସ୍ତକରେ ବହୁ ସଂଖ୍ୟକ ତ୍ରୁଟି ଥିବା ଅଭିଯୋଗ କରି କଂଗ୍ରେସ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି। ଏହି ପ୍ରସଙ୍ଗକୁ ନେଇ ବିଧାନସଭାର ଚଳିତ ଅଧିବେଶନରେ ମଧ୍ୟ ବିରୋଧୀ ଦଳଗୁଡ଼ିକ ପ୍ରତିବାଦ କରିଛନ୍ତି। କୃଷକଙ୍କ ସମସ୍ୟାକୁ ନେଇ କଂଗ୍ରେସ କହିଛି ଯେ, ଧାନର କଟନି-ଛଟନି, ଅଭାବୀ ବିକ୍ରି ଓ ସାର ଯୋଗାଣ ଭଳି ପ୍ରସଙ୍ଗ ଚାଷୀଙ୍କୁ ପ୍ରଭାବିତ କରୁଛି। ଦାଦନ ସମସ୍ୟା, ନିଯୁକ୍ତିର ଅଭାବ ଓ ମହଙ୍ଗାଇକୁ ନେଇ ମଧ୍ୟ ସରକାରଙ୍କ ନୀତିକୁ ଦଳ ସମାଲୋଚନା କରିଛି। ସେହିପରି ଆଇନଶୃଙ୍ଖଳା ପ୍ରସଙ୍ଗରେ ମଧ୍ୟ କଂଗ୍ରେସ ରାଜ୍ୟ ସରକାରଙ୍କୁ ଘେରିଛି। ନାରୀ ସୁରକ୍ଷା, ହିଂସା ଓ ଅପରାଧ ସମ୍ପର୍କିତ ଘଟଣାକୁ ନେଇ ସରକାରଙ୍କ ଜବାବଦେହିତା ନିର୍ଦ୍ଧାରଣ ଦାବି କରିଛି। ବୈଠକରେ ଏଆଇସିସିର ଓଡ଼ିଶା ପ୍ରଭାରୀ ଲାଲଜୀ ଦେଶାଇ କହିଥିଲେ ଯେ, ରାଜନୈତିକ ପରିସ୍ଥିତି ବଦଳୁଥିବା ଦଳ ଅନୁଭବ କରୁଛି। ତେବେ କେବଳ ବୈଠକ କିମ୍ବା ଘରେ ବସି ରହିଲେ ସଂଗଠନ ମଜବୁତ ହେବ ନାହିଁ ବୋଲି ସେ କର୍ମକର୍ତ୍ତାଙ୍କୁ କହିଥିଲେ। ତୃଣମୂଳ ସ୍ତରକୁ ଯାଇ ଲୋକଙ୍କ ସହ ଯୋଡ଼ିହେବା ଉପରେ ସେ ଗୁରୁତ୍ୱ ଦେଇଥିଲେ। ନୂଆ କର୍ମକର୍ତ୍ତାମାନଙ୍କ କାର୍ଯ୍ୟକୁ ନେଇ ୧୦୦ ଦିନିଆ ମୂଲ୍ୟାୟନ କରାଯିବ ବୋଲି ଲାଲଜୀ ଦେଶାଇ ସୂଚନା ଦେଇଥିଲେ। ପ୍ରତ୍ୟେକ ନେତା ଓ କର୍ମକର୍ତ୍ତାଙ୍କୁ ନିଜ ଦାୟିତ୍ୱ ଅନୁଯାୟୀ ସଂଗଠନକୁ ମଜବୁତ କରିବାକୁ ପଡ଼ିବ ବୋଲି ଦଳୀୟ ନେତାମାନେ କହିଥିଲେ। ପିସିସି ସଭାପତି ଭକ୍ତ ଚରଣ ଦାସ ସଂଗଠନକୁ ତୃଣମୂଳ ସ୍ତରରେ ସକ୍ରିୟ କରିବା ଉପରେ ଜୋର ଦେଇଥିଲେ। ଦଳୀୟ ପଦପଦବି ଅପେକ୍ଷା ନିରନ୍ତର ଲୋକସମ୍ପର୍କ ଓ କ୍ଷେତ୍ରସ୍ତରରେ କାର୍ଯ୍ୟକୁ ଗୁରୁତ୍ୱ ଦେବାକୁ ସେ କର୍ମକର୍ତ୍ତାଙ୍କୁ ଆହ୍ୱାନ କରିଥିଲେ। ପ୍ରତି ଦେଢ଼ ମାସରେ ପିଏସି ଏବଂ ପ୍ରତି ୬ ମାସରେ କାର୍ଯ୍ୟକାରୀ କମିଟି ବୈଠକ କରି ସାଂଗଠନିକ କାର୍ଯ୍ୟର ସମୀକ୍ଷା କରିବା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ସେପ୍ଟେମ୍ବର ୨୯ର ବିଧାନସଭା ଘେରାଉ ପରେ ଦଳ ପକ୍ଷରୁ ଆଗାମୀ ଆନ୍ଦୋଳନର ରୂପରେଖା ଘୋଷଣା କରାଯିବ ବୋଲି ଭକ୍ତ ଚରଣ ଦାସ କହିଥିଲେ। ଏହାପରେ ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଆହୁରି ସୁସଙ୍ଗଠିତ କରିବା ପାଇଁ ପିସିସି ପକ୍ଷରୁ ରଣନୀତି ପ୍ରସ୍ତୁତ କରାଯିବ। Post navigation ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ ବିଜେଡିର ଆନ୍ଦୋଳନ ଭୁବନେଶ୍ୱରରେ ଆଇନଶୃଙ୍ଖଳା ପ୍ରସଙ୍ଗ: କଂଗ୍ରେସ ନେତାଙ୍କ ବିରୋଧରେ ଏବିଭିପିର କଡ଼ା ଆଭିମୁଖ୍ୟ