Law and order issue in Bhubaneswar: ABVP takes a firm stand against Congress leader.Law and order issue in Bhubaneswar: ABVP takes a firm stand against Congress leader.

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଘଟିଥିବା ଗୁଳିଚାଳନା ଓ ଭୟଭୀତ କରିବା ଭଳି ଘଟଣାକୁ ନେଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଉଦବେଗ ପ୍ରକାଶ କରିଛି। ଏଭଳି ଘଟଣା ରାଜଧାନୀର ଆଇନଶୃଙ୍ଖଳା ଓ ସାଧାରଣ ଲୋକଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଉଛି ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।

ଘଟଣାରେ କଂଗ୍ରେସ ସହ ଜଡ଼ିତ କିଛି ବ୍ୟକ୍ତିଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ଆସିଥିବା ବେଳେ, ଏହାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଆଇନ ଅନୁଯାୟୀ ତୁରନ୍ତ ପଦକ୍ଷେପ ନେବାକୁ ଏବିଭିପି ଦାବି କରିଛି।

ଏବିଭିପିର ଅଭିଯୋଗ ଅନୁସାରେ, ଛାତ୍ର କଂଗ୍ରେସର ପୂର୍ବତନ ସଭାପତି, ଭୁବନେଶ୍ୱର ଲୋକସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଥିବା ତଥା ଓଡ଼ିଶା ପ୍ରଦେଶ କଂଗ୍ରେସର ସାଧାରଣ ସମ୍ପାଦକ ୟାସିର ନୱାଜ ଏବଂ ତାଙ୍କ ସହଯୋଗୀମାନଙ୍କ ବିରୋଧରେ ସାଧାରଣ ଯୁବକଙ୍କୁ ଧମକ ଦେବା, ଭୟଭୀତ କରିବା ଓ ଗୁଳିଚାଳନା ଭଳି ଅଭିଯୋଗ ରହିଛି।

କଂଗ୍ରେସର ଆଭ୍ୟନ୍ତରୀଣ ବିବାଦକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା ଏବିଭିପି ପକ୍ଷରୁ ଦାବି କରାଯାଇଛି। ଘଟଣା ସମ୍ପର୍କିତ CCTV ଫୁଟେଜ୍ ଓ ଅନ୍ୟାନ୍ୟ ପ୍ରମାଣ ଥିବା ସତ୍ତ୍ୱେ ପୋଲିସ ପକ୍ଷରୁ ଆଶାନୁରୂପ କାର୍ଯ୍ୟାନୁଷ୍ଠାନ ହେଉନଥିବା ନେଇ ମଧ୍ୟ ସଂଗଠନ ପ୍ରଶ୍ନ ଉଠାଇଛି।

ଅଭିଯୁକ୍ତମାନଙ୍କ ବିରୋଧରେ ପଦକ୍ଷେପ ବିଳମ୍ବିତ ହେବା ପଛରେ କୌଣସି ଚାପ ରହିଛି କି ନାହିଁ, ତାହା ସ୍ପଷ୍ଟ କରିବା ସହ ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ଏବିଭିପି ଦାବି କରିଛି।

ରାଜଧାନୀରେ ଆଇନଶୃଙ୍ଖଳା ବଜାୟ ରଖିବା ସହ ଜନସାଧାରଣଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଘଟଣାରେ ସମ୍ପୃକ୍ତ ସମସ୍ତଙ୍କ ବିରୋଧରେ ଆଇନସମ୍ମତ କାର୍ଯ୍ୟାନୁଷ୍ଠାନ ନେବାକୁ ଏବିଭିପି ଦୃଢ଼ ଦାବି କରିଛି।

ଏନେଇ ଏବିଭିପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ବିଶ୍ୱଜିତ୍ ପାତ୍ର ପ୍ରତିକ୍ରିୟା ଦେଇ ଘଟଣାକୁ ନେଇ ଚିନ୍ତା ପ୍ରକାଶ କରିବା ସହ ଦୋଷୀଙ୍କ ବିରୋଧରେ ଶୀଘ୍ର ଆଇନଗତ ପଦକ୍ଷେପ ନେବାକୁ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *