Chief Minister reviews deep depression situation; 33 ODRAF teams deployed.Chief Minister reviews deep depression situation; 33 ODRAF teams deployed.

ଭୁବନେଶ୍ୱର, ୨୩/୦୯: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଯୋଗୁଁ ଓଡ଼ିଶାରେ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ଏହାର ପ୍ରଭାବକୁ ନେଇ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମୀକ୍ଷା କରିଛନ୍ତି। ଲୋକସେବା ଭବନରେ ହୋଇଥିବା ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନର ରାଜେଶ ପ୍ରଭାକର ପାଟିଲ ପ୍ରମୁଖ ଉପସ୍ଥିତ ଥିଲେ।

ବୈଠକରେ ଅବପାତର ଗତିପଥ, ସମ୍ଭାବ୍ୟ ବର୍ଷା ଏବଂ ମୁକାବିଲା ପାଇଁ ନିଆଯାଇଥିବା ପ୍ରସ୍ତୁତି ସମ୍ପର୍କରେ ସ୍ୱତନ୍ତ୍ର ରିଲିଫ୍ କମିଶନର ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।

ପ୍ରାକୃତିକ ବିପର୍ଯ୍ୟୟ ସମୟରେ ‘ଜିରୋ କାଜୁଆଲିଟି’ ଲକ୍ଷ୍ୟ ନେଇ କାମ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ସମ୍ପୃକ୍ତ ବିଭାଗ ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରଖି ସ୍ଥିତି ଉପରେ ନିରନ୍ତର ନଜର ରଖିବାକୁ ସେ କହିଛନ୍ତି। ଜଳବନ୍ଦୀ ଅଞ୍ଚଳରୁ ଆବଶ୍ୟକ ସ୍ଥଳେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ଏବଂ ରିଲିଫ୍ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି।

୩୩ ଓଡ୍ରାଫ୍ ଟିମ୍ ମୁତୟନ

ଗଭୀର ଅବପାତର ପ୍ରଭାବ ମୁକାବିଲା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୩୩ଟି ଓଡ୍ରାଫ୍ ଟିମ୍ ମୁତୟନ କରାଯାଇଛି। ଗଞ୍ଜାମରେ ୬, ଗଜପତିରେ ୩, କୋରାପୁଟରେ ୬, ମାଲକାନଗିରିରେ ୩, ରାୟଗଡ଼ାରେ ୩, କଳାହାଣ୍ଡିରେ ୨ ଏବଂ ବଲାଙ୍ଗିରରେ ଗୋଟିଏ ଟିମ୍ ନିୟୋଜିତ ହୋଇଛି। ଏହାବ୍ୟତୀତ ଛତ୍ରପୁରସ୍ଥିତ ଓଡ୍ରାଫ୍ ୟୁନିଟ୍‌ର ୯ଟି ଟିମ୍‌କୁ ରିଜର୍ଭରେ ରଖାଯାଇଛି।

ଜିଲ୍ଲା ଓ ବ୍ଲକ୍‌ସ୍ତରୀୟ ଆପାତକାଳୀନ କାର୍ଯ୍ୟ କେନ୍ଦ୍ରକୁ ୨୪ ଘଣ୍ଟିଆ କାର୍ଯ୍ୟକ୍ଷମ ରଖିବା ସହ ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ, ଆଶ୍ରୟସ୍ଥଳ ପ୍ରସ୍ତୁତି ଏବଂ ଶୁଖିଲା ଖାଦ୍ୟ, ଶିଶୁ ଖାଦ୍ୟ, ପାନୀୟ ଜଳ ଓ ଆବଶ୍ୟକ ସାମଗ୍ରୀ ମହଜୁଦ ରଖାଯାଇଛି। ଓଡ୍ରାଫ୍ ସହ ଏନ୍‌ଡିଆରଏଫ୍ ଓ ଅଗ୍ନିଶମ ବାହିନୀକୁ ମଧ୍ୟ ସଜାଗ ରଖାଯାଇଛି।

ସମୁଦ୍ରକୁ ମାଛଧରା ଉପରେ କଟକଣା

ସମୁଦ୍ର ଅଶାନ୍ତ ରହିବା ଆଶଙ୍କା ଥିବାରୁ ରାଜ୍ୟର ସମସ୍ତ ବନ୍ଦରରେ ସ୍ଥାନୀୟ ସତର୍କ ସଙ୍କେତ ନମ୍ବର-୩ ଜାରି କରାଯାଇଛି। ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବା ପାଇଁ ଜାରି ନିର୍ଦ୍ଦେଶର କଡ଼ାକଡ଼ି ଅନୁପାଳନ ଉପରେ ଜିଲ୍ଲା ପ୍ରଶାସନକୁ ଗୁରୁତ୍ୱ ଦିଆଯାଇଛି।

ଜଳସମ୍ପଦ ବିଭାଗ ନଦୀ ଓ ଜଳାଶୟର ଜଳସ୍ତର ଉପରେ ନଜର ରଖିବା ସହ ସମ୍ବେଦନଶୀଳ ବନ୍ଧଗୁଡ଼ିକର ଯାଞ୍ଚ କରୁଛି। ଆବଶ୍ୟକ ହେଲେ ନିୟନ୍ତ୍ରିତ ଜଳ ନିଷ୍କାସନ ପାଇଁ ମଧ୍ୟ ପ୍ରସ୍ତୁତି ରହିଛି। ସେହିପରି ସହରାଞ୍ଚଳର ଡ୍ରେନେଜ୍ ବ୍ୟବସ୍ଥା, ନିମ୍ନାଞ୍ଚଳ ଅଣ୍ଡରପାସ୍ ଓ ଜଳବନ୍ଦୀ ସ୍ଥାନ ଉପରେ ମଧ୍ୟ ନଜର ରଖାଯାଉଛି।

୪ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ବର୍ତ୍ତମାନର ସୂଚନା ଅନୁସାରେ ଗଭୀର ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଆଜି ରାତି ସୁଦ୍ଧା ବିଶାଖାପାଟଣା ଓ ଗୋପାଳପୁର ମଧ୍ୟରେ କଳିଙ୍ଗପଟ୍ଟଣମ ନିକଟରେ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିପାରେ। ଏହାର ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।

ରାୟଗଡ଼ା, କୋରାପୁଟ, ଗଜପତି ଓ ଗଞ୍ଜାମ ପାଇଁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। ଏହି ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ଏବଂ ଝଟକା ପବନର ବେଗ ୭୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ।

ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ମାଲକାନଗିରି, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଅନ୍ୟପକ୍ଷରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର ଓ ବୌଦ୍ଧରେ ୟେଲୋ ୱାର୍ଣ୍ଣିଂ ରହିଛି।

ଆଜି ଓ ଆସନ୍ତାକାଲି ବର୍ଷାର ପ୍ରଭାବ ଅଧିକ ରହିପାରେ ଏବଂ ୨୫ ସେପ୍ଟେମ୍ବର ପରେ ପାଗରେ ଧୀରେ ଧୀରେ ସୁଧାର ଆସିବା ଆଶା କରାଯାଉଛି। ସ୍ଥିତି ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ରାଜ୍ୟ ଓ ଜିଲ୍ଲାସ୍ତରରେ ରିଅଲ୍-ଟାଇମ୍ ମନିଟରିଂ ଜାରି ରହିବ।

Leave a Reply

Your email address will not be published. Required fields are marked *