ଭୁବନେଶ୍ୱର: ଓଡ଼ିଶାର ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ଶୀଘ୍ର କରାଇବାକୁ ଦାବି କରିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)। ଦୀର୍ଘ ସମୟ ଧରି କ୍ୟାମ୍ପସରେ ଛାତ୍ର ନିର୍ବାଚନ ନ ହେବା ନେଇ ସଂଗଠନ ପକ୍ଷରୁ ରାଜ୍ୟ ସରକାରଙ୍କୁ ତୁରନ୍ତ ସ୍ପଷ୍ଟ ନିଷ୍ପତ୍ତି ନେବାକୁ ଦାବି କରାଯାଇଛି। ଏବିଭିପି ଓଡ଼ିଶା (ପୂର୍ବ)ର ରାଜ୍ୟ ସମ୍ପାଦିକା ଦିପ୍ତିମୟୀ ପ୍ରତିହାରୀ କହିଛନ୍ତି ଯେ, ରାଜ୍ୟର ବିଭିନ୍ନ ଉଚ୍ଚଶିକ୍ଷାନୁଷ୍ଠାନରେ ପ୍ରାୟ ୮ ବର୍ଷ ଧରି ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଛି। ଏହାଦ୍ୱାରା କ୍ୟାମ୍ପସରେ ଛାତ୍ର ନେତୃତ୍ୱର ବିକାଶ ଓ ଗଣତାନ୍ତ୍ରିକ ପ୍ରକ୍ରିୟା ପ୍ରଭାବିତ ହେଉଥିବା ସେ ଅଭିଯୋଗ କରିଛନ୍ତି। ଛାତ୍ର ସମାଜ ନିର୍ବାଚନ ଆୟୋଜନକୁ ନେଇ ଆଶାବାଦୀ ଥିବା ସତ୍ତ୍ୱେ ସରକାର ଏ ପ୍ରସଙ୍ଗରେ କେବଳ ଆଶ୍ୱାସନ ଦେଇ ରହିଯାଉଛନ୍ତି ବୋଲି ଏବିଭିପି ଅଭିଯୋଗ କରିଛି। ଛାତ୍ର ସଂସଦ ନିର୍ବାଚନ କେବେ ହେବ, ଏନେଇ ସରକାର ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରନ୍ତୁ ବୋଲି ସଂଗଠନ ଦାବି କରିଛି। ଏବିଭିପି ପକ୍ଷରୁ କୁହାଯାଇଛି ଯେ, ଯଦି ଶୀଘ୍ର ନିର୍ବାଚନ ସମ୍ପର୍କରେ ସ୍ପଷ୍ଟ ନିଷ୍ପତ୍ତି ନିଆନଯାଏ, ତେବେ ଆଗାମୀ ଦିନରେ ସଂଗଠନ ଆନ୍ଦୋଳନକୁ ଓହ୍ଲାଇବ। କ୍ୟାମ୍ପସରେ ଛାତ୍ର ପ୍ରତିନିଧିତ୍ୱ ଓ ଗଣତାନ୍ତ୍ରିକ ପ୍ରକ୍ରିୟା ପୁନଃ ଆରମ୍ଭ କରିବା ଦାବିରେ ପ୍ରତିବାଦ ଜାରି ରଖାଯିବ ବୋଲି ଦିପ୍ତିମୟୀ ପ୍ରତିହାରୀ କହିଛନ୍ତି। ଏବେ ଛାତ୍ର ସଂସଦ ନିର୍ବାଚନ ନେଇ ରାଜ୍ୟ ସରକାର କି ନିଷ୍ପତ୍ତି ନେଉଛନ୍ତି, ତାହା ଉପରେ ଛାତ୍ର ସଂଗଠନଗୁଡ଼ିକର ନଜର ରହିଛି। Post navigation ଗଭୀର ଅବପାତକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା: ୩୩ ଓଡ୍ରାଫ୍ ଟିମ୍ ମୁତୟନ ମଧ୍ୟପ୍ରାଚ୍ୟ ଅଶାନ୍ତିର ପ୍ରଭାବ: ଓଡ଼ିଶାର ସାମୁଦ୍ରିକ ଖାଦ୍ୟ ରପ୍ତାନିରେ ୨୩.୪୦ କୋଟି ଟଙ୍କାର ହ୍ରାସ