ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ୍ରେ ଭାରତର ସର୍ବପ୍ରଥମ ଇନ୍ଡୋର ଦୌଡ଼କୁଦ ଚମ୍ପିଆନ୍ସିପ୍ ଆଜିଠାରୁ ଆୟୋଜିତ ହୋଇଛି । କଳିଙ୍ଗ ଷ୍ଟାଡିୟମ୍ ପରିସରରେ ଥିବା ଦକ୍ଷିଣ ଏସିଆର ଏକମାତ୍ର ଇନ୍ଡୋର ଦୌଡ଼କୁଦ ଷ୍ଟାଡିୟମରେ ଏହି ଦୁଇଦିନିଆ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଭାରତୀୟ ଦୌଡ଼କୁଦ ମହାସଂଘ (ଏଏଫ୍ଆଇ) ଆନୁକୂଲ୍ୟରେ ଆୟୋଜିତ ହେବାକୁ ଥିବା ଏହି ମେଗା ଇଭେଣ୍ଟ ୨୦୨୮ ବିଶ୍ବ ଇନ୍ଡୋର ଦୌଡ଼କୁଦ ଚମ୍ପିଆନ୍ସିପ୍ ଆୟୋଜନର ପ୍ରସ୍ତୁତି ଦିଗରେ ଏକ ବଡ଼ ପଦକ୍ଷେପ ହେବ। ଏହି ପ୍ରତିଯୋଗିତା ଆୟୋଜନ ହେବା ସହ ଓଡ଼ିଶାର କ୍ରୀଡ଼ା ଇତିହାସରେ ଆଉ ଏକ ସ୍ବର୍ଣ୍ଣିମ ଫର୍ଦ ଯୋଡ଼ି ହୋଇଯିବ। ଦୁଇ ବର୍ଷ ପରେ (୨୦୨୮ ମାର୍ଚ୍ଚ ୩ରୁ ୫ ପର୍ଯ୍ୟନ୍ତ) ବିଶ୍ବ ଇନ୍ଡୋର ଦୌଡ଼କୁଦ ଚମ୍ପିଆନ୍ସିପ୍ର ଆୟୋଜନ ଅଧିକାର ମଧ୍ୟ କଳିଙ୍ଗ ଷ୍ଟାଡିୟମକୁ ମିଳିଛି। ଏହା ଏକ ଐତିହାସିକ ପ୍ରତିଯୋଗିତା। କାରଣ ଏହା ଦେଶରେ ପ୍ରଥମଥର ଏକ ବିଶ୍ବସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ହେବ। ଆମ ଦେଶରେ ଇନ୍ଡୋର ଆଥଲେଟିକ୍ସ ପାଇଁ ବିଶ୍ବସ୍ତରୀୟ ସୁବିଧା ସୁଯୋଗ ଥିବା ଷ୍ଟାଡିୟମ ଉପଲବ୍ଧ ନ ଥିବାରୁ ଭାରତୀୟ ଆଥ୍ଲେଟ୍ ବିଦେଶରେ ଇନ୍ଡୋର ଦୌଡ଼କୁଦ ପ୍ରତିଯୋଗିତାରେ ଭାଗନେବାର ଅଭିଜ୍ଞତା ହାସଲ କରିଥା’ନ୍ତି। ତେଣୁ ଭାରତୀୟ ଆଥଲେଟ୍ମାନଙ୍କୁ ପ୍ରଥମଥର ଲାଗି ଘରୋଇ ମାଟିରେ ଇନ୍ଡୋର ଦୌଡ଼କୁଦ ପ୍ରତିଯୋଗିତାରେ ଭାଗନେବା ଲାଗି ସୁଯୋଗ ମିଳିଛି। ମଙ୍ଗଳବାରଠାରୁ କଳିଙ୍ଗ ଷ୍ଟାଡିୟମ୍ରେ ହେବାକୁ ଥିବା ଦୁଇଦିନିଆ ପ୍ରତିଯୋଗିତାରେ ଦେଶର ପାଖାପାଖି ୩୦୦ ଆଥ୍ଲେଟ୍ ମୋଟ ୧୧ଟି ଇଭେଣ୍ଟରେ ଭାଗନେବେ। ଉତ୍ତର ପ୍ରଦେଶରୁ ସର୍ବାଧିକ ୩୦ ଜଣ କ୍ରୀଡ଼ାବିତ୍ ଏଥିରେ ଭାଗନେବେ। ଫିଲ୍ଡ ଇଭେଣ୍ଟରେ ହାଇଜମ୍ପ୍, ଲଙ୍ଗଜମ୍ପ୍, ପୋଲ୍ ଭଲ୍ଟ, ଟ୍ରିପଲ ଜମ୍ପ୍ ଓ ସଟ୍ପୁଟ୍ ରହିଛି। ଏହାସହ ରେସ୍ ଇଭେଣ୍ଟରେ ୬୦ ମିଟର, ୬୦ ମିଟର ହର୍ଡଲ୍ସ, ୪୦୦ ମିଟର, ୮୦୦ ମିଟର, ୧୫୦୦ ମିଟର ଓ ୩ ହଜାର ମିଟର ଦୌଡ଼ ସାମିଲ ରହିଛି। ତେବେ ଜାଭେଲିନ ଥ୍ରୋ ଏଥିରେ ସାମିଲ ନ ଥିବାରୁ ଦୁଇଥରର ଅଲିମ୍ପିକ ପଦକ ବିଜେତା ତାରକା ଆଥ୍ଲେଟ୍ ନୀରଜ ଚୋପ୍ରାଙ୍କୁ ଓଡ଼ିଶାରେ ଦେଖିବାକୁ ମିଳିବ ନାହିଁ। ସେହିଭଳି ୩୦୦୦ ମିଟର ବାଧାଦୌଡ଼ ଇଭେଣ୍ଟ ମଧ୍ୟ ଇନ୍ଡୋର ପ୍ରତିଯୋଗିତାରେ ନ ଥିବାରୁ ଅବିନାଶ ସାବଲେଙ୍କୁ ମଧ୍ୟ ଓଡ଼ିଶାର ଦର୍ଶକ ଦେଖିବାରୁ ବଞ୍ଚିତ ହେବେ। ଓଡ଼ିଶାର ତାରକା ଧାବକ ତଥା ଜାତୀୟ କୀର୍ତ୍ତିମାନ ହାସଲ କରିଥିବା ଅନିମେଶ କୁଜୁରଙ୍କ ଦକ୍ଷତା କଳିଙ୍ଗ ଷ୍ଟାଡିୟମ୍ରେ ଦେଖିବାକୁ ମିଳିବ। ଅନିମେଶ ତାଙ୍କର ପାରମ୍ପରିକ ୧୦୦ ଓ ୨୦୦ ମିଟର ଦୌଡ଼ ବଦଳରେ ୬୦ ମିଟର ସ୍ପ୍ରିଣ୍ଟରେ ଭାଗନେବେ। କିଛିବର୍ଷ ତଳେ ଦକ୍ଷିଣ ଏସିଆର ପ୍ରଥମ ଇନ୍ଡୋର ଦୌଡ଼କୁଦ ଷ୍ଟାଡିୟମ୍ କଳିଙ୍ଗ ଷ୍ଟାଡିୟମ୍ ପରିସରରେ ନିର୍ମିତ ହୋଇଥିଲା। ଏଥିରେ ୨୦୦ ମିଟରର ସିନ୍ଥେଟିକ ଟ୍ରାକ୍ ରହିଛି। ଏହି ଷ୍ଟାଡିୟମ୍ରେ ୧୭୦୦ ଦର୍ଶକ ବସି ଖେଳ ଦେଖିପାରିବେ। ସୋମବାର କଳିଙ୍ଗ ଷ୍ଟାଡିୟମ୍ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ପ୍ରତିଯୋଗିତା ସମ୍ପର୍କରେ ସବିଶେଷ ସୂଚନା ଦିଆଯାଇଛି। ଏଥିରେ ଏଏଫ୍ଆଇ ସଭାପତି ବାହାଦୁର ସିଂହ ସାଗୁ, ରାଜ୍ୟ କ୍ରୀଡ଼ା ଓ ଯୁବସେବା ନିର୍ଦେଶକ ଡ. ୟେଦୁଲା ବିଜୟ, ଓଡ଼ିଶା ଦୌଡ଼କୁଦ ସଂଘ ସଭାପତି ଜି. ଶ୍ରୀନିବାସ ପଟ୍ଟନାୟକ, ସମ୍ପାଦକ ଅଭିଜିତ ପାଲ ଓ ଅନ୍ୟମାନେ ଉପସ୍ଥିତ ଥିଲେ। Post navigation ୫ ଟି ସ୍ବର୍ଣ୍ଣ ସହିତ ୧୭ଟି ପଦକ ପାଇଲା ଓଡିଶା ସେଣ୍ଟ୍ରାଲ ଏସିଆ ବରିଷ୍ଠ ହ୍ୟାଣ୍ଡବଲ ପ୍ରତିଯୋଗିତା, ଭାରତୀୟ ଦଳରେ ସ୍ୱସ୍ତିକ ଓ ଗୌରୀଶଙ୍କର ପ୍ରାଶିକ୍ଷକ