T-20 League Final at Barabati Today: Keonjhar and Sambalpur Clash for the TrophyT-20 League Final at Barabati Today: Keonjhar and Sambalpur Clash for the Trophy

କଟକ, ସେପ୍ଟେମ୍ବର ୩୦: ଓଡ଼ିଶା ଟି-୨୦ ଲିଗ୍‌—ସିଏମ୍‌ ଟ୍ରଫିର ଚାମ୍ପିଅନ୍‌ ହେବା ପାଇଁ ଆଜି ବାରବାଟୀ ଷ୍ଟାଡିୟମ୍‌ରେ ଲଢ଼େଇ କରିବେ କେନ୍ଦୁଝର ମାଇନର୍ସ ଓ ସମ୍ବଲପୁର ୱାରିୟର୍ସ। ସନ୍ଧ୍ୟା ୭ଟାରୁ ଆରମ୍ଭ ହେବାକୁ ଥିବା ଏହି ଟାଇଟଲ୍‌ ମୁକାବିଲାକୁ ନେଇ କ୍ରିକେଟ୍‌ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।

ଲିଗ୍‌ ପର୍ଯ୍ୟାୟରେ ଦମ୍‌ଦାର ପ୍ରଦର୍ଶନ କରି ପଏଣ୍ଟ ଟେବୁଲ୍‌ର ଶୀର୍ଷ ସ୍ଥାନ ଦଖଲ କରିଥିବା କେନ୍ଦୁଝର ମାଇନର୍ସ ସିଧାସଳଖ ଫାଇନାଲ୍‌ରେ ପହଞ୍ଚିଥିଲା। ଅନ୍ୟପଟେ ସମ୍ବଲପୁର ୱାରିୟର୍ସକୁ ଫାଇନାଲ୍‌ରେ ପ୍ରବେଶ ପାଇଁ କ୍ୱାଲିଫାୟର୍‌ ମ୍ୟାଚ୍‌ ଖେଳିବାକୁ ପଡ଼ିଥିଲା। ଏହି ମ୍ୟାଚ୍‌ରେ ଭୁବନେଶ୍ୱର ଟାଇଗର୍ସକୁ ୯ ରନ୍‌ରେ ହରାଇ ସମ୍ବଲପୁର ଟିକେଟ୍‌ ହାସଲ କରିଥିଲା।

ଫାଇନାଲ୍‌ ପୂର୍ବରୁ କେନ୍ଦୁଝର ମାଇନର୍ସ ଅଧିନାୟକ ସୁଭ୍ରାଂଶୁ ସେନାପତି ଦଳର ପ୍ରସ୍ତୁତିକୁ ନେଇ ଆତ୍ମବିଶ୍ୱାସୀ ଥିବା କହିଛନ୍ତି। ତାଙ୍କ ମତରେ, ଫାଇନାଲ୍‌ ଏକ ବଡ଼ ମଞ୍ଚ ହୋଇଥିଲେ ମଧ୍ୟ ଦଳ ନିଜ ଯୋଜନା ଅନୁସାରେ ସାଧାରଣ ମ୍ୟାଚ୍‌ ଭଳି ଏହାକୁ ଖେଳିବାକୁ ଚାହୁଁଛି। ଟୁର୍ଣ୍ଣାମେଣ୍ଟର ଶେଷ ଭାଗରେ ମିଳିଥିବା ସଫଳତା ଖେଳାଳିଙ୍କ ଆତ୍ମବିଶ୍ୱାସକୁ ଆହୁରି ମଜବୁତ କରିଛି ବୋଲି ସେ କହିଛନ୍ତି।

ସୁଭ୍ରାଂଶୁଙ୍କ କହିବା ଅନୁସାରେ, ପୂରା ପ୍ରତିଯୋଗିତାରେ ଦଳ ଯେଉଁଭଳି ପ୍ରସ୍ତୁତି କରିଛି, ତାହା ଫାଇନାଲ୍‌ରେ ମଧ୍ୟ ଦଳକୁ ସହାୟତା କରିବ। ନିଜ ରଣନୀତିକୁ ପଡ଼ିଆରେ ଠିକ୍‌ ଭାବେ କାର୍ଯ୍ୟକାରୀ କରିବା ସହ ଶ୍ରେଷ୍ଠ ପ୍ରଦର୍ଶନ ଦେବା ଦଳର ଲକ୍ଷ୍ୟ ବୋଲି ସେ ସ୍ପଷ୍ଟ କରିଛନ୍ତି।

ସେପଟେ ସମ୍ବଲପୁର ୱାରିୟର୍ସ ଅଧିନାୟକ ଗୌରବ ଚୌଧୁରୀ ମଧ୍ୟ ଫାଇନାଲ୍‌ ପୂର୍ବରୁ ଦଳର ମନୋବଳକୁ ନେଇ ଆଶାବାଦୀ। କ୍ୱାଲିଫାୟର୍‌ରେ ଭୁବନେଶ୍ୱର ଟାଇଗର୍ସ ବିପକ୍ଷରେ ମିଳିଥିବା ବିଜୟ ଖେଳାଳିଙ୍କୁ ଆତ୍ମବିଶ୍ୱାସ ଦେଇଛି ବୋଲି ସେ କହିଛନ୍ତି।

କ୍ୱାଲିଫାୟର୍‌ରେ ଆରମ୍ଭରୁ କିଛି ୱିକେଟ୍‌ ହରାଇବା ପରେ ମଧ୍ୟ ସମ୍ବଲପୁର ଦଳ ମ୍ୟାଚ୍‌କୁ ଫେରି ଆସିଥିଲା ଏବଂ ପ୍ରତିପକ୍ଷକୁ ଚାପରେ ରଖି ବିଜୟ ହାସଲ କରିଥିଲା। ଏହି ଲଢ଼ୁଆ ପ୍ରଦର୍ଶନ ଫାଇନାଲ୍‌ ପାଇଁ ଦଳକୁ ଅତିରିକ୍ତ ଆତ୍ମବିଶ୍ୱାସ ଦେଇଥିବା ଅଧିନାୟକ କହିଛନ୍ତି।

କେନ୍ଦୁଝର ଶକ୍ତିଶାଳୀ ଦଳ ବୋଲି ସ୍ୱୀକାର କରିଥିଲେ ମଧ୍ୟ ପ୍ରତିପକ୍ଷକୁ ନେଇ ଅଧିକ ଚାପ ନନେଇ ନିଜ ରଣନୀତି ଉପରେ ଫୋକସ୍‌ କରିବାକୁ ସମ୍ବଲପୁର ଦଳ ଚାହୁଁଛି। ପଡ଼ିଆରେ ଯୋଜନାର ସଠିକ୍‌ କାର୍ଯ୍ୟାନ୍ୱୟନ ହିଁ ଫାଇନାଲ୍‌ରେ ଗୁରୁତ୍ୱପୂର୍ଣ୍ଣ ହେବ।

ବାରବାଟୀ ଷ୍ଟାଡିୟମ୍‌ରେ ବୁଧବାର ସନ୍ଧ୍ୟା ୭ଟାରୁ ଆରମ୍ଭ ହେବ ଟ୍ରଫି ଲଢ଼େଇ। ଦୁଇ ଦଳର ପ୍ରଦର୍ଶନ, ରଣନୀତି ଓ ଚାପ ସମ୍ଭାଳିବାର କ୍ଷମତା ଉପରେ ଫାଇନାଲ୍‌ର ଫଳାଫଳ ନିର୍ଭର କରିବ।

Leave a Reply

Your email address will not be published. Required fields are marked *