Security blueprint ready for Rath Yatra; 12,000 police personnel to be deployed in PuriSecurity blueprint ready for Rath Yatra; 12,000 police personnel to be deployed in Puri

ପୁରୀ/ଭୁବନେଶ୍ୱର: ଆସନ୍ତା ଜୁଲାଇ ୧୬ରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ନେଇ ପୋଲିସ ପ୍ରଶାସନ ପ୍ରସ୍ତୁତିକୁ ଜୋରଦାର କରିଛି। ପୁରୀରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ସୁରକ୍ଷା, ଭିଡ଼ ପରିଚାଳନା, ଟ୍ରାଫିକ ବ୍ୟବସ୍ଥା ଏବଂ ବର୍ଷାଜନିତ ପରିସ୍ଥିତିକୁ ନେଇ ବିସ୍ତୃତ ସମୀକ୍ଷା କରାଯାଇଛି।

ଚଳିତ ବର୍ଷ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଆଗମନକୁ ଆକଳନ କରି ପ୍ରାୟ ୧୨ ହଜାର ପୋଲିସ କର୍ମଚାରୀଙ୍କୁ ରଥଯାତ୍ରା ଡ୍ୟୁଟିରେ ନିୟୋଜିତ କରାଯିବ। ସେମାନଙ୍କ ସହ ୧୦ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ, ୨୫୦ ପ୍ଲାଟୁନ୍ OSAP, IRBN ଓ APR ଫୋର୍ସ ମଧ୍ୟ ସୁରକ୍ଷା ବ୍ୟବସ୍ଥାରେ ସାମିଲ ହେବେ। ସହରର ବିଭିନ୍ନ ଅଞ୍ଚଳରେ ୩ ହଜାର ହୋମଗାର୍ଡ ମୁତୟନ କରାଯାଇ ଭିଡ଼ ନିୟନ୍ତ୍ରଣ, ପାର୍କିଂ ଓ ଟ୍ରାଫିକ ପରିଚାଳନାରେ ସହଯୋଗ ନେଇଯିବ।

ବୈଠକରେ ରଥଯାତ୍ରା ସମୟରେ ସମ୍ଭାବ୍ୟ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ବିକଳ୍ପ ବ୍ୟବସ୍ଥା ଏବଂ ଜରୁରୀ ପ୍ରତିକ୍ରିୟା ଯୋଜନା ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭକ୍ତମାନେ ଯେପରି କୌଣସି ଅସୁବିଧାରେ ନ ପଡ଼ି ସୁରକ୍ଷିତ ଭାବେ ଦର୍ଶନ କରିପାରିବେ, ସେଥିପାଇଁ ସମସ୍ତ ସମ୍ପୃକ୍ତ ବିଭାଗ ମଧ୍ୟରେ ସମନ୍ୱୟ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି।

ରାଜ୍ୟର ବିଭିନ୍ନ ସ୍ଥାନରୁ ପୁରୀକୁ ଆସୁଥିବା ପୋଲିସ ବଳଙ୍କ ରହଣି, ଯାତାୟାତ ଏବଂ ଅନ୍ୟାନ୍ୟ ଆବଶ୍ୟକ ବ୍ୟବସ୍ଥା ପାଇଁ ମଧ୍ୟ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଛି।

ଶ୍ରଦ୍ଧାଳୁମାନଙ୍କୁ ପୁରୀ ଯାତ୍ରା ପୂର୍ବରୁ ଓଡ଼ିଶା ପୋଲିସ ପକ୍ଷରୁ ଜାରି କରାଯାଉଥିବା ଟ୍ରାଫିକ ଆଡଭାଇଜରୀ ଓ ଯାତାୟାତ ସମ୍ବନ୍ଧୀୟ ସୂଚନା ଅନୁସରଣ କରିବାକୁ ଅନୁରୋଧ କରାଯାଇଛି। ଏହାଦ୍ୱାରା ଯାତ୍ରା ସୁଗମ ହେବା ସହ ଟ୍ରାଫିକ ଚାପ ମଧ୍ୟ କମିବ।

ସମୀକ୍ଷା ବୈଠକରେ ପୋଲିସ ବିଭାଗର ବରିଷ୍ଠ ଅଧିକାରୀ, ବିଭିନ୍ନ ରେଞ୍ଜର ଆଇଜି, ଡିଆଇଜି, ଏସ୍‌ପି ଏବଂ ପ୍ରଶାସନିକ ଅଧିକାରୀମାନେ ସାମିଲ ହୋଇ ରଥଯାତ୍ରାର ସୁରକ୍ଷା ବ୍ୟବସ୍ଥା ନେଇ ଆଲୋଚନା କରିଥିଲେ।

Leave a Reply

Your email address will not be published. Required fields are marked *