ଭୁବନେଶ୍ୱର, ୬ ଜୁଲାଇ: ଆଗାମୀ ଶ୍ରୀଜଗନ୍ନାଥ ରଥଯାତ୍ରାକୁ ସୁରୁଖୁରୁ ଓ ତ୍ରୁଟିଶୂନ୍ୟ ଭାବେ ସମ୍ପନ୍ନ କରିବା ପାଇଁ ରାଜ୍ୟ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ପୁରୀ ଟାଉନ ହଲରେ ଆୟୋଜିତ ସ୍ୱତନ୍ତ୍ର ସମୀକ୍ଷା ବୈଠକରେ ସେ ସମସ୍ତ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ଏବଂ ନିରନ୍ତର ମନିଟରିଂ ଉପରେ ବିଶେଷ ଗୁରୁତ୍ୱ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ରଥଯାତ୍ରା କେବଳ ଏକ ପର୍ବ ନୁହେଁ, ବରଂ କୋଟି କୋଟି ଜଗନ୍ନାଥ ଭକ୍ତଙ୍କ ଆସ୍ଥା ଓ ଭାବାବେଗ ସହ ଜଡ଼ିତ ଏକ ବିଶ୍ୱବିଖ୍ୟାତ ଆଧ୍ୟାତ୍ମିକ ମହୋତ୍ସବ। ତେଣୁ ସମସ୍ତ ଅଧିକାରୀ, କର୍ମଚାରୀ ଏବଂ ସେବକମାନେ ମହାପ୍ରଭୁଙ୍କ ସେବା ଭାବନାରେ କାମ କରି ରଥଯାତ୍ରାକୁ ସଫଳ କରିବା ଆବଶ୍ୟକ। ସେ କହିଛନ୍ତି, ରଥଯାତ୍ରାର ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ପୋଲିସ ବଳ ମୁତୟନ କରାଯାଇଛି। ଏହା ସହ ସ୍ୱାସ୍ଥ୍ୟ ସେବା, ପାନୀୟ ଜଳ, ପରିମଳ ବ୍ୟବସ୍ଥା, ଟ୍ରାଫିକ ନିୟନ୍ତ୍ରଣ ଓ ଗମନାଗମନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ରହିଛି। ଗତ ଦୁଇ ବର୍ଷର ଅଭିଜ୍ଞତାକୁ କାର୍ଯ୍ୟରେ ଲାଗୁ କରି ଅଧିକ ସମନ୍ୱିତ ଭାବେ ଦାୟିତ୍ୱ ତୁଲାଇବାକୁ ସେ ପରାମର୍ଶ ଦେଇଛନ୍ତି। ରଥଯାତ୍ରା ସମୟରେ ପ୍ରତ୍ୟେକ ବ୍ୟବସ୍ଥାର ନିରନ୍ତର ମନିଟରିଂ କରିବା ସହ ସାଧାରଣ ଲୋକଙ୍କୁ ସଠିକ୍ ଓ ସମୟୋପଯୋଗୀ ସୂଚନା ପହଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ଏଥିପାଇଁ ଏଫ୍ଏମ୍ ରେଡିଓ, ସାମାଜିକ ଗଣମାଧ୍ୟମ, ବିଭାଗୀୟ ୱେବସାଇଟ୍, ଟେଲିଭିଜନ ଓ ଡାକବାଜି ଯନ୍ତ୍ରର ସଦୁପଯୋଗ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଗୁଜବ ପ୍ରଚାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା ନଜର ରଖି ଆବଶ୍ୟକ ଆଇନଗତ ପଦକ୍ଷେପ ନେବାକୁ ମଧ୍ୟ ସେ ସମ୍ପୃକ୍ତ ବିଭାଗକୁ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ରଥଯାତ୍ରାକୁ ସୁରକ୍ଷିତ ଓ ସୁସଂଗଠିତ ଭାବେ ସମ୍ପନ୍ନ କରି ପ୍ରତ୍ୟେକ ଭକ୍ତ ଯେପରି ଏକ ସୁଖଦ ଆଧ୍ୟାତ୍ମିକ ଅନୁଭୂତି ସହ ମହାପ୍ରଭୁଙ୍କ ଦର୍ଶନ କରି ଫେରିବେ, ତାହା ହିଁ ସମସ୍ତଙ୍କ ପାଇଁ ସବୁଠାରୁ ବଡ଼ ସଫଳତା। ଏହି ଅବସରରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶିତ ‘ରୂପରେଖା–ରଥଯାତ୍ରା ୨୦୨୬’ ପୁସ୍ତିକାର ଉନ୍ମୋଚନ କରାଯାଇଥିଲା। ବୈଠକରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ବରିଷ୍ଠ ମନ୍ତ୍ରୀମାନେ, ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ରଥଯାତ୍ରା ପ୍ରସ୍ତୁତିର ବିସ୍ତୃତ ସମୀକ୍ଷା କରିଥିଲେ। Post navigation ଏଣିକି ବ୍ରହ୍ମପୁର-ଉଧନା(ସୁରଟ) ଅମୃତ ଭାରତ ଏକ୍ସପ୍ରେସ ପ୍ରତିଦିନ ଚଳାଚଳ କରିବ NITI Aayog Investment Friendliness Index 2026: ନିବେଶ ପାଇଁ ଦେଶର ଶୀର୍ଷ ୫ ରାଜ୍ୟ ମଧ୍ୟରେ ଓଡ଼ିଶା, ବଢ଼ିଲା ଶିଳ୍ପ ବିକାଶର ବିଶ୍ୱାସ