Ban on venturing into the sea until the 25th: Fisheries Directorate issues warning.Ban on venturing into the sea until the 25th: Fisheries Directorate issues warning.

୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲିଲା, ବନ୍ଦରରେ ଡଙ୍ଗା ଓ ଟ୍ରଲର ସୁରକ୍ଷିତ ଭାବେ ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୨୨/୦୯/୨୦୨୬:
ରାଜ୍ୟରେ ସମ୍ଭାବ୍ୟ ପ୍ରବଳ ବର୍ଷାକୁ ନେଇ ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ମତ୍ସ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ସତର୍କତାମୂଳକ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଆସନ୍ତା ସେପ୍ଟେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ପରାମର୍ଶ ଦିଆଯାଇଛି।

ଇତିମଧ୍ୟରେ ସମୁଦ୍ରରେ ଥିବା ମତ୍ସ୍ୟଜୀବୀମାନଙ୍କୁ ଶୀଘ୍ର କୂଳକୁ ଫେରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଉପକୂଳ ଅଞ୍ଚଳରେ ମାଇକ୍ ଯୋଗେ ପ୍ରଚାର କରାଯାଇ ମତ୍ସ୍ୟଜୀବୀ ଓ ବୋଟ୍ ମାଲିକମାନଙ୍କୁ ପାଣିପାଗ ସ୍ଥିତି ସମ୍ପର୍କରେ ସଚେତନ କରାଯାଉଛି।

ସମସ୍ତ ମତ୍ସ୍ୟ ଡଙ୍ଗା ଓ ଟ୍ରଲରକୁ ନିକଟସ୍ଥ ମତ୍ସ୍ୟ ଅବତରଣ କେନ୍ଦ୍ର କିମ୍ବା ମତ୍ସ୍ୟ ବନ୍ଦରରେ ସୁରକ୍ଷିତ ଭାବେ ବାନ୍ଧି ରଖିବାକୁ ମଧ୍ୟ କୁହାଯାଇଛି। ଏନେଇ ଜିଲ୍ଲା ମତ୍ସ୍ୟ ଅଧିକାରୀ ଏବଂ ସାମୁଦ୍ରିକ ମତ୍ସ୍ୟ ଅଧିକାରୀମାନେ ବୋଟ୍ ମାଲିକ ସଂଘ, ଟ୍ରଲର ମାଲିକ ସଂଘ ଓ ସାମୁଦ୍ରିକ ମତ୍ସ୍ୟ ସମବାୟ ସମିତି ସହ ଯୋଗାଯୋଗ କରି ସତର୍କ କରିଛନ୍ତି।

ସମ୍ଭାବ୍ୟ ବର୍ଷା ଓ ସମୁଦ୍ରର ସ୍ଥିତି ଉପରେ ନଜର ରଖିବାକୁ ସମସ୍ତ ଜିଲ୍ଲା ମତ୍ସ୍ୟ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ଜିଲ୍ଲାସ୍ତରର ସ୍ଥିତି ସମ୍ପର୍କରେ କଟକସ୍ଥିତ ମତ୍ସ୍ୟ ନିର୍ଦ୍ଦେଶାଳୟକୁ ନିୟମିତ ଭାବେ ରିପୋର୍ଟ ପଠାଇବାକୁ ମଧ୍ୟ ନିର୍ଦ୍ଦେଶ ରହିଛି।

ସତର୍କତା ଅବଧିରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ଉପରେ ରୋକ ଲଗାଯାଇଛି। ଏହି ସମୟରେ କେହି ମୁଖ୍ୟାଳୟ ଛାଡ଼ି ଯାଇପାରିବେ ନାହିଁ। ବିଭିନ୍ନ ବନ୍ଦର ଓ ଉପକୂଳ ଅଞ୍ଚଳରେ ସାଗରମିତ୍ର ଏବଂ ସହକାରୀ ମତ୍ସ୍ୟ ଅଧିକାରୀମାନଙ୍କୁ ମୁତୟନ କରାଯାଇଛି। ସେମାନେ ମତ୍ସ୍ୟଜୀବୀଙ୍କୁ ନିରନ୍ତର ସଚେତନ କରୁଛନ୍ତି।

ସମ୍ଭାବ୍ୟ ଖରାପ ପାଣିପାଗ ସମୟରେ ମତ୍ସ୍ୟଜୀବୀଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ପକ୍ଷରୁ ଏହି ସମସ୍ତ ପ୍ରସ୍ତୁତି ଓ ପଦକ୍ଷେପ ନିଆଯାଇଛି।

Leave a Reply

Your email address will not be published. Required fields are marked *