ଭୁବନେଶ୍ୱର, ସେପ୍ଟେମ୍ବର ୧୮: ଓଡ଼ିଶା T20 ଲିଗ୍–CM ଟ୍ରଫିର ନୂଆ ସିଜନ୍କୁ ନେଇ କ୍ରିକେଟ୍ ମହଲରେ ଉତ୍ସାହ ବଢ଼ିଥିବା ବେଳେ ରାଉରକେଲା ସୁପରଷ୍ଟାର୍ସ ନିଜ ଦଳର ଅଫିସିଆଲ୍ ଜର୍ସି ଉନ୍ମୋଚନ କରିଛି। ଶୁକ୍ରବାର ଭୁବନେଶ୍ୱରର ପ୍ରାଚୀ ସରୋବରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜର୍ସି ଲଞ୍ଚ କରାଯାଇଥିଲା। ସେପ୍ଟେମ୍ବର ୨୦ରୁ କଟକ ବାରବାଟୀ ଷ୍ଟାଡିୟମରେ ଲିଗ୍ର ମୁକାବିଲା ଆରମ୍ଭ ହେବ। ଚଳିତ ସଂସ୍କରଣରେ ୬ଟି ଦଳ ଟ୍ରଫି ପାଇଁ ଲଢ଼େଇ କରିବେ। ସେପ୍ଟେମ୍ବର ୨୯ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ରାଉରକେଲା ସୁପରଷ୍ଟାର୍ସ ମଧ୍ୟ ନିଜ ଅଭିଯାନକୁ ନେଇ ପ୍ରସ୍ତୁତ ହୋଇଛି। ଜର୍ସି ଉନ୍ମୋଚନ ସମାରୋହରେ ଦଳର ସହ-ମାଲିକ ସନ୍ତୁଷ୍ଟ ଭାଟିଆ ରାଉରକେଲା ସୁପରଷ୍ଟାର୍ସର ଉଦ୍ଦେଶ୍ୟ ସମ୍ପର୍କରେ ମତ ରଖିଥିଲେ। ବିଶେଷକରି ଓଡ଼ିଶାର ଉଦୀୟମାନ କ୍ରିକେଟରଙ୍କୁ ରାଜ୍ୟସ୍ତରୀୟ ମଞ୍ଚରେ ନିଜ ପ୍ରତିଭା ଦେଖାଇବାର ସୁଯୋଗ ଦେବା ଉପରେ ଫ୍ରାଞ୍ଚାଇଜି ଗୁରୁତ୍ୱ ଦେଉଥିବା ସେ କହିଥିଲେ। ଭାଟିଆ କହିଥିଲେ ଯେ, ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସୁଥିବା ଯୁବ ଖେଳାଳିଙ୍କୁ ଅଭିଜ୍ଞ କ୍ରିକେଟରଙ୍କ ସହ ଖେଳି ଶିଖିବାର ପରିବେଶ ଦେବା ଫ୍ରାଞ୍ଚାଇଜିର ମୁଖ୍ୟ ଲକ୍ଷ୍ୟ। ଏହା ମାଧ୍ୟମରେ ଖେଳାଳିମାନେ ନିଜ ଦକ୍ଷତା ଆହୁରି ମଜଭୁତ କରିବା ସହ ଆଗାମୀ ଦିନରେ ଉଚ୍ଚସ୍ତରୀୟ କ୍ରିକେଟ୍ରେ ରାଜ୍ୟ ଓ ଦେଶର ପ୍ରତିନିଧିତ୍ୱ କରିବାର ମାର୍ଗ ପାଇପାରିବେ। ଅନ୍ୟ ସହ-ମାଲିକ ପାର୍ଥ ଲୁଥ୍ରା ମଧ୍ୟ ଦଳର ଗଠନକୁ ନେଇ ଆଶାବାଦୀ ରହିଛନ୍ତି। ତାଙ୍କ ମତରେ ଦଳରେ ଯୁବ ଖେଳାଳିଙ୍କ ସହ ଅଭିଜ୍ଞ କ୍ରିକେଟରଙ୍କ ଭଲ ସମନ୍ୱୟ ରହିଛି। ଅନେକ ଖେଳାଳିଙ୍କ ରଣଜୀ ଟ୍ରଫି ଅଭିଜ୍ଞତା ଥିବାରୁ ଏହା ଦଳ ପାଇଁ ଉପଯୋଗୀ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ। ପାର୍ଥ ଲୁଥ୍ରାଙ୍କ କହିବା ଅନୁଯାୟୀ, ଦଳରେ ଅଭିଜ୍ଞତା ଓ ଯୁବ ଶକ୍ତିର ସନ୍ତୁଳନ ରହିଛି। ଏହି ସଂଯୋଜନ ଟୁର୍ଣ୍ଣାମେଣ୍ଟରେ ଦଳକୁ ଦୃଢ଼ ପ୍ରତିଦ୍ୱନ୍ଦ୍ୱୀ ଭାବେ ଉପସ୍ଥାପିତ କରିବ ବୋଲି ସେ ଆଶା କରିଛନ୍ତି। ଏବେ ଲିଗ୍ ଆରମ୍ଭକୁ ଆଉ ଅଳ୍ପ ସମୟ ଥିବାରୁ ରାଉରକେଲା ସୁପରଷ୍ଟାର୍ସର ନଜର ପ୍ରଥମ ମ୍ୟାଚ୍ ଏବଂ ଟୁର୍ଣ୍ଣାମେଣ୍ଟରେ ନିଜ ପ୍ରଦର୍ଶନ ଉପରେ। ନୂଆ ଜର୍ସି ସହ ଦଳ ଏବେ ପଡ଼ିଆରେ ନିଜ ଦକ୍ଷତା ପ୍ରମାଣ କରିବାକୁ ପ୍ରସ୍ତୁତ। Post navigation ଏପ୍ରିଲରେ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ ୨୫ ତାରିଖ ଯାଏଁ ସମୁଦ୍ରକୁ ଯିବା ମନା: ମତ୍ସ୍ୟ ନିର୍ଦ୍ଦେଶାଳୟର ସତର୍କତା