ୟାସିର ନୱାଜ ଓ ସହଯୋଗୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି ଭୁବନେଶ୍ୱର, ୨୨/୦୯/୨୦୨୬:ରାଜଧାନୀ ଭୁବନେଶ୍ୱରରେ ଘଟିଥିବା ଏକ ହିଂସାତ୍ମକ ଘଟଣାକୁ ନେଇ ଏବିଭିପି ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏବିଭିପିର ରାଜ୍ୟ ସମ୍ପାଦକ ଦୀପ୍ତିମୟୀ ପଟ୍ଟନାୟକ ଏହି ଘଟଣାକୁ ନିନ୍ଦା କରିବା ସହ ସମ୍ପୃକ୍ତ ଥିବା ଅଭିଯୋଗ ଆସିଥିବା ବ୍ୟକ୍ତିମାନଙ୍କ ବିରୋଧରେ ତୁରନ୍ତ ଆଇନଗତ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ଏବିଭିପିର ଅଭିଯୋଗ ଅନୁସାରେ, ଛାତ୍ର କଂଗ୍ରେସର ପୂର୍ବତନ ସଭାପତି, ଭୁବନେଶ୍ୱର ଲୋକସଭା ଆସନର ପୂର୍ବତନ କଂଗ୍ରେସ ପ୍ରାର୍ଥୀ ଏବଂ ଓଡ଼ିଶା ପ୍ରଦେଶ କଂଗ୍ରେସର ସାଧାରଣ ସମ୍ପାଦକ ୟାସିର ନୱାଜ ଓ ତାଙ୍କ ସହଯୋଗୀମାନଙ୍କ ବିରୋଧରେ ଜଣେ ଯୁବକଙ୍କୁ ଭୟଭୀତ କରିବା, ଆକ୍ରମଣ ଏବଂ ଗୁଳିଚାଳନା ଭଳି ଅଭିଯୋଗ ଆସିଛି। ଘଟଣା ସମ୍ପର୍କିତ କିଛି ଦୃଶ୍ୟ CCTVରେ କଏଦ ହୋଇଥିବା ଦାବି କରି ଏବିଭିପି ପ୍ରଶ୍ନ ଉଠାଇଛି। ଗଣମାଧ୍ୟମରେ ଘଟଣା ସମ୍ପର୍କିତ ଖବର ପ୍ରକାଶ ପରେ ମଧ୍ୟ ପୋଲିସର ପଦକ୍ଷେପକୁ ନେଇ ସଂଗଠନ ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯାଇଛି। ଘଟଣାରେ କିଏ କିଏ ସମ୍ପୃକ୍ତ ଏବଂ ଅଭିଯୋଗର ସତ୍ୟତା କଣ, ତାହାର ନିରପେକ୍ଷ ତଦନ୍ତ କରିବା ସହ ଆଇନ ଅନୁଯାୟୀ ଦୋଷୀଙ୍କ ବିରୋଧରେ ପଦକ୍ଷେପ ନେବାକୁ ଏବିଭିପି ଦାବି କରିଛି। ରାଜଧାନୀରେ ଆଇନଶୃଙ୍ଖଳା ଓ ସାଧାରଣ ଲୋକଙ୍କ ସୁରକ୍ଷାକୁ ନେଇ ଏବିଭିପି ଚିନ୍ତା ପ୍ରକାଶ କରିଛି। ଘଟଣାରେ ସମ୍ପୃକ୍ତ ସମସ୍ତଙ୍କ ବିରୋଧରେ ତଦନ୍ତ ପରେ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ନେଇ ଶାନ୍ତି ଓ ଆଇନଶୃଙ୍ଖଳା ବଜାୟ ରଖିବାକୁ ରାଜ୍ୟ ସରକାରଙ୍କୁ ସଂଗଠନ ପକ୍ଷରୁ ଆହ୍ୱାନ ଦିଆଯାଇଛି। Post navigation ୨୫ ତାରିଖ ଯାଏଁ ସମୁଦ୍ରକୁ ଯିବା ମନା: ମତ୍ସ୍ୟ ନିର୍ଦ୍ଦେଶାଳୟର ସତର୍କତା ଏସଆଇଆରକୁ ନେଇ ବିଜେଡିର ଅଭିଯୋଗ: ଯୋଗ୍ୟ ଭୋଟରଙ୍କୁ ବାଦ୍ ଦିଆଯାଇଥିବା ଦାବି