ଭୁବନେଶ୍ୱର , 22/03/2026: ଆଜି ଲୋକସେବା ଭବନ ଠାରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା ବୈଠକରେ ଯୋଗଦେଇ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ସମ୍ପର୍କରେ ସମୀକ୍ଷା କରିଛନ୍ତି । ମୁଖ୍ୟତଃ ସରକାରୀ ହସ୍ପିଟାଲ ଗୁଡିକରେ ଅଗ୍ନି ନିରାପତ୍ତା ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ସହ ନିୟମିତ ଯାଞ୍ଚ କରେଇବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ସମୟ ସମୟରେ ନିରୀକ୍ଷଣ କରିବା, ଅଗ୍ନି ସୁରକ୍ଷା ମାନର ସଠିକ ଭାବେ ପାଳନ କରିବା ନିମନ୍ତେ ଅଧିକାରୀଙ୍କୁ ବିଶେଷ ଧ୍ୟାନ ଦେବା ପାଇଁ ପରାମର୍ଶ ଦେଇଛନ୍ତି । ବୈଠକରେ ଆଲୋଚିତ ବିଷୟଗୁଡ଼ିକୁ ଗୁରୁତ୍ୱ ସହ କାର୍ଯ୍ୟକାରୀ କରିବା ଓ ସମୟୋପଯୋଗୀ ପଦକ୍ଷେପ ନେବା ପାଇଁ ଉପସ୍ଥିତ ଅଧିକାରୀମାନଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ବିଭିନ୍ନ ମେଡିକାଲ୍ କଲେଜ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଗ୍ନି ସୁରକ୍ଷା ସମ୍ବନ୍ଧୀୟ ବ୍ୟବସ୍ଥାର ସମୀକ୍ଷା କରାଯାଇଥିଲା। ମନ୍ତ୍ରୀ ଆପତ୍କାଳୀନ ପରିସ୍ଥିତିରେ ତ୍ୱରିତ ପ୍ରତିକ୍ରିୟା ଓ ରୋଗୀଙ୍କ ସୁରକ୍ଷାକୁ ସର୍ବପ୍ରଥମ ଗୁରୁତ୍ୱ ଦେବାକୁ କହିଥିଲେ । ସମସ୍ତ ହସ୍ପିଟାଲରେ ଅଗ୍ନିନିରୋଧକ ଯନ୍ତ୍ର ସଠିକ ଭାବରେ କାର୍ଯ୍ୟକ୍ଷମ ରହିବା ସହିତ ନିୟମିତ ଯାଞ୍ଚ ଓ ମକ୍ ଡ୍ରିଲ୍ କରାଯିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ପୂର୍ତ୍ତ ବିଭାଗ ଏବଂ ଅଗ୍ନିଶମ ବିଭାଗ ସହ ସମନ୍ୱୟ ରଖି ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସ୍ୱାସ୍ଥ୍ୟ ମନ୍ତ୍ରୀ ରୋଗୀ ଓ ସାଧାରଣ ଲୋକଙ୍କ ସୁରକ୍ଷା ସରକାରଙ୍କ ପ୍ରଥମ ପ୍ରାଥମିକତା ଓ ଏଥିରେ କୌଣସି ପ୍ରକାର ଅବହେଳା ସହ୍ୟ କରାଯିବ ନାହିଁ ବୋଲି କହିବା ସହ ଆଗାମୀ ଦିନରେ ସମସ୍ତେ ସଚେତନ ରହିବାକୁ ନିର୍ଦ୍ଦେଶ ଦେଇଥିଲେ | ଏହି ବୈଠକରେ ସ୍ୱାସ୍ଥ୍ୟ ସଚିବ ଅଶ୍ୱଥି ଏସ , ସ୍ୱତନ୍ତ୍ର ସଚିବ ଡ଼ା. ବିଜୟ ମହାପାତ୍ର ଓ ବରିଷ୍ଠ ଅଧିକାରୀଙ୍କ ସହ ସମସ୍ତ ଜିଲ୍ଲାର ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ, ମେଡିକାଲ କଲେଜ ମୁଖ୍ୟମାନେ ଆଭାସୀ ମାଧ୍ୟମରେ ଉପସ୍ଥିତ ଥିଲେ। Post navigation ଅହମ୍ମଦାବାଦରେ ‘ଓଡ଼ିଶା ପର୍ବ’ ଅବସରରେ ଓଡ଼ିଆ ପ୍ରବାସୀ ସମ୍ମିଳନୀ ଅନୁଷ୍ଠିତ ଗ୍ରୀଷ୍ମ ପ୍ରବାହ ପାଇଁ ଶ୍ରମ ବିଭାଗର ନୂଆ ଗାଇଡଲାଇନ