"Protesters at Jantar Mantar in Delhi raised demands for the resignation of Dharmendra Pradhan.""Protesters at Jantar Mantar in Delhi raised demands for the resignation of Dharmendra Pradhan."

ସାମାଜିକ ଗଣମାଧ୍ୟମରୁ ଆରମ୍ଭ ହୋଇଥିବା ମିମ୍ସ ନେଲା ଆନ୍ଦୋଳନର ରୂପ ।
ଯୋଡ଼ି ହେଲେ ଯୁବପୀଢ଼ି
ଦିଲ୍ଲୀର ଜନ୍ତର ମନ୍ତରରେ ଶୁଭିଲା ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦିଅ ସ୍ୱର ।

ଯୁବପୀଢ଼ିଙ୍କ ଦ୍ୱାରା ସୋସିଆଲ ମିଡିଆରେ ଆରମ୍ଭ ହୋଇଥିବା କକରୋଚ ଜନତା ପାର୍ଟି ଏକ ବିଶାଳ ଆନ୍ଦୋଳନରେ ପରିଣତ ହୋଇଛି । ଆଜି ଦିଲ୍ଲୀର ଜନ୍ତର ମନ୍ତରରେ ସେମାନଙ୍କ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଭାରତର ବିଭିନ୍ନ ରାଜ୍ୟର ଜେନ-ଜି ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଭାରତରେ ଭୁଶୁଡି ପଡିଥିବା ଶିକ୍ଷାବ୍ୟବସ୍ଥାର ପୁନରୋତ୍ଥାନ ସାଙ୍ଗକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି ଜେନ-ଜି ।

ତେବେ ବିଗତ କିଛିଦିନ ପୂର୍ବରୁ CJI ବେକାର ଯୁବକ ଯୁବତୀଙ୍କୁ କକରୋଚ କହିବା ପରେ ଇନଷ୍ଟାଗ୍ରାମରୁ ଆରମ୍ଭ ହୋଇଥିବା କକରୋଚ ଜନତା ପାର୍ଟି ରଣହୁଙ୍କାର ଦେଇଛି । ଏହି ଆନ୍ଦୋଳନ କକରୋଚ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କ ନେତୃତ୍ୱରେ ହୋଇଥିଲା । ସେ ଆମେରିକାର ବୋଷ୍ଟନରୁ ସିଧା ଆସି ଆଜି ସକାଳୁ ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବା ପରେ ଆନ୍ଦୋଳନ ପାଇଁ ପୁଲିସ ଅନୁମତି ନେଇଥିଲେ । ହାତରେ ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ଏକ ବହି ନେଇ ବିମାନବନ୍ଦରରୁ ବାହାରିଥିଲେ ଅଭିଜିତ ଦୀପକେ ଯାହାର ଛବି ସୋସିଆଲ ମିଡିଆରେ ଯୁବପୀଢ଼ିଙ୍କୁ ଆହୁରି ଆତ୍କୃଷ୍ଟ କରିଛି ।

ତେବେ ଭାରତରେ ବହୁତ ବର୍ଷ ପରେ ବିନା କୌଣସି ସଂଗଠନର ସହାୟତାରେ ଏବଂ ନିର୍ଦ୍ଦିଷ୍ଟ ରାଜନୈତିକ ଏଜେଣ୍ଡା ନଥାଇ ଏତେ ସଂଖ୍ୟକ ଯୁବକ ଯୁବତୀ NEET ଓ CBSE ଭଳି ପରୀକ୍ଷା ଅନିୟମିତତା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ଶିକ୍ଷା ବ୍ୟବସ୍ଥାକୁ ସଜାଡ଼ିବା ପାଇଁ ଏକାଠି ହେବା ଏକ ସକାରାତ୍ମକ ପ୍ରଭାବ ପକାଇଛି ।

ତେବେ କକରୋଚ ଜନତା ପାର୍ଟିର ପ୍ରତିଷ୍ଠାତା ତଥା ଯୁବ ନେତା ଅଭିଜିତ ଦିପକେ ଜନ୍ତର ମନ୍ତରରେ “ଜୟ ଭୀମ” ନାରା ଦେଇ ଯନ୍ତରମନ୍ତରରେ ଆରମ୍ଭ କରିଥିଲେ ନିଜ ଅଭିବାଦନ । ଏହି ଦେଶର ଯୁବଗୋଷ୍ଠୀ ଆଉ ଭୟ କରିବା ଆବଶ୍ୟକ ନାହିଁ ବୋଲି କହିବା ସାଙ୍ଗକୁ ଅଭିଜିତ ଯୁବପୀଢ଼ିଙ୍କ ସାହସର ପ୍ରଶଂସା କରିଛନ୍ତି । ଦେଶର ଆଗାମୀ ପିଢ଼ୀକୁ ସହଜ ଶିକ୍ଷା ବ୍ୟବସ୍ଥା ଯୋଗାଇଦେବାକୁ ହେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଇସ୍ତଫା ଦେବାକୁ ପଡ଼ିବ ବୋଲି ଅଭିଜିତ ଜୋର ଦେଇ କହିଛନ୍ତି।

ଏହାପରେ ବି ଯଦି ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେବେ ନାହିଁ, ତା’ହେଲେ ସଂଗଠନ ପୁଣି ରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।

ଏହି ଜେନ-ଜି ଆନ୍ଦୋଳନରେ ଅନେକ ଛାତ୍ରଛାତ୍ରୀ, ବେକାର ଯୁବକ, ଯୁବତୀଙ୍କ ସମେତ ଅଭିଭାବକ, ବୁଦ୍ଧିଜୀବୀ ଯୋଗ ଦେଇଥିବା ବେଳେ ଶିକ୍ଷାବିତ ତଥା ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କ ପୂର୍ଣ୍ଣ ସମର୍ଥନ ମିଳିଛି ।

Leave a Reply

Your email address will not be published. Required fields are marked *