ନୂଆଦିଲ୍ଲୀ ଦେଇ ଆଜିଠାରୁ ପାଞ୍ଚ ଦିନିଆ ୟୁଏଇ ଗସ୍ତ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରଥମେ ନୂଆଦିଲ୍ଲୀ ଯାଇ ସେଠାରୁ ଆବୁଧାବି ଓ ଦୁବାଇ ଗସ୍ତ କରିବେ। ଓଡ଼ିଶାରେ ବୃହତ୍ ପୁଞ୍ଜିନିବେଶର ସୁଯୋଗ ସୃଷ୍ଟି କରିବା ସହ ଅଧିକ ନିବେଶକଙ୍କୁ ରାଜ୍ୟ ପ୍ରତି ଆକୃଷ୍ଟ କରିବା ଏହି ଗସ୍ତର ମୁଖ୍ୟ ଲକ୍ଷ୍ୟ ରହିଛି। ଗସ୍ତ ସମୟରେ ୟୁଏଇର ପ୍ରମୁଖ ନିବେଶକ, ଶିଳ୍ପପତି ଓ ବ୍ୟବସାୟିକ ସଂଗଠନର ପ୍ରତିନିଧିଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ। ସେପ୍ଟେମ୍ବର ୯ ତାରିଖରେ IHC, ଇଣ୍ଡିଆନ୍ ବିଜନେସ୍ ଆଣ୍ଡ ପ୍ରଫେସନାଲ୍ ଗ୍ରୁପ୍ ସମେତ ପେଟ୍ରୋକେମିକାଲ୍ କ୍ଷେତ୍ରର ପ୍ରମୁଖ ଅଧିକାରୀଙ୍କ ସହ ନିବେଶ ସମ୍ଭାବନା ନେଇ ଆଲୋଚନା ହେବ। ଏହାପରେ ଦୁବାଇରେ ‘One District One Product’ କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ସାମଗ୍ରୀକୁ ନେଇ ଆୟୋଜିତ ପ୍ରଦର୍ଶନୀର ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ। ସେପ୍ଟେମ୍ବର ୧୦ରେ ୟୁଏଇର ଅର୍ଥନୀତି ଓ ପର୍ଯ୍ୟଟନ ମନ୍ତ୍ରୀ ଅବଦୁଲ୍ଲା ବିନ୍ ତକ୍ ଅଲ୍ ମାରିଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ ଆଲୋଚନା କାର୍ଯ୍ୟକ୍ରମ ରହିଛି। ଏଥିସହ ଇଣ୍ଡିଆନ୍ ବିଜନେସ୍ ଆଣ୍ଡ ପ୍ରଫେସନାଲ୍ କାଉନସିଲ୍ ଏବଂ ଏମିରେଟ୍ସ ଗ୍ଲୋବାଲ୍ ଆଲୁମିନିଅମ୍ର ଶୀର୍ଷ ଅଧିକାରୀଙ୍କ ସହ ମଧ୍ୟ ନିବେଶ ସୁଯୋଗ ନେଇ ମତବିନିମୟ କରିବେ। ମିଡିଲ୍ ଇଷ୍ଟ ରିସାଇକ୍ଲିଙ୍ଗ୍ ଆସୋସିଏସନ୍ ସହ ଏକ ରାଉଣ୍ଡଟେବୁଲ୍ ବୈଠକରେ ମଧ୍ୟ ଯୋଗଦେବେ ମୁଖ୍ୟମନ୍ତ୍ରୀ। ରିସାଇକ୍ଲିଙ୍ଗ୍ ଓ ଶିଳ୍ପ କ୍ଷେତ୍ରରେ ଓଡ଼ିଶାର ସମ୍ଭାବନା ଏବଂ ନିବେଶ ସୁଯୋଗ ଉପରେ ଏଠାରେ ଆଲୋଚନା ହେବ। ସେପ୍ଟେମ୍ବର ୧୧ରେ ଦୁବାଇରେ ଆୟୋଜିତ ହେବ ‘Odisha Investors Meet’। ଏହି କାର୍ଯ୍ୟକ୍ରମରେ ଦେଶ ଓ ବିଦେଶର ନିବେଶକ ଏବଂ ଶିଳ୍ପପତିଙ୍କୁ ଓଡ଼ିଶାରେ ଉପଲବ୍ଧ ବିଭିନ୍ନ ନିବେଶ ସୁଯୋଗ ସମ୍ପର୍କରେ ଅବଗତ କରାଇବେ ମୁଖ୍ୟମନ୍ତ୍ରୀ। ଏଥିସହ ୟୁଏଇରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ସହ ମଧ୍ୟ ମତବିନିମୟ କରିବେ। ଓଡ଼ିଶାକୁ ପୂର୍ବ ଭାରତର ଏକ ଶକ୍ତିଶାଳୀ ଶିଳ୍ପ ଓ ନିବେଶ ଗନ୍ତବ୍ୟସ୍ଥଳୀ ଭାବେ ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାର ନିବେଶକଙ୍କ ସହ ଲଗାତାର ଆଲୋଚନା ଜାରି ରଖିଛନ୍ତି। ପୂର୍ବରୁ ସିଙ୍ଗାପୁର ସମେତ ବିଭିନ୍ନ ଦେଶ ଓ ସହରରେ ନିବେଶକଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏବେ ୟୁଏଇ ଗସ୍ତ ମାଧ୍ୟମରେ ଓଡ଼ିଶାରେ ନୂଆ ଓ ବୃହତ୍ ପୁଞ୍ଜିନିବେଶର ଦ୍ୱାର ଖୋଲିବା ନେଇ ଆଶା କରାଯାଉଛି। Post navigation କୋର୍ଟ ଆଦେଶ ମାନୁନଥିଲେ ସରକାରୀ କର୍ମଚାରୀ, ଦରମାରୁ କଟିବ ଭରଣପୋଷଣ ଟଙ୍କା