ରାଜ୍ୟ ସରକାରର ଦୁଇ ବର୍ଷ ପୂର୍ତ୍ତି ଓ କେନ୍ଦ୍ର ସରକାରର ବାର ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା ୧୯ ଓ ୨୦ ଜୁନରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତକୁ ନେଇ ରାଜ୍ୟ ସରକାର ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ କରି ସମସ୍ତ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ବୈଠକରେ ବରିଷ୍ଠ ପ୍ରଶାସନିକ ଓ ପୁଲିସ ଅଧିକାରୀମାନେ ଯୋଗଦେଇ କାର୍ଯ୍ୟକ୍ରମର ରୂପରେଖା, ସୁରକ୍ଷା ବ୍ୟବସ୍ଥା, ଯାତାୟାତ ନିୟନ୍ତ୍ରଣ ଏବଂ ଭିଭିଆଇପି ଗସ୍ତ ସମ୍ପର୍କିତ ପ୍ରସ୍ତୁତି ଉପରେ ଆଲୋଚନା କରିଥିଲେ। ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରଖି ତ୍ରୁଟିମୁକ୍ତ ଭାବେ କାର୍ଯ୍ୟକ୍ରମ ପରିଚାଳନା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ସମୀକ୍ଷା ଅନୁଯାୟୀ, ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ୧୯ ଜୁନରେ ଦୁଇ ଦିନିଆ ଗସ୍ତରେ ମୟୂରଭଞ୍ଜ ଜିଲ୍ଲାରେ ପହଞ୍ଚିବେ। ୨୦ ଜୁନ ତାଙ୍କ ଜନ୍ମଦିନ ଥିବାରୁ ସେ ନିଜ ଜନ୍ମଭୂମି ରାଇରଙ୍ଗପୁରରେ ଏହି ଦିନ ଉପସ୍ଥିତ ରହିବେ। ଏହାକୁ ରାଜ୍ୟ ପାଇଁ ଏକ ଗୌରବମୟ ମୁହୂର୍ତ୍ତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଷ୍ଟ୍ରପତିଙ୍କ ସ୍ୱାଗତ ଓ ଗସ୍ତ ସୁଚାରୁ ଭାବେ ସମ୍ପନ୍ନ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ୨୦ ଜୁନରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ମଧ୍ୟ ରାଇରଙ୍ଗପୁରରେ ପହଞ୍ଚି ରାଷ୍ଟ୍ରପତିଙ୍କ ସହ ଏକ ବିଶାଳ ସାଧାରଣ ସଭାରେ ଯୋଗଦେବେ। ଦେଶର ଦୁଇ ଶୀର୍ଷ ନେତାଙ୍କ ଏକାଠି ଉପସ୍ଥିତି ରାଜ୍ୟର ବିକାଶ ଓ ଜନସାଧାରଣଙ୍କ ଆକାଂକ୍ଷାକୁ ନୂଆ ଗତି ଦେବ ବୋଲି ଆଶା କରାଯାଉଛି। ଏହି ଅବସରରେ ଓଡ଼ିଶା ଏବଂ ବିଶେଷ କରି ମୟୂରଭଞ୍ଜ ଜିଲ୍ଲା ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ ହେବାର ସମ୍ଭାବନା ରହିଛି। ରେଳ ଭିତ୍ତିଭୂମି ବିକାଶ ଏବଂ ବୃହତ୍ କୋଇଲା ଗ୍ୟାସିଫିକେସନ ପ୍ରକଳ୍ପ ସହ ଅନେକ ପ୍ରମୁଖ ଯୋଜନା ଏହି ସମୟରେ ଲୋକାର୍ପିତ ହୋଇପାରେ। ସେହିପରି ୧୯ ଜୁନରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ବିଭାଗର କିଛି ଉନ୍ନୟନମୂଳକ କାର୍ଯ୍ୟର ମଧ୍ୟ ଉଦ୍ଘାଟନ କରାଯିବ। ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା, ମୁଖ୍ୟ ଶାସନ ସଚିବ, ପୁଲିସ ମହାନିର୍ଦ୍ଦେଶକ, ଉନ୍ନୟନ କମିଶନର ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ପ୍ରସ୍ତୁତିର ଅଗ୍ରଗତି ଉପରେ ଆଲୋଚନା କରିଥିଲେ। Post navigation ଗାଡ଼ିରେ ମିଳୁଛି ବିଭିନ୍ନ ପିଠା ନୂତନ ପାଠ୍ୟପୁସ୍ତକରେ ବହୁ ତ୍ରୁଟି ନେଇ ସରକାରଙ୍କୁ ବିଜେଡିର ଟାର୍ଗେଟ