ଆରମ୍ଭ ହୋଇଛି ଓଡ଼ିଶାର ଗଣ ପର୍ବ ରଜ । ଉତ୍ସବ ମୁଖର ହୋଇଛି ଗାଁଠୁ ସହର । ଘରେ ଘରେ ଜମିଛି ପୋଡ଼ ପିଠାର ଆସର । ରଜ ଉପଲକ୍ଷେ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି “ପିଠା ଅନ୍ ହ୍ୱିଲ୍ସ” କାର୍ଯ୍ୟକ୍ରମ । ସୁସଜ୍ଜିତ ହୋଇ ଘୁରୁଥିବା ଏହି ବିଶେଷ ଭ୍ୟାନ୍ରେ ମିଳୁଛି ପୋଡ଼ ପିଠା, ମଣ୍ଡା ପିଠା, ଆରିସା ପିଠା ପରି ପାରମ୍ପରିକ ରଜ ପିଠା । ଉପ ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ ସୁଭଦ୍ରା ଶକ୍ତି ବଜାରରୁ ଏହାର ଉଦଘାଟନ କରିଛନ୍ତି । ଏଥର ରଜରେ ମହିଳାମାନଙ୍କୁ ଗାଁ ର ଅନୁଭୂତି ଦେବାକୁ ସୁଭଦ୍ରା ଶକ୍ତି ବଜାରରେ ରଜ ମହୋତ୍ସବ ୨୦୨୬ ଆୟୋଜନ କରାଯାଉଛି । ଯେଉଁଠି ପାରମ୍ପରିକ ପିଠାଠୁ ଆରମ୍ଭ କରି, ଦୋଳି ଓ ମେହେନ୍ଦିର ବ୍ୟବସ୍ଥା ବି ହୋଇଛି । ଏହି ଅବସରରେ ଆଜି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବି ରଜର ଏହି ମାହୋଲରେ ନିଜକୁ ସାମିଲ କରି, ହାତରେ ମେହେନ୍ଦି ଲଗାଇ, ପୋଡ଼ ପିଠା ଖାଇ,ଦୋଳି ଖେଳି ଏହି ଗଣ ପର୍ବକୁ ସ୍ବାଗତ କରିଛନ୍ତି । ରାଜ୍ୟ ସରକାରଙ୍କ ଦ୍ଵାରା ଆୟୋଜିତ ଏହି ଅଭିନବ ମୋବାଇଲ୍ ଭ୍ୟାନ୍ ସେବା ଓଡ଼ିଶାର ପ୍ରସିଦ୍ଧ ପର୍ବ ‘ରଜ ପର୍ବ’ ପାଇଁ ଆୟୋଜିତ ହୋଇଛି । ଏହି ଗାଡ଼ିଗୁଡ଼ିକ ସହରର ବିଭିନ୍ନ ସ୍ଥାନକୁ ଯାଇ ଲୋକଙ୍କ ନିକଟରେ ପାରମ୍ପରିକ ଓଡ଼ିଆ ପିଠା ପହଞ୍ଚାଇବା ବ୍ୟବସ୍ଥା କରାଯାଇଛି । ପିଠା ଅନ୍ ହ୍ଵିଲ୍ସରେ ମିଳୁଥିବା ସ୍ୱାଦିଷ୍ଟ ପିଠାଗୁଡ଼ିକ ହେଉଛି ପୋଡ଼ ପିଠା, ମଣ୍ଡା ପିଠା, କାକରା ପିଠା, ଆରିସା ପିଠା ଏବଂ ଚକୁଳି ପିଠା । ସାଧାରଣତଃ ରଜ ସମୟରେ ଏହି ମୋବାଇଲ୍ ଭ୍ୟାନ୍ ଗୁଡ଼ିକ ଭୁବନେଶ୍ୱରର ପ୍ରମୁଖ ଛକ ଯଥା ମାଷ୍ଟର କ୍ୟାଣ୍ଟିନ୍ ଛକ, ଖଣ୍ଡଗିରି, ସି.ଆର୍.ପି. ସ୍କୋୟାର, ପାଟିଆ, ଚନ୍ଦ୍ରଶେଖରପୁର ଏବଂ ରୂପାଲୀ ସ୍କୋୟାରରେ ସକାଳ ୭ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଉପଲବ୍ଧ ହେବ । Post navigation ରାଜଧାନୀ ରେ ତାଣ୍ଡବ ରଚିଲା କାଳବୈଶାଖୀ । ଭାଙ୍ଗିଲା ଗଛ, ଉଡ଼ିଲା ଘର ଛାରଖାର କଲା ଜନତା ମଇଦାନ ର ରଜ ଉତ୍ସବ ।