ଭୁବନେଶ୍ୱର, ୧୮ ଜୁନ:ରାଜ୍ୟର ସରକାରୀ ବିଦ୍ୟାଳୟଗୁଡ଼ିକରେ ବଣ୍ଟନ ହୋଇଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ଚିହ୍ନଟ ହୋଇଥିବା ଏକାଧିକ ତୃଟିକୁ ନେଇ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ଏବଂ ଦାୟିତ୍ୱ ନିର୍ଦ୍ଧାରଣ ପାଇଁ ଏକ ତିନି ସଦସ୍ୟ ବିଶିଷ୍ଟ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଏହି କମିଟିର ନେତୃତ୍ୱ ନେବେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂହ। କମିଟିର ଅନ୍ୟ ସଦସ୍ୟ ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ବିଜୟ କେତନ ଉପାଧ୍ୟାୟ ଏବଂ ସାଧାରଣ ପ୍ରଶାସନ ବିଭାଗର ଉପ-ସଚିବ ସ୍ମିତା ପାଣିଙ୍କୁ ସାମିଲ କରାଯାଇଛି। ସରକାରୀ ସୂଚନା ଅନୁଯାୟୀ, କମିଟି ପାଠ୍ୟପୁସ୍ତକରେ ଦେଖାଦେଇଥିବା ମୁଦ୍ରଣ ଓ ତଥ୍ୟଗତ ତ୍ରୁଟିର କାରଣ ଖୋଜିବା ସହ ଏହା କେଉଁ ପର୍ଯ୍ୟାୟରେ ଘଟିଛି ତାହା ଅନୁସନ୍ଧାନ କରିବ। ଏଥିସହ ତ୍ରୁଟି ପାଇଁ ଦାୟୀ ଅଧିକାରୀ, ସଂସ୍ଥା କିମ୍ବା ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରି ସରକାରଙ୍କୁ ରିପୋର୍ଟ ଦେବ। କମିଟିକୁ ସାତ ଦିନ ମଧ୍ୟରେ ତଦନ୍ତ ଶେଷ କରି ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ରିପୋର୍ଟ ଆଧାରରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସରକାର ସୂଚନା ଦେଇଛନ୍ତି। ନିକଟରେ ପାଠ୍ୟପୁସ୍ତକଗୁଡ଼ିକରେ ବିଭିନ୍ନ ମୁଦ୍ରଣ ଓ ତଥ୍ୟଗତ ତ୍ରୁଟି ଚିହ୍ନଟ ହେବା ପରେ ଅଭିଭାବକ, ଶିକ୍ଷକ ଓ ଶିକ୍ଷାବିତ୍ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହା ଛାତ୍ରଛାତ୍ରୀଙ୍କ ପାଠପଢ଼ା ଉପରେ ପ୍ରଭାବ ପକାଇବା ସହ ଶିକ୍ଷା ସାମଗ୍ରୀର ଗୁଣବତ୍ତାକୁ ନେଇ ପ୍ରଶ୍ନ ଉଠାଇଥିଲା। ଘଟଣାକୁ ଗୁରୁତ୍ୱର ସହ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଚ୍ଚସ୍ତରୀୟ ସମୀକ୍ଷା କରିଥିଲେ। ସେ ତୁରନ୍ତ ତ୍ରୁଟି ସଂଶୋଧନ, ଦାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ଭବିଷ୍ୟତରେ ପାଠ୍ୟପୁସ୍ତକ ପ୍ରସ୍ତୁତି ଓ ଯାଞ୍ଚ ବ୍ୟବସ୍ଥାକୁ ଅଧିକ କଠୋର କରିବାକୁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ମାନ ବଜାୟ ରଖିବା ଏବଂ ଛାତ୍ରଛାତ୍ରୀଙ୍କୁ ନିର୍ଭୁଲ ପାଠ୍ୟସାମଗ୍ରୀ ଯୋଗାଇବା ଉପରେ ସରକାର ଗୁରୁତ୍ୱ ଦେଉଥିବା ବେଳେ, ଏହି ତଦନ୍ତ ରିପୋର୍ଟକୁ ନେଇ ଏବେ ସମସ୍ତଙ୍କ ନଜର ରହିଛି। Post navigation ଦିଲ୍ଲୀର ଜନ୍ତର ମନ୍ତରରେ ଶୁଭିଲା ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦିଅ ସ୍ୱର