ଭୁବନେଶ୍ୱର, ୩ ଜୁଲାଇ: ରାଜ୍ୟରେ ଲଗାଣ ବର୍ଷା, ସହରାଞ୍ଚଳରେ ଜଳବନ୍ଦୀ, ସୁନାମି ଓ ଭୂସ୍ଖଳନ ଭଳି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଦୀର୍ଘମିଆଦି ରଣନୀତି ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି। ଏନେଇ ଲୋକସେବା ଭବନରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ବିଭିନ୍ନ ପଦକ୍ଷେପ ଉପରେ ସମୀକ୍ଷା କରାଯାଇଛି। ବୈଠକରେ ସହରାଞ୍ଚଳରେ ଲଗାଣ ବର୍ଷା ପରେ ସୃଷ୍ଟି ହେଉଥିବା ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ଅର୍ଥ ସହାୟତା ଯୋଗାଇବା ନେଇ ଆଲୋଚନା ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ୧୦ଟି ସହରକୁ ଚିହ୍ନଟ କରି ବର୍ଷାଜଳ ନିଷ୍କାସନ ବ୍ୟବସ୍ଥାର ଉନ୍ନତି ପାଇଁ ପଦକ୍ଷେପ ନିଆଯିବ। ଭୁବନେଶ୍ୱର ମହାନଗର ନିଗମ ଓ ଆଇଆଇଟି ରୁର୍କୀ ମଧ୍ୟରେ ହୋଇଥିବା ସହଯୋଗ ଚୁକ୍ତି ଆଧାରରେ ପ୍ରସ୍ତୁତ ପ୍ରକଳ୍ପ ରିପୋର୍ଟ ମଧ୍ୟ ବୈଠକରେ ସମୀକ୍ଷା କରାଯାଇଥିଲା। ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ ଯେ, କେବଳ ଜରୁରୀକାଳୀନ ବ୍ୟବସ୍ଥା ନୁହେଁ, ବରଂ ଦୀର୍ଘସ୍ଥାୟୀ ଭିତ୍ତିଭୂମି ବିକାଶ ମାଧ୍ୟମରେ ସହରାଞ୍ଚଳରେ ଜଳ ନିଷ୍କାସନ ବ୍ୟବସ୍ଥାକୁ ଅଧିକ କାର୍ଯ୍ୟକ୍ଷମ କରିବା ଆବଶ୍ୟକ। ୨୬ ଗ୍ରାମକୁ ମିଳିଛି ସୁନାମି-ପ୍ରସ୍ତୁତ ସ୍ୱୀକୃତି ବୈଠକରେ ସୁନାମି ପ୍ରସ୍ତୁତି ସମ୍ପର୍କରେ ମଧ୍ୟ ବିସ୍ତୃତ ସମୀକ୍ଷା ହୋଇଥିଲା। ସୂଚନା ଅନୁଯାୟୀ, ରାଜ୍ୟର ୩୮୧ଟି ଉପକୂଳବର୍ତ୍ତୀ ଗ୍ରାମରେ ସୁନାମି ପ୍ରସ୍ତୁତି କାର୍ଯ୍ୟକ୍ରମ ଚାଲିଥିବାବେଳେ ସେଥିମଧ୍ୟରୁ ୨୬ଟି ଗ୍ରାମକୁ IOC-UNESCOର ‘ସୁନାମି-ରେଡି’ କାର୍ଯ୍ୟକ୍ରମ ଅଧୀନରେ ଆନ୍ତର୍ଜାତୀୟ ସ୍ୱୀକୃତି ମିଳିଛି। ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (OSDMA) ଏବଂ ହାଇଦ୍ରାବାଦସ୍ଥିତ INCOIS ମଧ୍ୟରେ ପୂର୍ବ ସତର୍କ ସୂଚନା ବ୍ୟବସ୍ଥାକୁ ଆହୁରି ଆଧୁନିକ କରିବା ପାଇଁ ସହଯୋଗ ଜାରି ରହିଛି। ଆଗାମୀ ଦିନରେ ତ୍ୱରିତ ସତର୍କ ସୂଚନା ବ୍ୟବସ୍ଥାକୁ ଆହୁରି ଶକ୍ତିଶାଳୀ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଭୂସ୍ଖଳନ ପରିଚାଳନା ପାଇଁ ନୂଆ ପଦକ୍ଷେପ ଗଜପତି ଜିଲ୍ଲାର ନିକଟ ଅତୀତର ଭୂସ୍ଖଳନ ଘଟଣାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଭୂସ୍ଖଳନ ପ୍ରବଣ ଅଞ୍ଚଳଗୁଡ଼ିକର ସର୍ଭେ କାର୍ଯ୍ୟ ଜାରି ରଖିଛନ୍ତି। ଏଥିସହ ଉତ୍ତର-ପୂର୍ବ ରାଜ୍ୟମାନଙ୍କର ଅନୁଭୂତିକୁ ଆଧାର କରି ଓଡ଼ିଶାରେ ମଧ୍ୟ ଏକ ସ୍ୱତନ୍ତ୍ର ଭୂସ୍ଖଳନ ପରିଚାଳନା ବ୍ୟବସ୍ଥା ଗଢ଼ି ତୋଳିବା ପାଇଁ ପ୍ରସ୍ତୁତି ଚାଲିଛି। ଏଥିପାଇଁ ଜାତୀୟ ଓ ଆନ୍ତର୍ଜାତୀୟ ବିଶେଷଜ୍ଞ ସଂସ୍ଥାଙ୍କ ସହ ପରାମର୍ଶ ଜାରି ରହିଛି। ଉପକୂଳ ସୁରକ୍ଷା ଓ ବାତ୍ୟା-ପ୍ରତିରୋଧୀ ଘର ଉପରେ ଗୁରୁତ୍ୱ ବୈଠକରେ ଉପକୂଳ ଜିଲ୍ଲାଗୁଡ଼ିକରେ ସମୁଦ୍ର କୂଳ କ୍ଷୟ ସମସ୍ୟା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଭବିଷ୍ୟତରେ ଏହାର ପ୍ରଭାବ କମାଇବା ପାଇଁ ପ୍ରତିରୋଧମୂଳକ ପଦକ୍ଷେପ ନେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ସେହିପରି ବାତ୍ୟାପ୍ରବଣ ଅଞ୍ଚଳରେ ସରକାରୀ ଆବାସ ଯୋଜନାରେ ନିର୍ମାଣ ହେଉଥିବା ଘରଗୁଡ଼ିକୁ ବିପର୍ଯ୍ୟୟ-ପ୍ରତିରୋଧୀ ମାନଦଣ୍ଡ ଅନୁଯାୟୀ ନିର୍ମାଣ କରିବାକୁ ପରାମର୍ଶ ଦିଆଯାଇଛି। ଏହି ସମୀକ୍ଷା ବୈଠକରେ ସ୍ୱତନ୍ତ୍ର ସହାୟତା ଆୟୁକ୍ତ, ପୌର ପ୍ରଶାସନ ବିଭାଗ, ଭୁବନେଶ୍ୱର ମହାନଗର ନିଗମ, ଓଏସଡିଏମଏର ବରିଷ୍ଠ ଅଧିକାରୀଙ୍କ ସହ ଆଇଆଇଟି ରୁର୍କୀ ଏବଂ ଇନକୋଇସ୍ର ବିଶେଷଜ୍ଞମାନେ ଭର୍ଚୁଆଲ୍ ମାଧ୍ୟମରେ ଯୋଗଦେଇ ନିଜ ମତାମତ ରଖିଥିଲେ। Post navigation ଓଡ଼ିଶାରେ ଭୋଟର ତାଲିକା ସଂଶୋଧନ ପାଇଁ ୧୦ ଆଇଏଏସ୍ ଅଧିକାରୀ ପର୍ଯ୍ୟବେକ୍ଷକ, ଜୁଲାଇ ୫ରେ ଆସିବ ଚିଠା ତାଲିକା ଡାକ୍ତର ଆନ୍ଦୋଳନ ପ୍ରସଙ୍ଗ: ସରକାରଙ୍କୁ ତୁରନ୍ତ ସମାଧାନ ପାଇଁ ବିଜେଡିର ଦାବି