10 IAS officers to supervise voter list revision in Odisha, list to be released on July 510 IAS officers to supervise voter list revision in Odisha, list to be released on July 5

ଭୁବନେଶ୍ୱର, ୩ ଜୁଲାଇ: ଓଡ଼ିଶାରେ ୨୦୨୬ ମସିହାର ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନକୁ ସ୍ୱଚ୍ଛ ଓ ସୁଚାରୁ ଭାବେ ସମ୍ପନ୍ନ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ ୧୦ ଜଣ ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କୁ ‘ଇଲେକ୍ଟୋରାଲ୍ ରୋଲ୍ ଅବଜର୍ଭର’ ଭାବେ ନିଯୁକ୍ତ କରିଛନ୍ତି। ଏହି ସଂଶୋଧନ ପାଇଁ ୧ ଜୁଲାଇ ୨୦୨୬କୁ ଯୋଗ୍ୟତା ତାରିଖ ଭାବେ ଧାର୍ଯ୍ୟ କରାଯାଇଛି।

ରାଜ୍ୟ ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ଜାରି ନିର୍ଦ୍ଦେଶ ଅନୁସାରେ ପ୍ରତ୍ୟେକ ପର୍ଯ୍ୟବେକ୍ଷକଙ୍କୁ ନିର୍ଦ୍ଦିଷ୍ଟ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି। ସଂଶୋଧନ ପ୍ରକ୍ରିୟା ଚାଲିଥିବା ସମୟରେ ସେମାନେ ଅତି କମରେ ତିନିଥର ନିଜ ଦାୟିତ୍ୱପ୍ରାପ୍ତ ଜିଲ୍ଲା ଗସ୍ତ କରି କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବେ।

କେବଳ ଜିଲ୍ଲା ମୁଖ୍ୟାଳୟରେ ସୀମିତ ନ ରହି ପର୍ଯ୍ୟବେକ୍ଷକମାନେ ବିଭିନ୍ନ ବିଧାନସଭା ଅଞ୍ଚଳର ମତଦାନ କେନ୍ଦ୍ରକୁ ଯାଇ ସ୍ଥିତି ଅନୁଧ୍ୟାନ କରିବେ। ଗସ୍ତ ସମୟରେ ସାଂସଦ, ବିଧାୟକ, ରାଜନୈତିକ ଦଳର ପ୍ରତିନିଧି ଓ ସମ୍ପୃକ୍ତ ଅଧିକାରୀଙ୍କ ସହ ବୈଠକ କରି ଭୋଟର ତାଲିକା ସଂଶୋଧନ ସମ୍ବନ୍ଧୀୟ ମତାମତ ଓ ଅଭିଯୋଗ ଗ୍ରହଣ କରିବେ। ସାଧାରଣ ନାଗରିକଙ୍କ ପାଇଁ ମଧ୍ୟ ପର୍ଯ୍ୟବେକ୍ଷକଙ୍କ ସହ ସିଧାସଳଖ ଯୋଗାଯୋଗର ସୁବିଧା ରହିବ। ସେମାନଙ୍କ ଗସ୍ତ ସୂଚୀ ଓ ଯୋଗାଯୋଗ ନମ୍ବର ସମ୍ପୃକ୍ତ ଜିଲ୍ଲାରେ ସାର୍ବଜନୀନ କରାଯିବ।

ଭୋଟର ନାମ ବାଦ୍ କିମ୍ବା ନୂଆ ନାମ ସଂଯୋଗର ହାର ଯଦି ନିର୍ଦ୍ଦିଷ୍ଟ ସୀମାଠାରୁ ଅଧିକ ରହିବ, ସେପରି ମାମଲାରେ ପର୍ଯ୍ୟବେକ୍ଷକମାନେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ରିପୋର୍ଟ ଓ କାରଣକୁ ସ୍ୱତନ୍ତ୍ର ଭାବେ ଯାଞ୍ଚ କରିବେ। କ୍ଷେତ୍ର ପରିଦର୍ଶନ ପରେ ସେମାନେ ବିସ୍ତୃତ ରିପୋର୍ଟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦାଖଲ କରିବେ, ଯାହାଦ୍ୱାରା କୌଣସି ଯୋଗ୍ୟ ମତଦାତା ବାଦ୍ ନ ପଡ଼ନ୍ତୁ ଏବଂ ଅଯୋଗ୍ୟ ବ୍ୟକ୍ତି ତାଲିକାରେ ସାମିଲ ନ ହୁଅନ୍ତୁ।

ଜୁଲାଇ ୫ରେ ଚିଠା ଭୋଟର ତାଲିକା

ଭୋଟର ସୂଚନା ସଂଗ୍ରହ କାର୍ଯ୍ୟ ଶେଷ ହେବା ପରେ ଆସନ୍ତା ୫ ଜୁଲାଇରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବ। ଏହା ପ୍ରକାଶ ପରେ ୫ ଜୁଲାଇରୁ ୪ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଆପତ୍ତି କିମ୍ବା ଦାବି ଦାଖଲ କରିହେବ।

ଚିଠା ତାଲିକାରେ ତ୍ରୁଟି ଥିଲେ ନୂଆ ନାମ ସଂଯୋଗ ପାଇଁ ଫର୍ମ-୬, ନାମ ବାଦ୍ ପାଇଁ ଫର୍ମ-୭ ଏବଂ ନାମ, ଠିକଣା କିମ୍ବା ଅନ୍ୟାନ୍ୟ ବିବରଣୀ ସଂଶୋଧନ ପାଇଁ ଫର୍ମ-୮ ମାଧ୍ୟମରେ ଆବେଦନ କରାଯାଇପାରିବ।

ଜିଲ୍ଲାଭିତ୍ତିକ ପର୍ଯ୍ୟବେକ୍ଷକ

  • ରାଜେଶ ପ୍ରଭାକର ପାଟିଲ – ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର
  • ଅରବିନ୍ଦ ଅଗ୍ରୱାଲ – ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ
  • ବଳବନ୍ତ ସିଂହ – କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା
  • ବି. ପରମେଶ୍ୱରନ – ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ
  • ଡ. ବିଜୟ କେତନ ଉପାଧ୍ୟାୟ – ଦେବଗଡ଼, ସମ୍ବଲପୁର, ବରଗଡ଼
  • ଡି. ପ୍ରସନ୍ନ କୁମାର ରେଡ୍ଡୀ – ଗଞ୍ଜାମ, ଗଜପତି, ରାୟଗଡ଼ା
  • ସୁଧାଂଶୁ ମୋହନ ସାମଲ – କଟକ, ଢେଙ୍କାନାଳ, ଅନୁଗୋଳ
  • ରଶ୍ମିତା ପଣ୍ଡା – ପୁରୀ, ଖୋର୍ଦ୍ଧା, ନୟାଗଡ଼ ଓ ଭୁବନେଶ୍ୱର
  • ମହମ୍ମଦ ସାଦିକ ଆଲମ – ନବରଙ୍ଗପୁର, କୋରାପୁଟ, ମାଲକାନଗିରି
  • ସଂଗ୍ରାମ କେଶରୀ ମହାପାତ୍ର – କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା

Leave a Reply

Your email address will not be published. Required fields are marked *