ଭୁବନେଶ୍ୱର: ରାଜ୍ୟର କୃଷି କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ସହ କୃଷକମାନଙ୍କୁ ଉନ୍ନତ ସେବା ଓ ସୁବିଧା ପହଞ୍ଚାଇବା ଉଦ୍ଦେଶ୍ୟରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଚାରିଟି ପ୍ରମୁଖ ନିଗମ ସହ ବୁଝାମଣା ପତ୍ର (MoU) ସ୍ୱାକ୍ଷର କରିଛି। ଏଥିରେ ଓଡ଼ିଶା କୃଷି ଶିଳ୍ପ ନିଗମ (OAIC), ଓଡ଼ିଶା କୃଷି ପ୍ରୋତ୍ସାହନ ଏବଂ ପୁଞ୍ଜିଲଗାଣ ନିଗମ (APICOL), ଓଡ଼ିଶା ରାଜ୍ୟ ବିହନ ନିଗମ (OSSC) ଏବଂ ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମ (OSCDCL) ସାମିଲ ଅଛନ୍ତି। ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି, କୃଷକ ସଶକ୍ତିକରଣ ଓ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଉପସ୍ଥିତିରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ସେ ନିଗମଗୁଡ଼ିକୁ ବିଭାଗ ସହ ସମନ୍ୱୟ ରଖି କୃଷକମାନଙ୍କ ସ୍ୱାର୍ଥରେ ଅଧିକ ଫଳପ୍ରଦ ଭାବେ କାମ କରିବାକୁ ଆହ୍ୱାନ କରିଥିଲେ। କାର୍ଯ୍ୟକ୍ରମରେ କୃଷି ବିଭାଗର କମିଶନର-ତଥା-ଶାସନ ସଚିବ ସଚିନ ରାମଚନ୍ଦ୍ର ଜାଧବ ମଧ୍ୟ ଉପସ୍ଥିତ ଥିଲେ। OAIC ପାଇଁ ୧,୨୦୦ କୋଟି ଟଙ୍କାର ଟର୍ଣ୍ଣଓଭର ଲକ୍ଷ୍ୟ ଓଡ଼ିଶା କୃଷି ଶିଳ୍ପ ନିଗମ (OAIC) ଚଳିତ ଆର୍ଥିକ ବର୍ଷରେ ୫୪ ହଜାର ଟନ୍ ସାର ବିତରଣ, ୮,୪୦୦ଟି ଟ୍ରାକ୍ଟର ଏବଂ ୧,୨୦୦ଟି ପାୱାର୍ ଟିଲର୍ ଯୋଗାଣ ସହ ବିଭିନ୍ନ କୃଷି ଯନ୍ତ୍ରପାତି ଉପଲବ୍ଧ କରାଇବାର ଲକ୍ଷ୍ୟ ରଖିଛି। ‘ଜଳନିଧି’ ଯୋଜନା ଅଧୀନରେ ୬,୨୪୦ଟି ବିଦ୍ୟୁତଚାଳିତ ଉଠା ଜଳସେଚନ ପଏଣ୍ଟ ଏବଂ ୧,୨୦୦ଟି ସାଲୋ ଟ୍ୟୁବୱେଲ୍ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ଏହାଛଡ଼ା ପ୍ରାୟ ୨୪ କୋଟି ଟଙ୍କାର ଉଦ୍ୟାନ କୃଷି ସାମଗ୍ରୀ ବିକ୍ରି ସହ ମୋଟ ୧,୨୦୦ କୋଟି ଟଙ୍କାର ବ୍ୟବସାୟିକ ଟର୍ଣ୍ଣଓଭର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହି ସମୟରେ ଆଧୁନିକ ପ୍ରଯୁକ୍ତିର ବ୍ୟବହାର ବଢ଼ାଇବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। APICOL ମାଧ୍ୟମରେ ବଢ଼ିବ କୃଷି ଉଦ୍ୟୋଗ ଓଡ଼ିଶା କୃଷି ପ୍ରୋତ୍ସାହନ ଏବଂ ପୁଞ୍ଜିଲଗାଣ ନିଗମ (APICOL) ୨୦୨୬-୨୭ ମଧ୍ୟରେ ୧,୬୫୯ଟି କୃଷିଭିତ୍ତିକ ବାଣିଜ୍ୟିକ ପ୍ରତିଷ୍ଠାନ ସ୍ଥାପନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଏହା ପାଇଁ ୩୩୦ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ସହାୟତା ଦିଆଯିବ। ଏଥିରୁ ୩୦୦ କୋଟି ଟଙ୍କା ‘ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା’ ପାଇଁ ଏବଂ ୩୦ କୋଟି ଟଙ୍କା ଶୀତଳ ଭଣ୍ଡାର ବିକାଶ ପାଇଁ ବ୍ୟୟ କରାଯିବ। ଜିଲ୍ଲା ସ୍ତରରୁ ଅଧିକ ପ୍ରକଳ୍ପ ପ୍ରସ୍ତାବ ଆଣିବାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। କାଜୁ ଚାଷରେ ନୂଆ ପଦକ୍ଷେପ ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମ (OSCDCL) ୫୦୦ ହେକ୍ଟର ଜମିରେ ଉନ୍ନତମାନର ହାଇବ୍ରିଡ୍ କାଜୁ ଗଛର ପୁନଃରୋପଣ କରିବାକୁ ଯୋଜନା କରିଛି। ଏହା ସହିତ ପୂର୍ବରୁ ବିକଶିତ ୭୬୧.୨୨ ହେକ୍ଟର କାଜୁ ବଗିଚାର ତୃତୀୟ ଓ ଚତୁର୍ଥ ବର୍ଷର ରକ୍ଷଣାବେକ୍ଷଣ କାର୍ଯ୍ୟ ଜାରି ରହିବ। କାଜୁର ବ୍ରାଣ୍ଡିଂ ଓ ବଜାର ବିସ୍ତାର ଉପରେ ନିଗମକୁ ଅଧିକ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଛି। OSSC ମାଧ୍ୟମରେ ସୁଦୃଢ଼ ହେବ ବିହନ ବ୍ୟବସ୍ଥା ଓଡ଼ିଶା ରାଜ୍ୟ ବିହନ ନିଗମ (OSSC) ରାଜ୍ୟରେ ଉନ୍ନତମାନର ଏବଂ ଜଳବାୟୁ ସହନଶୀଳ ବିହନ ଉତ୍ପାଦନ ଓ ଯୋଗାଣକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେବ। ଏହା ସହିତ ବିହନ ଚାଷୀ ଓ ସରକାରୀ ଅଧିକାରୀଙ୍କ ପାଇଁ ମିଳିତ ପ୍ରଶିକ୍ଷଣ ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ସ୍ୱଳ୍ପ ଅବଧିର ଫସଲ ବିହନ ଉତ୍ପାଦନକୁ ମଧ୍ୟ ପ୍ରାଥମିକତା ଦିଆଯିବ। କୃଷକଙ୍କ ଆୟ ବୃଦ୍ଧି ଉପରେ ସରକାରଙ୍କ ଫୋକସ୍ ଏହି ବୁଝାମଣା ପତ୍ର ମାଧ୍ୟମରେ କୃଷି ଯାନ୍ତ୍ରିକୀକରଣ, ବିହନ ଉତ୍ପାଦନ, କୃଷି ଉଦ୍ୟୋଗ, କାଜୁ ଚାଷ ଓ ଜଳସେଚନ କ୍ଷେତ୍ରରେ ଉନ୍ନତିକୁ ତ୍ୱରାନ୍ୱିତ କରିବା ସହ କୃଷକଙ୍କ ଆୟ ବୃଦ୍ଧି ଓ କୃଷିଭିତ୍ତିକ ରୋଜଗାର ସୃଷ୍ଟି ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି। Post navigation ଲଘୁଚାପ ପ୍ରଭାବ: ଜୁଲାଇ ୮ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା, ୯ ଜିଲ୍ଲା ପାଇଁ ରେଡ୍ ଆଲର୍ଟ ବାରିପଦାରେ ୬୧ ହିତାଧିକାରୀଙ୍କୁ ଘର ନିର୍ମାଣ କାର୍ଯ୍ୟାଦେଶ, ପ୍ରତ୍ୟେକ ଯୋଗ୍ୟ ପରିବାରକୁ ପକାଘର ଲକ୍ଷ୍ୟ