ସହରାଞ୍ଚଳର ପ୍ରତ୍ୟେକ ଯୋଗ୍ୟ ପରିବାରକୁ ଏକ ସୁରକ୍ଷିତ ଓ ସ୍ଥାୟୀ ପକାଘର ଯୋଗାଇବା ଲକ୍ଷ୍ୟରେ ରାଜ୍ୟ ସରକାର ଗୃହ ଯୋଜନାକୁ ଅଧିକ ଗତିଶୀଳ କରିଛନ୍ତି। ଏହାର ଅଂଶ ସ୍ୱରୂପ ବାରିପଦା ପୌରପାଳିକା ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ)–PMAY-U 2.0 ଅଧୀନରେ ୬୧ ଜଣ ହିତାଧିକାରୀଙ୍କୁ ଘର ନିର୍ମାଣ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟାଦେଶ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ହସ୍ତରେ ବଣ୍ଟନ କରାଯାଇଥିଲା। ଏହି ଅବସରରେ ସେ କହିଥିଲେ ଯେ, ସହରାଞ୍ଚଳର ଗରିବ ଏବଂ ମଧ୍ୟବିତ୍ତ ପରିବାରଙ୍କୁ ନିରାପଦ ବାସସ୍ଥାନ ଯୋଗାଇବା ସରକାରଙ୍କ ପ୍ରମୁଖ ଅଗ୍ରାଧିକାର ମଧ୍ୟରୁ ଅନ୍ୟତମ। ପ୍ରତ୍ୟେକ ଯୋଗ୍ୟ ପରିବାର ନିଜସ୍ୱ ପକାଘର ପାଇବା ଦିଗରେ ସରକାର କାର୍ଯ୍ୟ କରୁଛନ୍ତି ବୋଲି ସେ କହିଥିଲେ। ମନ୍ତ୍ରୀ ୬୧ ଜଣ ଲାଭାର୍ଥୀଙ୍କୁ ଶୁଭେଚ୍ଛା ଜଣାଇ କହିଥିଲେ ଯେ, ନୂଆ ଘର ସେମାନଙ୍କ ଜୀବନରେ ସୁରକ୍ଷା, ସମ୍ମାନ ଓ ଉନ୍ନତ ଜୀବନମାନର ନୂଆ ଅଧ୍ୟାୟ ଆଣିବ। ସେ ଆହୁରି କହିଥିଲେ ଯେ, ସରକାରୀ ଯୋଜନାର ସୁବିଧା ସ୍ୱଚ୍ଛ ଓ ଦକ୍ଷତାର ସହିତ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ପାଇଁ PMAY-U 2.0 ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହୋଇଉଠିଛି। ଏହି ଯୋଜନା ମାଧ୍ୟମରେ ସହରାଞ୍ଚଳରେ ସମାବେଶୀ ବିକାଶ, ଆବାସ ସୁରକ୍ଷା ଓ ସାମାଜିକ-ଅର୍ଥନୈତିକ ସଶକ୍ତିକରଣକୁ ଆହୁରି ମଜବୁତ କରିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। କାର୍ଯ୍ୟକ୍ରମରେ ବାରିପଦା ପୌରପାଳିକାର ଅଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି, ଉପାଧ୍ୟକ୍ଷା ସୀମାରାଣୀ ଦାସ, ନିର୍ବାହୀ ଅଧିକାରୀ ଦେବୀପ୍ରସାଦ ରାଉତ, ପୌରପ୍ରତିନିଧି, ବରିଷ୍ଠ ଅଧିକାରୀ, ସ୍ଥାନୀୟ ଜନପ୍ରତିନିଧି ଓ ଲାଭାର୍ଥୀଙ୍କ ପରିବାର ସଦସ୍ୟମାନେ ଉପସ୍ଥିତ ଥିଲେ। PMAY-U 2.0 ଅଧୀନରେ ଏଭଳି କାର୍ଯ୍ୟାଦେଶ ବଣ୍ଟନ ରାଜ୍ୟର ସହରାଞ୍ଚଳରେ ‘ସମସ୍ତଙ୍କ ପାଇଁ ପକାଘର’ ଲକ୍ଷ୍ୟ ପୂରଣ ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମନେ କରାଯାଉଛି। Post navigation କୃଷି ବିଭାଗର ୨୦୨୬-୨୭ ପାଇଁ ୪ ନିଗମ ସହ MoU ସ୍ୱାକ୍ଷର, କୃଷି ବିକାଶକୁ ମିଳିବ ନୂଆ ଗତି କଟକରେ ମହିଳା IICଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଖୋଜୁଛି ପୋଲିସ