Rs 110 crore aid package for flood victims; emphasis on relief and rehabilitationRs 110 crore aid package for flood victims; emphasis on relief and rehabilitation

ଭୁବନେଶ୍ୱର, ୩ ଅଗଷ୍ଟ: ଚଳିତ ବନ୍ୟାରେ ପ୍ରଭାବିତ ପରିବାରଙ୍କୁ ତୁରନ୍ତ ସହାୟତା ଯୋଗାଇବା ଲକ୍ଷ୍ୟରେ ରାଜ୍ୟ ସରକାର ପ୍ରାରମ୍ଭିକ ପର୍ଯ୍ୟାୟରେ ୧୧୦ କୋଟି ଟଙ୍କାର ସହାୟତା ପ୍ୟାକେଜ୍ ଘୋଷଣା କରିଛନ୍ତି। ବନ୍ୟା ପରିସ୍ଥିତିର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଭାବିତ ଲୋକଙ୍କୁ ପ୍ରାଥମିକ ଆକଳନ ଆଧାରରେ ତୁରନ୍ତ ସହାୟତା ପ୍ରଦାନ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବନ୍ୟା ଅଞ୍ଚଳରେ ରିଲିଫ୍, ଉଦ୍ଧାର ଓ ପୁନର୍ବାସ କାର୍ଯ୍ୟକୁ ସର୍ବାଧିକ ପ୍ରାଥମିକତା ଦିଆଯାଇଛି। ସେ ଆକାଶମାର୍ଗରୁ ପ୍ରଭାବିତ ଅଞ୍ଚଳର ସମୀକ୍ଷା କରିବା ସହ ବିଭିନ୍ନ ଜିଲ୍ଲାରେ ମନ୍ତ୍ରୀମାନଙ୍କୁ ରିଲିଫ୍ କାର୍ଯ୍ୟ ତଦାରଖର ଦାୟିତ୍ୱ ଦେଇଛନ୍ତି। ଏହାପୂର୍ବରୁ ଜରୁରୀ ରିଲିଫ୍ କାର୍ଯ୍ୟ ପାଇଁ ୨୬ କୋଟି ଟଙ୍କା ଅଗ୍ରୀମ ସହାୟତା ମଧ୍ୟ ଜିଲ୍ଲାଗୁଡ଼ିକୁ ଯୋଗାଇ ଦିଆଯାଇଥିଲା।

ଘର, ଫସଲ ଓ ପ୍ରାଣିଧନ କ୍ଷତି ପାଇଁ ସହାୟତା

ଘରବାଡ଼ି କ୍ଷତିଗ୍ରସ୍ତ ପରିବାରମାନଙ୍କୁ ବିପର୍ଯ୍ୟୟ ସହାୟତା ନିୟମ ଅନୁଯାୟୀ ଆର୍ଥିକ ସହାୟତା ମିଳିବ। ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ଘର ପାଇଁ ୧.୨୦ ଲକ୍ଷ ଟଙ୍କା, ଆଂଶିକ କ୍ଷତିଗ୍ରସ୍ତ ପକ୍କା ଘର ପାଇଁ ୬,୫୦୦ ଟଙ୍କା, କଚ୍ଚା ଘର ପାଇଁ ୪,୦୦୦ ଟଙ୍କା, କୁଡ଼ିଆ ଘର ପାଇଁ ୮,୦୦୦ ଟଙ୍କା ଏବଂ ଗୁହାଳ ଘର ପାଇଁ ୩,୦୦୦ ଟଙ୍କା ପ୍ରଦାନ କରାଯିବ।

କୃଷକମାନଙ୍କ ପାଇଁ ଅଣଜଳସେଚିତ ଜମିରେ ହେକ୍ଟର ପିଛା ୮,୫୦୦ ଟଙ୍କା, ଜଳସେଚିତ ଜମିରେ ୧୭,୦୦୦ ଟଙ୍କା ଏବଂ ବାରମାସୀ ଫସଲ କ୍ଷତି ପାଇଁ ହେକ୍ଟର ପିଛା ୨୨,୫୦୦ ଟଙ୍କା ସହାୟତା ମିଳିବ।

ପଶୁପାଳକଙ୍କୁ ମଧ୍ୟ ଆର୍ଥିକ ସହାୟତା ମିଳିବ। ଦୁଧିଆଳୀ ଗାଈ ଓ ମଇଁଷି ପାଇଁ ୩୭,୫୦୦ ଟଙ୍କା, ଛେଳି ଓ ମେଣ୍ଢା ପାଇଁ ୪,୦୦୦ ଟଙ୍କା, ଭାରବାହୀ ପଶୁ ପାଇଁ ୩୨,୦୦୦ ଟଙ୍କା ଏବଂ ବାଛୁରୀ, ଗଧ ଓ ଖଚର ପାଇଁ ୨୦,୦୦୦ ଟଙ୍କା ପ୍ରଦାନ କରାଯିବ।

ମୃତକଙ୍କ ପରିବାରକୁ ଅନୁକମ୍ପାମୂଳକ ସହାୟତା

ବନ୍ୟାଜନିତ ଘଟଣାରେ ପ୍ରାଣ ହରାଇଥିବା ୬ ଜଣଙ୍କ ପରିବାରକୁ ନିୟମ ଅନୁଯାୟୀ ମୋଟ ୨୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବ।

୨୨ ଜିଲ୍ଲା ପ୍ରଭାବିତ, ଲକ୍ଷାଧିକ ଲୋକ ପ୍ରଭାବିତ

ପ୍ରାରମ୍ଭିକ ସୂଚନା ଅନୁଯାୟୀ ବନ୍ୟାରେ ୨୨ଟି ଜିଲ୍ଲାର ୮୫ଟି ବ୍ଲକ୍, ୧୫ଟି ସହରାଞ୍ଚଳ, ୬୫୬ଟି ଗ୍ରାମ ପଞ୍ଚାୟତ ଏବଂ ୧୪୫୮ଟି ଗ୍ରାମ ପ୍ରଭାବିତ ହୋଇଛି। ପ୍ରାୟ ୮.୬୩ ଲକ୍ଷ ଲୋକ ବନ୍ୟାର ପ୍ରଭାବରେ ଥିବାବେଳେ ୨.୬୭ ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ପ୍ରଭାବିତ ଅଞ୍ଚଳରେ ୫୨୯ଟି ରିଲିଫ୍ ଶିବିର୩୧ଟି ପଶୁ ଶିବିର କାର୍ଯ୍ୟକ୍ଷମ ରହିଛି। ଖାଦ୍ୟ, ପାନୀୟ ଜଳ, ସ୍ୱାସ୍ଥ୍ୟସେବା, ପଲିଥିନ୍ ସିଟ୍ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ବଣ୍ଟନ ଜାରି ରହିଛି। ପଶୁପାଳକଙ୍କ ପାଇଁ ୧୮୧୬ ମେଟ୍ରିକ୍ ଟନ୍ ଗୋଖାଦ୍ୟ ମଧ୍ୟ ଯୋଗାଇ ଦିଆଯାଇଛି।

ଉଦ୍ଧାର କାର୍ଯ୍ୟ ଜାରି

ବନ୍ୟା ପ୍ରଭାବିତ ଅଞ୍ଚଳରେ ୨୦ଟି ODRAF, ୭ଟି NDRF ଏବଂ ୧୭୨ଟି ଅଗ୍ନିଶମ ବାହିନୀ ଦଳ, ଅର୍ଥାତ୍ ସର୍ବମୋଟ ୧୯୯ଟି ଉଦ୍ଧାରକାରୀ ଦଳ ନିୟୋଜିତ ହୋଇ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି।

ପ୍ରାରମ୍ଭିକ ଆକଳନ ଅନୁଯାୟୀ ୩୫୬୭ଟି ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ୩୩,୪୫୮ ହେକ୍ଟରରୁ ଅଧିକ ଚାଷଜମି ପ୍ରଭାବିତ ହୋଇଛି। ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ରିଲିଫ୍, ଉଦ୍ଧାର ଓ ପୁନର୍ବାସ କାର୍ଯ୍ୟ ଏବେ ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି।

Leave a Reply

Your email address will not be published. Required fields are marked *