କଟକ, ୩ ଅଗଷ୍ଟ: ବାଆଁରାସ୍ଥିତ ଜଗଦ୍ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଶୁଭ ଉଦ୍ଘାଟନ ଅବସରରେ ଆୟୋଜିତ ସମାରୋହରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ବିଶ୍ୱବିଦ୍ୟାଳୟ କେବଳ ଏକ ନୂତନ ଶିକ୍ଷାନୁଷ୍ଠାନ ନୁହେଁ, ବରଂ ଓଡ଼ିଶାରେ ଉଚ୍ଚଶିକ୍ଷା, ଗବେଷଣା, କୌଶଳ ବିକାଶ ଓ ନୈତିକ ମୂଲ୍ୟବୋଧକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ସମାରୋହରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସ୍ୱାଗତ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ, ତାଙ୍କ ଉପସ୍ଥିତି ଓଡ଼ିଶାବାସୀଙ୍କୁ ନୂଆ ପ୍ରେରଣା ଓ ଉତ୍ସାହ ଯୋଗାଇଛି। ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁଯାୟୀ, ଜଗଦ୍ଗୁରୁ କୃପାଳୁଜୀ ମହାରାଜଙ୍କ ଆଦର୍ଶ ଓ ଭାରତୀୟ ସଂସ୍କୃତିର ମୂଲ୍ୟବୋଧକୁ ଆଧାର କରି ଗଢ଼ିଉଠିଥିବା ଏହି ବିଶ୍ୱବିଦ୍ୟାଳୟରେ ଆଧୁନିକ ବିଜ୍ଞାନ ସହ ଆଧ୍ୟାତ୍ମିକ ଓ ମାନବିକ ଶିକ୍ଷାର ସମନ୍ୱୟ ଦେଖିବାକୁ ମିଳିବ। ସେ କହିଥିଲେ, କୃତ୍ରିମ ବୁଦ୍ଧିମତ୍ତା (AI), ସାଇବର ସୁରକ୍ଷା, କମ୍ପ୍ୟୁଟର ବିଜ୍ଞାନ, ମ୍ୟାନେଜମେଣ୍ଟ ଓ ସ୍ୱାସ୍ଥ୍ୟ ବିଜ୍ଞାନ ଭଳି ଆଧୁନିକ ପାଠ୍ୟକ୍ରମ ସହ ମାଇଣ୍ଡ ମ୍ୟାନେଜମେଣ୍ଟ, ଯୋଗ ବିଜ୍ଞାନ ଓ ମାନବିକ ମୂଲ୍ୟବୋଧ ଉପରେ ମଧ୍ୟ ସମାନ ଗୁରୁତ୍ୱ ଦିଆଯିବ। ଏହା ଛାତ୍ରଛାତ୍ରୀଙ୍କ ଜ୍ଞାନ ସହିତ ଚରିତ୍ର ଗଠନରେ ମଧ୍ୟ ସହାୟକ ହେବ। ଏହାଛଡ଼ା ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ୱାସ୍ଥ୍ୟ ସେବା, ଯୋଗ ଓ ପ୍ରାକୃତିକ ଚିକିତ୍ସା, ଗ୍ରାମୀଣ ଯୁବକ-ଯୁବତୀ ଏବଂ ମହିଳାଙ୍କ ପାଇଁ କୌଶଳ ବିକାଶ କାର୍ଯ୍ୟକ୍ରମ ମଧ୍ୟ ପରିଚାଳନା କରାଯିବ ବୋଲି ସେ ସୂଚନା ଦେଇଥିଲେ। ଯୁବପିଢ଼ିଙ୍କ ଦକ୍ଷତା ବିକାଶକୁ ସରକାର ସର୍ବାଧିକ ପ୍ରାଥମିକତା ଦେଉଥିବା ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଥିଲେ, ଶିଳ୍ପାୟନ ସହ ତାଳମେଳ ରଖି ଦକ୍ଷ ମାନବ ସମ୍ପଦ ସୃଷ୍ଟି ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। IT, ସେମିକଣ୍ଡକ୍ଟର, ଆପାରେଲ୍, କେମିକାଲ୍ ଓ ପେଟ୍ରୋକେମିକାଲ୍ ସମେତ ବିଭିନ୍ନ ଉନ୍ନତ କ୍ଷେତ୍ରରେ ବିନିଯୋଗ ବୃଦ୍ଧି ପାଉଥିବାରୁ କୌଶଳସମ୍ପନ୍ନ ଯୁବଶକ୍ତିର ଚାହିଦା ମଧ୍ୟ ବଢ଼ୁଛି। ସେ ଆହୁରି କହିଥିଲେ, ରାଜ୍ୟରେ କେଜିରୁ ପିଜି ପର୍ଯ୍ୟନ୍ତ ନିଶୁଳ୍କ ଶିକ୍ଷା ବ୍ୟବସ୍ଥା କାର୍ଯ୍ୟକରୀ କରାଯାଇଛି। ଏହା ସହ ଆଗାମୀ ଦିନରେ ଅଧିକ ବିଶ୍ୱବିଦ୍ୟାଳୟ ସ୍ଥାପନ, ITIଗୁଡ଼ିକର ଆଧୁନିକୀକରଣ ଓ ଶିଳ୍ପ ଆବଶ୍ୟକତା ଅନୁଯାୟୀ ସ୍କିଲ୍ ଟ୍ରେନିଂକୁ ବିସ୍ତାର କରାଯାଉଛି। ଜଗଦ୍ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ଜାତୀୟ ଶିକ୍ଷା ଲକ୍ଷ୍ୟ ପୂରଣରେ ଏକ ପ୍ରମୁଖ ଭୂମିକା ନେବ ବୋଲି ଆଶା ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ, ଏହି ଅନୁଷ୍ଠାନର ବିକାଶ ପାଇଁ ଓଡ଼ିଶା ସରକାର ସମସ୍ତ ପ୍ରକାର ସହଯୋଗ ଜାରି ରଖିବ। ସେ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ବିଶ୍ୱବିଦ୍ୟାଳୟର ସଫଳତା ଓ ଉତ୍ତରୋତ୍ତର ପ୍ରଗତି କାମନା କରିଥିଲେ। Post navigation ରାହୁଳ ଗାନ୍ଧୀଙ୍କୁ ସୋସିଆଲ ମିଡିଆରେ ହତ୍ୟା ଧମକ ପ୍ରସଙ୍ଗ: ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କଲା କଂଗ୍ରେସ ବନ୍ୟା ପୀଡ଼ିତଙ୍କ ପାଇଁ ୧୧୦ କୋଟି ଟଙ୍କାର ସହାୟତା ପ୍ୟାକେଜ୍; ରିଲିଫ୍ ଓ ପୁନର୍ବାସକୁ ଗୁରୁତ୍ୱ