Peak of success in skill development: Rashtrapati Bhavan Vesmati NaikPeak of success in skill development: Rashtrapati Bhavan Vesmati Naik

ଦକ୍ଷତା ବିକାଶକୁ ନିଜ ଜୀବନର ନୂଆ ଦିଗ ଭାବେ ବାଛି ଆଜି ସଫଳତାର ଶିଖର ଛୁଇଁଛନ୍ତି ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ ତିଲେଇମାଲ ଗ୍ରାମର ଭେଷମତୀ ନାଏକ। ଗ୍ରାମୀଣ ପରିବେଶରୁ ଆସି ନିଜ ଦକ୍ଷତା, ନିଷ୍ଠା ଓ କଠିନ ପରିଶ୍ରମ ବଳରେ ସେ ହାସଲ କରିଥିବା ସଫଳତା ଏବେ ଝାରସୁଗୁଡ଼ା ସମେତ ସମଗ୍ର ଓଡ଼ିଶା ପାଇଁ ଗର୍ବର ବିଷୟ ପାଲଟିଛି।

ଡିଡିୟୁ-ଜିକେୱାଇ ଅଧୀନରେ ପ୍ରଶିକ୍ଷଣ ନେଇ ସଫଳ କର୍ମଜୀବନ ଗଢ଼ିଥିବା ଭେଷମତୀଙ୍କୁ ସ୍ୱାଧୀନତା ଦିବସ ଅବସରରେ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନ କଲ୍ଚରାଲ୍ ସେଣ୍ଟରରେ ଆୟୋଜିତ ପ୍ରତିଷ୍ଠିତ ‘ଆଟ୍-ହୋମ୍’ ରିସେପସନ୍‌ରେ ଯୋଗଦେବା ପାଇଁ ଆମନ୍ତ୍ରଣ ମିଳିଛି। ଗ୍ରାମର ଜଣେ ସାଧାରଣ ଯୁବତୀରୁ ରାଷ୍ଟ୍ରପତି ଭବନର ଆମନ୍ତ୍ରିତ ଅତିଥି ହେବା ପର୍ଯ୍ୟନ୍ତ ତାଙ୍କର ଯାତ୍ରା ନିଶ୍ଚିତ ଭାବେ ପ୍ରେରଣାଦାୟକ।

୨୦୧୬ ମସିହାରେ ଭେଷମତୀ ଓରମାସ ମାଧ୍ୟମରେ ଡିଡିୟୁ-ଜିକେୱାଇ ଯୋଜନା ଅଧୀନରେ ହସ୍ପିଟାଲିଟି କ୍ଷେତ୍ରରେ ପ୍ରଶିକ୍ଷଣ ନେଇଥିଲେ। ଭୁବନେଶ୍ୱରସ୍ଥିତ ପିଆଇଏ ମଲ୍ଟି କେୟାର ସର୍ଭିସେସ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌ ମାଧ୍ୟମରେ ତାଙ୍କୁ ଏହି ପ୍ରଶିକ୍ଷଣ ଦିଆଯାଇଥିଲା।

ପାରିବାରିକ ଓ ଆର୍ଥିକ ସମସ୍ୟା ଯୋଗୁଁ ଉଚ୍ଚଶିକ୍ଷା ଜାରି ରଖିବା ସମ୍ଭବ ହୋଇନଥିଲା। ତେବେ ପରିସ୍ଥିତି ଆଗରେ ହାର ନମାନି ଭେଷମତୀ ଦକ୍ଷତା ବିକାଶକୁ ନିଜ ଜୀବନର ନୂଆ ସୁଯୋଗ ଭାବେ ବାଛି ନେଇଥିଲେ। ପ୍ରଶିକ୍ଷଣ ଶେଷ କରି ସେ ତାମିଲନାଡୁର ଊଟିରେ ମାସିକ ୬ ହଜାର ଟଙ୍କା ଦରମାରେ ନିଜ କର୍ମଜୀବନ ଆରମ୍ଭ କରିଥିଲେ।

ନିଷ୍ଠା, ଅଧ୍ୟବସାୟ ଓ ଦୀର୍ଘ ବର୍ଷର ଅଭିଜ୍ଞତା ତାଙ୍କୁ ସଫଳତାର ପରବର୍ତ୍ତୀ ସୋପାନକୁ ନେଇଛି। ପ୍ରାୟ ଏକ ଦଶନ୍ଧିର ଯାତ୍ରା ପରେ ବର୍ତ୍ତମାନ ସେ ସମ୍ବଲପୁରସ୍ଥିତ ଆଇଆଇଏମ୍‌ରେ କାର୍ଯ୍ୟରତ ଅଛନ୍ତି। ତାଙ୍କର ମାସିକ ଆୟ ପ୍ରାୟ ୩୫ ହଜାର ଟଙ୍କା। ନିଜ ରୋଜଗାରରେ ପରିବାରକୁ ସହଯୋଗ କରିବା ସହ ଆର୍ଥିକ ସ୍ୱାବଲମ୍ବନ ହାସଲ କରିଛନ୍ତି ଭେଷମତୀ।

ଭେଷମତୀଙ୍କ ଏହି ସଫଳତା କେବଳ ତାଙ୍କର ବ୍ୟକ୍ତିଗତ ଉପଲବ୍ଧି ନୁହେଁ। ଏହା ଗ୍ରାମୀଣ ଯୁବକ-ଯୁବତୀଙ୍କ ପାଇଁ ଦକ୍ଷତା ବିକାଶ କିପରି ନିଯୁକ୍ତି, ଆର୍ଥିକ ସ୍ୱାବଲମ୍ବନ ଓ ସମ୍ମାନଜନକ ଜୀବନର ଦ୍ୱାର ଖୋଲିପାରେ, ତାହାର ଏକ ଉଜ୍ଜ୍ୱଳ ଉଦାହରଣ। ଓଡ଼ିଶା ସରକାରଙ୍କ ସହଯୋଗରେ ଓରମାସ ମାଧ୍ୟମରେ କାର୍ଯ୍ୟକାରୀ ଡିଡିୟୁ-ଜିକେୱାଇ ଯୋଜନାର ସଫଳତାର ଏକ ପ୍ରେରଣାଦାୟୀ ଚିତ୍ର ଭାବେ ତାଙ୍କର ଯାତ୍ରାକୁ ଦେଖାଯାଉଛି।

ରାଷ୍ଟ୍ରପତି ଭବନର ‘ଆଟ୍-ହୋମ୍’ ରିସେପସନ୍‌କୁ ନିମନ୍ତ୍ରଣ ପାଇବା ପରେ ଅଗଷ୍ଟ ୧୪ ତାରିଖରେ ଭେଷମତୀ ନାଏକ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ୱାଣଙ୍କୁ ଭେଟିଥିଲେ। ଜିଲ୍ଲାପାଳ ତାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସହ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ଓରମାସର ଡେପୁଟୀ ସିଇଓ ଶ୍ରୀ ଯୁବରାଜ ସାହୁ ମଧ୍ୟ ଉପସ୍ଥିତ ଥିଲେ।

ଭେଷମତୀଙ୍କ ଏହି ଯାତ୍ରା ପ୍ରମାଣ କରିଛି ଯେ, ସୁଯୋଗ ମିଳିଲେ ଗ୍ରାମୀଣ ଯୁବପିଢ଼ି ମଧ୍ୟ ନିଜ ଦକ୍ଷତା ଓ ପରିଶ୍ରମ ବଳରେ ସଫଳତାର ନୂଆ ଇତିହାସ ରଚିପାରନ୍ତି। ଦକ୍ଷତା ବିକାଶରୁ ଆରମ୍ଭ ହୋଇଥିବା ତାଙ୍କର ଯାତ୍ରା ଆଜି ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ପହଞ୍ଚିଛି। ତାଙ୍କର ଏହି ସଫଳତା ଝାରସୁଗୁଡ଼ା ସମେତ ସମଗ୍ର ଓଡ଼ିଶା ପାଇଁ ଗର୍ବ ଓ ଗୌରବର ଏକ ଅନନ୍ୟ ଅଧ୍ୟାୟ ହୋଇଛି।

Leave a Reply

Your email address will not be published. Required fields are marked *