ଭୁବନେଶ୍ୱର, ୧୭ ଅଗଷ୍ଟ ୨୦୨୬: ଅନ୍ତର୍ଜାତୀୟ କ୍ରୀଡ଼ା ଆୟୋଜନ କ୍ଷେତ୍ରରେ ଓଡ଼ିଶା ଆଉ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି। ଆସନ୍ତା ୨୨ ଅଗଷ୍ଟରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁରର ସିଲଭର୍ ମିଟ୍ ଆୟୋଜିତ ହେବ। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ, ଆଥଲେଟିକ୍ସ ଫେଡେରେସନ୍ ଅଫ୍ ଇଣ୍ଡିଆ ଏବଂ ୱାର୍ଲ୍ଡ ଆଥଲେଟିକ୍ସର ମିଳିତ ସହଯୋଗରେ ଏହି ଆୟୋଜନ ହେଉଛି। ପୂର୍ବରୁ ବ୍ରୋଞ୍ଜ ସ୍ତରରେ ହେଉଥିବା ଏହି ପ୍ରତିଯୋଗିତା ଚଳିତବର୍ଷ ସିଲଭର୍ ବର୍ଗକୁ ଉନ୍ନୀତ ହୋଇଛି। ଏହା ଓଡ଼ିଶାରେ ବଡ଼ ଧରଣର ଆଥଲେଟିକ୍ସ ଇଭେଣ୍ଟ ଆୟୋଜନ କରିବାର କ୍ଷମତାକୁ ଆହୁରି ଦୃଢ଼ କରିବ। ଏଥିସହ ୨୦୨୮ରେ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ବିଶ୍ୱ ଓ ଏସୀୟ ଇନଡୋର ଆଥଲେଟିକ୍ସ ଚାମ୍ପିୟନସିପ୍ ପାଇଁ ମଧ୍ୟ ଏହାକୁ ଏକ ପ୍ରସ୍ତୁତିମୂଳକ ଆୟୋଜନ ଭାବେ ଗୁରୁତ୍ୱ ଦିଆଯାଉଛି। ସିଲଭର୍ ମିଟ୍ରେ ୨୭ଟି ଦେଶରୁ ୧୮୮ ଜଣ ଆଥଲେଟ୍ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ବିଦେଶୀ ଖେଳାଳିଙ୍କ ସହ ଭାରତୀୟ ଆଥଲେଟ୍ମାନେ ମଧ୍ୟ ବିଭିନ୍ନ ଇଭେଣ୍ଟରେ ନିଜ ଦକ୍ଷତା ଦେଖାଇବେ। ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା ଓ ବ୍ରାଜିଲ ସମେତ ଅନେକ ଦେଶର ପ୍ରତିଯୋଗୀ ଏହି ମିଟ୍ରେ ଭାଗ ନେଉଛନ୍ତି। ପୁରୁଷ ଓ ମହିଳା ବର୍ଗରେ ବିଭିନ୍ନ ଟ୍ରାକ୍ ଆଣ୍ଡ ଫିଲ୍ଡ ଇଭେଣ୍ଟ ହେବ। ଭଲ ପ୍ରଦର୍ଶନ କରୁଥିବା ଆଥଲେଟ୍ଙ୍କ ପାଇଁ ପୁରସ୍କାର ସହ ୱାର୍ଲ୍ଡ ର୍ୟାଙ୍କିଂ ପଏଣ୍ଟ ହାସଲ କରିବାର ସୁଯୋଗ ରହିବ। ଶ୍ରେଷ୍ଠ ତିନିଜଣଙ୍କୁ ଯଥାକ୍ରମେ ୧,୬୦୦, ୧,୨୦୦ ଓ ୯୦୦ ଆମେରିକୀୟ ଡଲାର ଦିଆଯିବ। ଏଥରର ମୁଖ୍ୟ ଆକର୍ଷଣ ହେବ ବିଶ୍ୱ ର୍ୟାଙ୍କିଂର ଟପ୍-୫୦ ମଧ୍ୟରେ ଥିବା ୩୬ ଜଣ ଆଥଲେଟ୍ଙ୍କ ଉପସ୍ଥିତି। ପ୍ୟାରିସ୍ ଅଲିମ୍ପିକ୍ସରେ ୪୦୦ ମିଟରରେ ବ୍ରୋଞ୍ଜ ପଦକ ଜିତିଥିବା ମୁଜାଲା ସାମୁକୋଙ୍ଗା ଏବଂ ନାଇଜେରିଆର ଚର୍ଚ୍ଚିତ ଶଟପୁଟ୍ ଆଥଲେଟ୍ ଚୁକୱେବୁକା ଏନେକୱେଚିଙ୍କ ପ୍ରଦର୍ଶନ ଉପରେ ମଧ୍ୟ ଦର୍ଶକଙ୍କ ନଜର ରହିବ। କ୍ରୀଡ଼ା ନିର୍ଦ୍ଦେଶକ ଡା. ୟେଦୁଲା ବିଜୟ କହିଛନ୍ତି ଯେ ଆଥଲେଟିକ୍ସକୁ ନେଇ ଛାତ୍ରଛାତ୍ରୀ, ଯୁବପିଢ଼ି ଓ ସାଧାରଣ ଲୋକଙ୍କ ଉତ୍ସାହ ବଢ଼ାଇବା ଲକ୍ଷ୍ୟରେ ଦର୍ଶକଙ୍କ ପାଇଁ ପ୍ରବେଶ ମାଗଣା ରହିବ। ଫଳରେ କ୍ରୀଡ଼ାପ୍ରେମୀମାନେ କଳିଙ୍ଗ ଷ୍ଟାଡିୟମରେ ସିଧାସଳଖ ବିଶ୍ୱସ୍ତରୀୟ ଆଥଲେଟ୍ଙ୍କ ପ୍ରଦର୍ଶନ ଦେଖିପାରିବେ। ୱାର୍ଲ୍ଡ ଆଥଲେଟିକ୍ସ ଉପସଭାପତି ଡା. ଆଦିଲେ ସୁମାରିୱାଲା ଓଡ଼ିଶା ସରକାରଙ୍କ ସହଯୋଗକୁ ପ୍ରଶଂସା କରିବା ସହ ଏହି ପ୍ରତିଯୋଗିତାରେ ଉଚ୍ଚସ୍ତରୀୟ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିବ ବୋଲି କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ କ୍ରୀଡ଼ା ଓ ଯୁବସେବା ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଅଶୋକ କୁମାର ପଣ୍ଡା ଏବଂ AFI କୋଷାଧ୍ୟକ୍ଷ ବି.ଇ. ଷ୍ଟାନଲି ଉପସ୍ଥିତ ଥିଲେ। ଭୁବନେଶ୍ୱରରେ ହେବାକୁ ଥିବା ଏହି ମିଟ୍ ରାଜ୍ୟର କ୍ରୀଡ଼ା ଭିତ୍ତିଭୂମି ଓ ଅନ୍ତର୍ଜାତୀୟ କ୍ରୀଡ଼ା ଆୟୋଜନର କ୍ଷମତାକୁ ଆଉ ଏକ ନୂଆ ପରିଚୟ ଦେବ ବୋଲି ଆଶା କରାଯାଉଛି। Post navigation ଦକ୍ଷତା ବିକାଶରୁ ସଫଳତାର ଶିଖର: ରାଷ୍ଟ୍ରପତି ଭବନରେ ଭେଷମତୀ ନାଏକ ବାରବାଟୀରେ ଜମିବ T20 ଲଢ଼େଇ, ସେପ୍ଟେମ୍ବର ୨୦ରୁ ଆରମ୍ଭ ‘CM Trophy 2026’