ପତ୍ନୀ ଓ ପିଲାଙ୍କୁ ସିଧା ବ୍ୟାଙ୍କ ଖାତାରେ ମିଳିବ ଟଙ୍କା; ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ ଭୁବନେଶ୍ୱର, ୨୯/୦୮/୨୦୨୬:ଅଦାଲତଙ୍କ ନିର୍ଦ୍ଦେଶ ସତ୍ତ୍ୱେ ପତ୍ନୀ କିମ୍ବା ସନ୍ତାନଙ୍କୁ ଭରଣପୋଷଣ ଖର୍ଚ୍ଚ ଦେଉନଥିବା ସରକାରୀ କର୍ମଚାରୀଙ୍କ ବିରୋଧରେ ଏବେ କଡ଼ା ପଦକ୍ଷେପ ନିଆଯିବ। ଏଭଳି କର୍ମଚାରୀଙ୍କ ଦରମାରୁ ଅଦାଲତ ନିର୍ଦ୍ଧାରଣ କରିଥିବା ରାଶି କାଟି ସିଧାସଳଖ ତାଙ୍କ ପତ୍ନୀ କିମ୍ବା ସନ୍ତାନଙ୍କ ବ୍ୟାଙ୍କ ଖାତାରେ ଜମା କରାଯିବ। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁସାରେ, କିଛି ସରକାରୀ କର୍ମଚାରୀ ଅଦାଲତଙ୍କ ଆଦେଶ ପରେ ମଧ୍ୟ ପତ୍ନୀ କିମ୍ବା ପିଲାଙ୍କୁ ନିୟମିତ ଭରଣପୋଷଣ ଦେଉନଥିବା ଅଭିଯୋଗ ସାମ୍ନାକୁ ଆସୁଛି। ଛାଡ଼ପତ୍ର ପରେ ଅଦାଲତ ଧାର୍ଯ୍ୟ କରିଥିବା ପୋଷଣ ଖର୍ଚ୍ଚ ବା ଆଲିମୋନି ମଧ୍ୟ ଅନେକ କ୍ଷେତ୍ରରେ ପ୍ରଦାନ କରାଯାଉନଥିବା ଅଭିଯୋଗ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ସମୟରେ ଏଭଳି ପ୍ରାୟ ୨ରୁ ୩ଟି ମାମଲା ନିୟମିତ ଭାବେ ଆସୁଥିବା ଜଣାପଡ଼ିଛି। ଏହାକୁ ଗୁରୁତ୍ୱର ସହ ନେଇ ଅଦାଲତଙ୍କ ନିର୍ଦ୍ଦେଶକୁ ଅବମାନନା କରୁଥିବା କର୍ମଚାରୀଙ୍କ ଦରମାରୁ ଟଙ୍କା କାଟିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଦରମାରୁ କଟିବ, ସିଧା ଖାତାକୁ ଯିବ ଟଙ୍କା ସରକାରଙ୍କ ନୂଆ ବ୍ୟବସ୍ଥା ଅନୁସାରେ, ଅଦାଲତଙ୍କ ଭରଣପୋଷଣ ସମ୍ପର୍କିତ ଆଦେଶ ମିଳିବା ପରେ ବିଭାଗୀୟ DDO ବା Drawing and Disbursement Officer ଏହାକୁ କାର୍ଯ୍ୟକାରୀ କରିବେ। ସରକାରୀ କର୍ମଚାରୀଙ୍କ ମାସିକ ଦରମା ବିଲ୍ ପ୍ରସ୍ତୁତ ହେବା ସମୟରେ ଅଦାଲତ ଧାର୍ଯ୍ୟ କରିଥିବା ଭରଣପୋଷଣ ରାଶି ଦରମାରୁ କାଟି ନିଆଯିବ। ପରେ ଏହି ଅର୍ଥ ସମ୍ପୃକ୍ତ ପତ୍ନୀ କିମ୍ବା ସନ୍ତାନଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ଇଲେକ୍ଟ୍ରୋନିକ୍ ମାଧ୍ୟମରେ ଜମା କରାଯିବ। ଫଳରେ ଅଦାଲତଙ୍କ ନିର୍ଦ୍ଦେଶ ପାଳନ କରିବାରେ କର୍ମଚାରୀଙ୍କ ଅବହେଳାର ସୁଯୋଗ ରହିବ ନାହିଁ। HRMSରେ ଯୋଡ଼ାଯିବ ବ୍ୟବସ୍ଥା ଏହି ପ୍ରକ୍ରିୟାକୁ ଆହୁରି ସରଳ ଓ ସ୍ୱୟଂଚାଳିତ କରିବା ପାଇଁ ଭରଣପୋଷଣ ସମ୍ପର୍କିତ ଅଦାଲତୀ ଆଦେଶକୁ ରାଜ୍ୟ ସରକାରଙ୍କ HRMS ବ୍ୟବସ୍ଥା ସହ ଯୋଡ଼ିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏହା ଲାଗୁ ହେଲେ ଅଦାଲତଙ୍କ ନିର୍ଦ୍ଦେଶର ଅନୁପାଳନ ଉପରେ ଅଧିକ ସୁଚାରୁ ଭାବେ ନଜର ରଖାଯାଇପାରିବ। ‘ସରକାରୀ କର୍ମଚାରୀ ହୋଇ ଅଦାଲତଙ୍କ ଆଦେଶ ଅବମାନନା ଗ୍ରହଣୀୟ ନୁହେଁ’ ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟ ହେଉଛି, ସରକାରୀ କର୍ମଚାରୀ ଭାବେ ଅଦାଲତଙ୍କ ନିର୍ଦ୍ଦେଶକୁ ଅବମାନନା କରିବା ଗ୍ରହଣୀୟ ନୁହେଁ। ଏହା ସହିତ ପତ୍ନୀ ଓ ସନ୍ତାନଙ୍କ ପ୍ରତି ଆଇନଗତ ଭାବେ ଧାର୍ଯ୍ୟ ହୋଇଥିବା ଭରଣପୋଷଣ ଦେବାରେ ଅବହେଳା କରିବାକୁ ମଧ୍ୟ ସରକାର ଗୁରୁତ୍ୱର ସହ ନେଉଛନ୍ତି। ନୂଆ ବ୍ୟବସ୍ଥା ଦ୍ୱାରା ଏକପଟେ ଅଦାଲତଙ୍କ ଆଦେଶର ଠିକ୍ ଭାବେ ଅନୁପାଳନ ହେବ, ଅନ୍ୟପଟେ ଭରଣପୋଷଣ ଉପରେ ନିର୍ଭରଶୀଳ ମହିଳା ଓ ସନ୍ତାନମାନେ ସମୟରେ ଆର୍ଥିକ ସହାୟତା ପାଇପାରିବେ। Post navigation ପାଠ୍ୟପୁସ୍ତକ ତୃଟି ନେଇ ସରକାର ସତର୍କ, ଗଠନ ହେଲା ଉଚ୍ଚସ୍ତରୀୟ ତଦନ୍ତ କମିଟି ୟୁଏଇ ଗସ୍ତରେ ମୁଖ୍ୟମନ୍ତ୍ରୀ, ଓଡ଼ିଶାକୁ ନିବେଶ ଆଣିବା ଉପରେ ଗୁରୁତ୍ୱ