ଭୁବନେଶ୍ୱର, ୭ ସେପ୍ଟେମ୍ବର ୨୦୨୬:ଓଡ଼ିଶାରେ ଅଧିକ ପୁଞ୍ଜିନିବେଶ ଆଣିବା ଏବଂ ଶିଳ୍ପାୟନକୁ ନୂଆ ଗତି ଦେବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତାକାଲିଠାରୁ ପାଞ୍ଚ ଦିନିଆ ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତରେ ଯିବେ। ଗସ୍ତ ସମୟରେ ସେ UAEର ପ୍ରମୁଖ ଶିଳ୍ପପତି, ନିବେଶକ ଏବଂ ବ୍ୟବସାୟିକ ସଂଗଠନର ପ୍ରତିନିଧିଙ୍କ ସହ ଆଲୋଚନା କରିବେ। ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଉପଲବ୍ଧ ସୁଯୋଗ, ରାଜ୍ୟର ଶିଳ୍ପ ନୀତି ଏବଂ ବିଭିନ୍ନ କ୍ଷେତ୍ରରେ ନିବେଶର ସମ୍ଭାବନା ନେଇ ନିବେଶକଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ହେବ। ଏଥିସହ UAEରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ସହ ମଧ୍ୟ ମତବିନିମୟ କରିବେ। ଗସ୍ତ କାର୍ଯ୍ୟକ୍ରମ ଅନୁସାରେ, ମୁଖ୍ୟମନ୍ତ୍ରୀ ପ୍ରଥମେ ନୂଆଦିଲ୍ଲୀ ଯାଇ ସେଠାରୁ ଆବୁଧାବି ଯିବେ। ସେପ୍ଟେମ୍ବର ୯ରେ ଇଣ୍ଟରନ୍ୟାସନାଲ ହୋଲ୍ଡିଂ କମ୍ପାନୀ (IHC), ଇଣ୍ଡିଆନ ବିଜନେସ ଆଣ୍ଡ ପ୍ରଫେସନାଲ ଗ୍ରୁପ୍ ଏବଂ ପେଟ୍ରୋକେମିକାଲ କ୍ଷେତ୍ରର ପ୍ରମୁଖ କମ୍ପାନୀ Borougeର ବରିଷ୍ଠ ଅଧିକାରୀଙ୍କ ସହ ସେ ବୈଠକ କରିବେ। ସେହିଦିନ ସନ୍ଧ୍ୟାରେ ଦୁବାଇରେ ‘One District One Product’ ଯୋଜନା ଅଧୀନରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରସ୍ତୁତ ସାମଗ୍ରୀକୁ ନେଇ ଆୟୋଜିତ ପ୍ରଦର୍ଶନୀର ଉଦ୍ଘାଟନ ହେବ। ସେପ୍ଟେମ୍ବର ୧୦ରେ UAEର ଅର୍ଥନୀତି ଓ ପର୍ଯ୍ୟଟନ ମନ୍ତ୍ରୀ ତଥା Council of International Investmentsର ଅଧ୍ୟକ୍ଷ ଅବଦୁଲ୍ଲା ବିନ୍ ତକ୍ ଅଲ୍ ମାରିଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ ହେବ। ଏହାସହ Indian Business and Professional Council ଏବଂ Emirates Global Aluminiumର ବରିଷ୍ଠ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିବେ। ରିସାଇକ୍ଲିଂ କ୍ଷେତ୍ରରେ ସମ୍ଭାବନା ନେଇ Middle East Recycling Association ସହ ରାଉଣ୍ଡଟେବୁଲ୍ ବୈଠକରେ ଯୋଗଦେବା ସହ ଓଡ଼ିଶାର ବ୍ୟବସାୟିକ ପ୍ରତିନିଧି ଦଳ ସହ ମଧ୍ୟ ଆଲୋଚନା କରିବେ। ଦୁବାଇରେ Odisha Investors’ Meet ସେପ୍ଟେମ୍ବର ୧୧ରେ ଦୁବାଇରେ ଆୟୋଜିତ Odisha Investors’ Meet ମୁଖ୍ୟମନ୍ତ୍ରୀଙ୍କ UAE ଗସ୍ତର ଏକ ପ୍ରମୁଖ କାର୍ଯ୍ୟକ୍ରମ ହେବ। ଏଠାରେ ବିଭିନ୍ନ ଶିଳ୍ପପତି ଓ ନିବେଶକଙ୍କୁ ଓଡ଼ିଶାରେ ନିବେଶ ପାଇଁ ଥିବା ସୁଯୋଗ ସମ୍ପର୍କରେ ଅବଗତ କରାଯିବ। ଏହି ଅବସରରେ ପ୍ରବାସୀ ଓଡ଼ିଆଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଏକ ସ୍ୱତନ୍ତ୍ର ମତବିନିମୟ କାର୍ଯ୍ୟକ୍ରମ ମଧ୍ୟ ରହିଛି। ଓଡ଼ିଶାର ବିକାଶ, ଶିଳ୍ପ ଓ ବାଣିଜ୍ୟିକ ସମ୍ପର୍କକୁ ନେଇ ସେ ପ୍ରବାସୀ ଓଡ଼ିଆଙ୍କୁ ସମ୍ବୋଧିତ କରିବେ। ସେପ୍ଟେମ୍ବର ୧୨ରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରିବେ। ନିବେଶ ବୃଦ୍ଧି ଉପରେ ସରକାରଙ୍କ ଫୋକସ୍ ଓଡ଼ିଶାକୁ ଦେଶର ଏକ ପ୍ରମୁଖ ଶିଳ୍ପ ଓ ନିବେଶ କେନ୍ଦ୍ର ଭାବେ ଗଢ଼ିତୋଳିବା ପାଇଁ ରାଜ୍ୟ ସରକାର ନିବେଶ ଆକର୍ଷଣ ଉପରେ ଗୁରୁତ୍ୱ ଦେଉଛନ୍ତି। ଏହି ଉଦ୍ଦେଶ୍ୟରେ ପୂର୍ବରୁ ଦେଶର ବିଭିନ୍ନ ସ୍ଥାନ ସହ ବିଦେଶରେ ମଧ୍ୟ ନିବେଶକଙ୍କ ସହ ଆଲୋଚନା କରାଯାଇଛି। ସିଙ୍ଗାପୁର ଗସ୍ତ ସମୟରେ ମଧ୍ୟ ମୁଖ୍ୟମନ୍ତ୍ରୀ ବିଭିନ୍ନ ନିବେଶକଙ୍କ ସହ ଆଲୋଚନା କରିଥିଲେ। ଏବେ UAE ଗସ୍ତ ମାଧ୍ୟମରେ ମଧ୍ୟପ୍ରାଚ୍ୟର ନିବେଶକଙ୍କ ନଜର ଓଡ଼ିଶା ଉପରେ ଆକର୍ଷିତ କରିବାକୁ ଉଦ୍ୟମ କରାଯିବ। ଓଡ଼ିଶା ଓ UAE ମଧ୍ୟରେ ବାଣିଜ୍ୟିକ ସମ୍ପର୍କକୁ ଆହୁରି ମଜବୁତ କରିବା ସହ ସାଂସ୍କୃତିକ ସମ୍ପର୍କର ବିକାଶ ଦିଗରେ ମଧ୍ୟ ଏହି ଗସ୍ତ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମେତ ସରକାରଙ୍କ ଅନ୍ୟ ବରିଷ୍ଠ ଅଧିକାରୀମାନେ UAE ଗସ୍ତରେ ସାମିଲ ହେବେ। Post navigation ଆଶ୍ଚର୍ଯ୍ୟ କରୁଛି ବର୍ଷାର ଟ୍ରେଣ୍ଡ, ୩ ମାସରେ ୪ ମାସର ବର୍ଷା! ପାର୍ବଣ ଋତୁ ପୂର୍ବରୁ ପୋଲିସର ଆଗୁଆ ପ୍ରସ୍ତୁତି