The rainfall trend is surprising, 4 months of rainfall in 3 months!The rainfall trend is surprising, 4 months of rainfall in 3 months!

ଭୁବନେଶ୍ୱର: ଚଳିତ ମୌସୁମୀ ଋତୁରେ ଓଡ଼ିଶାରେ ବର୍ଷାର ଚିତ୍ର ଏବେ ଭିନ୍ନ ରୂପ ନେଇଛି। ମାତ୍ର ୩ ମାସ ମଧ୍ୟରେ ରାଜ୍ୟରେ ପ୍ରାୟ ୪ ମାସର ପରିମାଣର ବର୍ଷା ହୋଇସାରିଛି। ଜୁନ୍‌ ମାସରେ ସ୍ୱାଭାବିକ ତୁଳନାରେ ୪୭ ପ୍ରତିଶତ କମ୍‌ ବର୍ଷା ହୋଇଥିବା ବେଳେ ଜୁଲାଇରେ ବର୍ଷାର ପରିମାଣ ହଠାତ୍‌ ବଢ଼ି ୯୧ ପ୍ରତିଶତ ଅଧିକ ରେକର୍ଡ ହୋଇଛି। ଅଗଷ୍ଟରେ ମଧ୍ୟ ସ୍ୱାଭାବିକଠାରୁ ୧୨ ପ୍ରତିଶତ ଅଧିକ ବର୍ଷା ହୋଇଛି।

ଜୁନ୍‌ର ନିଅଣ୍ଟିଆ ବର୍ଷାକୁ ଜୁଲାଇ ଓ ଅଗଷ୍ଟର ପ୍ରବଳ ବର୍ଷା ଭରଣା କରିଛି। ଫଳରେ ୩ ମାସରେ ରାଜ୍ୟରେ ସମୁଦାୟ ବର୍ଷା ପରିମାଣ ପ୍ରାୟ ୨୮ ପ୍ରତିଶତରୁ ଅଧିକ ରହିଛି। ତେବେ ବର୍ଷାର ବଣ୍ଟନ ସବୁ ଅଞ୍ଚଳରେ ସମାନ ରହିନାହିଁ। ଚଳିତ ବର୍ଷ ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ହୋଇଥିବା ବେଳେ ଦକ୍ଷିଣ ଓଡ଼ିଶାରେ ତୁଳନାତ୍ମକ ଭାବେ କମ୍‌ ବର୍ଷା ରେକର୍ଡ ହୋଇଛି।

ସୁବର୍ଣ୍ଣରେଖାରେ ବନ୍ୟା ଆଶଙ୍କା

ପ୍ରବଳ ବର୍ଷା ଯୋଗୁଁ ଏବେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବଢ଼ିଛି। ନଦୀରେ ବିପଦସଙ୍କେତ ଅତିକ୍ରମ କରିଥିବା ବେଳେ ସନ୍ଧ୍ୟା ସୁଦ୍ଧା ଜଳସ୍ତର ୧୧.୮୪ ମିଟର ପର୍ଯ୍ୟନ୍ତ ବଢ଼ିପାରେ ବୋଲି ଆକଳନ କରାଯାଇଛି। ଏହାର ପ୍ରଭାବରେ ବାଲେଶ୍ୱର, ଭୋଗରାଇ, ବସ୍ତା, ବାଲିଆପାଳ ଓ ଜଳେଶ୍ୱର ଅଞ୍ଚଳର କିଛି ସ୍ଥାନ ଜଳବନ୍ଦୀ ହେବାର ଆଶଙ୍କା ରହିଛି। ପରିସ୍ଥିତି ଉପରେ ସରକାରୀ ଟିମ୍‌ ନଜର ରଖିବା ସହ ଆବଶ୍ୟକ ସ୍ଥାନରେ ଯୋଗାଯୋଗ ଓ ରିଲିଫ୍‌ ବ୍ୟବସ୍ଥା କରାଯାଉଛି।

ବୈତରଣୀରେ ଜଳସ୍ତର କମିବା ଆଶା

ବୈତରଣୀ ନଦୀର ଆଖୁଆପଦାଠାରେ ଦିନ ୧ଟା ସୁଦ୍ଧା ଜଳସ୍ତର ୮ ମିଟର ରହିଥିଲା। ଗୋଟିଏ ଘାଇ ଖୋଲା ଥିବାରୁ କିଛି ଅଞ୍ଚଳରେ ଜଳ ପ୍ରବେଶ କରିଛି। ତେବେ ସନ୍ଧ୍ୟା ସୁଦ୍ଧା ଜଳସ୍ତର କମିବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଜଳକା ନଦୀର ଜଳସ୍ତର ଆଉ ବଢ଼ୁନାହିଁ।

ବର୍ତ୍ତମାନ ରାଜ୍ୟରେ ବର୍ଷାର ତୀବ୍ରତା ମଧ୍ୟ କମିଛି। ଆଗାମୀ ୩ ଦିନ ପର୍ଯ୍ୟନ୍ତ ବଡ଼ ଧରଣର ବର୍ଷା ଆଶଙ୍କା ନାହିଁ। ଏପର୍ଯ୍ୟନ୍ତ ରାଜ୍ୟର କୌଣସି ସ୍ଥାନରେ ୫୦ ମିମି କିମ୍ବା ତା’ଠାରୁ ଅଧିକ ବର୍ଷା ରେକର୍ଡ ହୋଇନାହିଁ।

ମହାନଦୀ ସ୍ଥିତି ନିୟନ୍ତ୍ରଣରେ

ଏବେ ମହାନଦୀରେ ବନ୍ୟା ପରିସ୍ଥିତି ନଥିବା ସୂଚନା ମିଳିଛି। ହୀରାକୁଦ ଜଳଭଣ୍ଡାରରୁ ବର୍ତ୍ତମାନ ୨ଟି ଗେଟ୍‌ ଖୋଲା ରହିଛି। ତେଣୁ ମହାନଦୀର ଜଳପ୍ରବାହ ଉପରେ ମଧ୍ୟ ନଜର ରଖାଯାଉଛି।

ସାମଗ୍ରିକ ଭାବେ ଚଳିତ ମୌସୁମୀ ଋତୁରେ ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିଥିବା ବେଳେ ଉତ୍ତର ଓ ଦକ୍ଷିଣ ଓଡ଼ିଶା ମଧ୍ୟରେ ବର୍ଷାର ବଣ୍ଟନରେ ବଡ଼ ତାରତମ୍ୟ ଦେଖିବାକୁ ମିଳିଛି। ଏବେ ସୁବର୍ଣ୍ଣରେଖାର ଜଳସ୍ତର ହିଁ ପ୍ରମୁଖ ଚିନ୍ତାର କାରଣ ହୋଇଥିବା ବେଳେ ପ୍ରଶାସନ ପରିସ୍ଥିତି ଉପରେ ନଜର ରଖିଛି।

Leave a Reply

Your email address will not be published. Required fields are marked *