କେନ୍ଦ୍ରାଞ୍ଚଳ ରେଞ୍ଜର ଆଇନ-ଶୃଙ୍ଖଳା ସ୍ଥିତି ସମୀକ୍ଷା କଲେ ଡିଜିପି କଟକ, ୮/୯: ଆଗାମୀ ପାର୍ବଣ ଋତୁକୁ ଶାନ୍ତି ଓ ସୁରକ୍ଷିତ ପରିବେଶରେ ସମ୍ପନ୍ନ କରିବା ଲାଗି ଓଡ଼ିଶା ପୋଲିସ ପକ୍ଷରୁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ରାଞ୍ଚଳ ରେଞ୍ଜ ଅଧୀନ ବିଭିନ୍ନ ଜିଲ୍ଲାର ଆଇନ-ଶୃଙ୍ଖଳା ଓ ଅପରାଧ ସ୍ଥିତି ନେଇ ମଙ୍ଗଳବାର ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଛି। କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟରେ ଆୟୋଜିତ ବୈଠକରେ ଡିଜିପି ଶ୍ରୀ ବିନୟତୋଷ ମିଶ୍ର ଅଧ୍ୟକ୍ଷତା କରିଥିଲେ। ବୈଠକରେ ଜିଲ୍ଲାୱାରୀ ଆଇନ-ଶୃଙ୍ଖଳା ସ୍ଥିତି, ଅପରାଧ ନିୟନ୍ତ୍ରଣ ଏବଂ ପୋଲିସ ବ୍ୟବସ୍ଥାର କାର୍ଯ୍ୟଦକ୍ଷତା ନେଇ ଏସ୍ପିମାନଙ୍କ ସହ ବିସ୍ତୃତ ଆଲୋଚନା ହୋଇଥିଲା। ବିଶେଷକରି ହତ୍ୟା, ଚୋରି, ଡକାୟତି ଓ ଲୁଣ୍ଠନ ଭଳି ଗୁରୁତର ଅପରାଧ ରୋକିବା, ସଡ଼କ ଦୁର୍ଘଟଣାରେ ମୃତ୍ୟୁହାର କମାଇବା, ଅବକାରୀ ଅପରାଧ ଉପରେ ଅଙ୍କୁଶ ଲଗାଇବା ଏବଂ ‘ନିଶାମୁକ୍ତ ଓଡ଼ିଶା’ ଲକ୍ଷ୍ୟ ହାସଲ ଦିଗରେ ଚାଲିଥିବା ପଦକ୍ଷେପର ସମୀକ୍ଷା କରାଯାଇଥିଲା। ସେହିପରି ସାଇବର ଅପରାଧ ମୁକାବିଲା, ମାମଲାର ତଦନ୍ତକୁ ଶୀଘ୍ର ଶେଷ କରି ନିର୍ଦ୍ଧାରିତ ସମୟରେ ଚାର୍ଜସିଟ୍ ଦାଖଲ, ଦୋଷୀଙ୍କୁ ଦଣ୍ଡିତ କରିବା ପାଇଁ ଦଣ୍ଡାଦେଶ ହାର ବଢ଼ାଇବା ଭଳି ପ୍ରସଙ୍ଗ ମଧ୍ୟ ବୈଠକରେ ସ୍ଥାନ ପାଇଥିଲା। ଆଗାମୀ ଦିନରେ ଗଣେଶ ପୂଜା, ନୂଆଖାଇ, ବିଶ୍ୱକର୍ମା ପୂଜା, ଦୁର୍ଗାପୂଜା, ଗଜଲକ୍ଷ୍ମୀ ପୂଜା, ଦୀପାବଳି ଓ କାଳୀପୂଜା, ଅଁଳା ନବମୀ, ପଞ୍ଚୁକ ଏବଂ ବାଲିଯାତ୍ରା ଭଳି ବଡ଼ ପର୍ବ ଆସୁଥିବାରୁ ଏବେଠାରୁ ସୁରକ୍ଷା ବ୍ୟବସ୍ଥାର ସଠିକ୍ ଯୋଜନା କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଥିଲେ। ପାର୍ବଣ ସମୟରେ ଭିଡ଼ ଅଧିକ ହେଉଥିବା ସ୍ଥାନ ଓ ସମ୍ବେଦନଶୀଳ ଅଞ୍ଚଳରେ ପର୍ଯ୍ୟାପ୍ତ ପୋଲିସ ମୁତୟନ ସହ ଟ୍ରାଫିକ ପରିଚାଳନାକୁ ସୁଦୃଢ଼ କରିବାକୁ ସେ କହିଥିଲେ। ଏଥିସହ ଶାନ୍ତି କମିଟି ବୈଠକ କରି ସ୍ଥାନୀୟ ଜନପ୍ରତିନିଧି, ବିଭିନ୍ନ ସଂଗଠନ ଓ ସମସ୍ତ ସମ୍ପ୍ରଦାୟର ପ୍ରମୁଖ ବ୍ୟକ୍ତିଙ୍କ ସହ ନିୟମିତ ସମନ୍ୱୟ ରଖିବାକୁ ଏସ୍ପିମାନଙ୍କୁ ପରାମର୍ଶ ଦିଆଯାଇଥିଲା। ସାମ୍ପ୍ରଦାୟିକ ଦୃଷ୍ଟିରୁ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକ ଉପରେ ନିରନ୍ତର ନଜର ରଖିବା ସହ ଯେକୌଣସି ଅପ୍ରୀତିକର ପରିସ୍ଥିତିକୁ ଘଟିବା ପୂର୍ବରୁ ପ୍ରତିହତ କରିବା ଉପରେ ଡିଜିପି ଗୁରୁତ୍ୱ ଦେଇଥିଲେ। ପୋଲିସ ଓ ସାଧାରଣ ଲୋକଙ୍କ ମଧ୍ୟରେ ବିଶ୍ୱାସ ଓ ଭଲ ସମ୍ପର୍କ ରହିଲେ ଆଇନ-ଶୃଙ୍ଖଳା ରକ୍ଷା ଅଧିକ ପ୍ରଭାବଶାଳୀ ହେବ ବୋଲି ଡିଜିପି କହିଥିଲେ। ତେଣୁ ଥାନା ଅଧିକାରୀମାନେ ନିଜ ଅଞ୍ଚଳରେ ନିୟମିତ ପରିଦର୍ଶନ କରି ଲୋକଙ୍କ ସମସ୍ୟା ଶୁଣିବା ଓ ଆଇନ-ଶୃଙ୍ଖଳା ସମ୍ପର୍କିତ ଅଭିଯୋଗର ସମାଧାନ ଦିଗରେ ପଦକ୍ଷେପ ନେବାକୁ କୁହାଯାଇଥିଲା। ଏହାସହ ଏସ୍ଡିପିଓମାନେ ନିଜ ଅଧୀନରେ ଥିବା ଥାନାଗୁଡ଼ିକୁ ନିୟମିତ ଯାଞ୍ଚ କରିବା ସହ ଥାନାର କାର୍ଯ୍ୟପ୍ରଣାଳୀ, ଅପରାଧ ତଦନ୍ତ, ମାମଲାର ପ୍ରଗତି ଓ ଜନସାଧାରଣଙ୍କୁ ମିଳୁଥିବା ପୋଲିସ ସେବାର ଗୁଣବତ୍ତା ତଦାରଖ କରିବାକୁ ନିର୍ଦ୍ଦେଶ ରହିଥିଲା। ଅଭ୍ୟାସଗତ ଅପରାଧୀ ଏବଂ ସଂଗଠିତ ଅପରାଧୀଙ୍କ ଗତିବିଧି ଉପରେ କଡ଼ା ନଜର ରଖି ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଡିଜିପି କହିଥିଲେ। ବେଆଇନ ଗୋ-ଚାଲାଣ ଓ ବେଆଇନ ଖଣିଜ ଉତ୍ତୋଳନ ଏବଂ ପରିବହନ ବନ୍ଦ କରିବା ପାଇଁ ନାକା ଚେକିଂ, ପାଟ୍ରୋଲିଂ, ଯାନବାହନ ଯାଞ୍ଚ ଓ ଚଢ଼ାଉକୁ ଆହୁରି ଜୋରଦାର କରିବାକୁ ଏସ୍ପିମାନଙ୍କୁ କୁହାଯାଇଥିଲା। ସୋସିଆଲ ମିଡିଆରେ ଗୁଜବ, ଉତ୍ତେଜନାମୂଳକ ବାର୍ତ୍ତା, ଆପତ୍ତିଜନକ କିମ୍ବା ଭ୍ରମ ସୃଷ୍ଟିକାରୀ ତଥ୍ୟ ପ୍ରସାର ଉପରେ ମଧ୍ୟ ନଜର ରଖିବାକୁ ଡିଜିପି ନିର୍ଦ୍ଦେଶ ଦେଇଥିଲେ। ସମ୍ଭାବ୍ୟ ଅପରାଧ ଓ ଆଇନ-ଶୃଙ୍ଖଳା ସମସ୍ୟା ସମ୍ପର୍କରେ ଆଗୁଆ ସୂଚନା ପାଇବା ପାଇଁ ଗୁଇନ୍ଦା ବ୍ୟବସ୍ଥାକୁ ଅଧିକ ସକ୍ରିୟ କରିବା ଏବଂ ସୂଚନା ମିଳିବା ମାତ୍ରେ ଆବଶ୍ୟକ ପଦକ୍ଷେପ ନେବା ଉପରେ ସେ ଜୋର ଦେଇଥିଲେ। ଥାନାଠାରୁ ଆରମ୍ଭ କରି ଜିଲ୍ଲା ଓ ରେଞ୍ଜ ସ୍ତର ପର୍ଯ୍ୟନ୍ତ ଉତ୍ତମ ସମନ୍ୱୟ ଓ ଟିମ୍ୱର୍କ ମାଧ୍ୟମରେ ପୋଲିସ ବ୍ୟବସ୍ଥାକୁ ଅଧିକ ସକ୍ରିୟ କରିବାକୁ ଡିଜିପି ଶ୍ରୀ ମିଶ୍ର ପରାମର୍ଶ ଦେଇଥିଲେ। ନିଷ୍ଠା, ଦାୟିତ୍ୱବୋଧ ଓ ସମନ୍ୱିତ ପ୍ରୟାସରେ ଲୋକଙ୍କୁ ଉତ୍ତମ ପୋଲିସ ସେବା ଯୋଗାଇବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ବୈଠକରେ ଏଡିଜିପି (ଆଧୁନିକୀକରଣ) ସୌମେନ୍ଦ୍ର ପ୍ରିୟଦର୍ଶୀ, ଏଡିଜିପି (ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର, ଏଡିଜିପି (ମୁଖ୍ୟାଳୟ) ପ୍ରତୀକ ମହାନ୍ତି, ଏଡିଜିପି (ଏଚ୍ଆର୍ପିସି) ୟତୀନ୍ଦ୍ର କୋଏଲ, ଆଇଜିପି (ପର୍ସୋନେଲ) ଏସ୍. ପ୍ରବୀଣ କୁମାର, ଆଇଜିପି (ଏସ୍ଟିଏଫ୍) ହିମାଂଶୁ ଲାଲ, ଏସ୍ସିଆର୍ବି ନିର୍ଦ୍ଦେଶକ ଅବିନାଶ କୁମାର, ଡିଆଇଜିପି (ଏଚ୍ଆର୍ପିସି) ରାଜେଶ ପଣ୍ଡିତ, ଆଇଜିପି (କ୍ରାଇମବ୍ରାଞ୍ଚ) ଡ. ସାର୍ଥକ ଷଡ଼ଙ୍ଗୀ, ଆଇଜିପି (ପ୍ରୋଭିଜନିଂ) ନୀତି ଶେଖର, ଆଇଜିପି (କେନ୍ଦ୍ରାଞ୍ଚଳ) ଡ. ସତ୍ୟଜିତ ନାଏକ, ଡିଆଇଜିପି (ପର୍ସୋନେଲ) ଯୁଗଳ କିଶୋର କୁମାର ବନୋଥଙ୍କ ସମେତ କେନ୍ଦ୍ରାଞ୍ଚଳ ରେଞ୍ଜ ଅଧୀନ ବିଭିନ୍ନ ଜିଲ୍ଲାର ଏସ୍ପିମାନେ ଉପସ୍ଥିତ ଥିଲେ। Post navigation ପୁଞ୍ଜିନିବେଶ ଆକର୍ଷଣ ଲକ୍ଷ୍ୟରେ UAE ଯିବେ ମୁଖ୍ୟମନ୍ତ୍ରୀ ଆବୁଧାବିରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ