ୟୁଏଇରେ ଆରମ୍ଭ ହେଲା ଓଡ଼ିଶାର ନିବେଶ ଅଭିଯାନ, ୯ରୁ ହେବ ଉଚ୍ଚସ୍ତରୀୟ ଆଲୋଚନା ଆବୁଧାବି/ଭୁବନେଶ୍ୱର, ୮ ସେପ୍ଟେମ୍ବର ୨୦୨୬:ଓଡ଼ିଶାରେ ବିଦେଶୀ ପୁଞ୍ଜିନିବେଶ ବଢ଼ାଇବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୟୁଏଇ ଗସ୍ତରେ ଆବୁଧାବିରେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ସହ ଓଡ଼ିଶାର ୟୁଏଇ ନିବେଶ ଅଭିଯାନ ଆରମ୍ଭ ହୋଇଛି। ସେପ୍ଟେମ୍ବର ୯ରୁ ୧୧ ମଧ୍ୟରେ ବିଭିନ୍ନ ନିବେଶକ ଓ ଶିଳ୍ପ ପ୍ରତିନିଧିଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ। ୟୁଏଇ ସହ ଓଡ଼ିଶାର ଆର୍ଥିକ ସମ୍ପର୍କକୁ ଅଧିକ ମଜବୁତ କରିବା ସହ ମାନୁଫ୍ୟାକଚରିଂ, ଭିତ୍ତିଭୂମି, ଶକ୍ତି, ଉଦୀୟମାନ ଶିଳ୍ପ ଓ ଅନ୍ୟାନ୍ୟ କ୍ଷେତ୍ରରେ ନୂଆ ନିବେଶ ଆଣିବା ଏହି ଗସ୍ତର ପ୍ରମୁଖ ଉଦ୍ଦେଶ୍ୟ। ମୁଖ୍ୟମନ୍ତ୍ରୀଙ୍କ ସହ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସମେତ ଶିଳ୍ପ ବିଭାଗ ଓ ଇପିକଲର ବରିଷ୍ଠ ଅଧିକାରୀମାନେ ୟୁଏଇ ଗସ୍ତରେ ଯାଇଛନ୍ତି। ଆବୁଧାବିରେ ପ୍ରତିନିଧିମଣ୍ଡଳୀକୁ ଓଡ଼ିଶା ସରକାରଙ୍କ ଅଧିକାରୀ ଓ ୟୁଏଇସ୍ଥିତ ଭାରତୀୟ ଦୂତାବାସର ପ୍ରତିନିଧିମାନେ ସ୍ୱାଗତ କରିଥିଲେ। ଆବୁଧାବିରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଆଗାମୀ ନିବେଶକ ବୈଠକର ପ୍ରସ୍ତୁତି ନେଇ ଅଧିକାରୀମାନଙ୍କ ସହ ସମୀକ୍ଷା କରିଥିଲେ। ବୈଠକଗୁଡ଼ିକରେ ଓଡ଼ିଶାର ନିବେଶ ସୁଯୋଗକୁ କିପରି ଉପସ୍ଥାପନ କରାଯିବ ଏବଂ ନିବେଶକଙ୍କ ଆଗ୍ରହକୁ କିପରି ପ୍ରକଳ୍ପରେ ପରିଣତ କରାଯିବ, ସେନେଇ ଆଲୋଚନା ହୋଇଛି। ଓଡ଼ିଆ ପ୍ରବାସୀଙ୍କୁ ଗୁରୁତ୍ୱ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ୟୁଏଇରେ ଭାରତୀୟ ଦୂତାବାସର ପ୍ରତିନିଧିଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ଦୁଇ ଦେଶ ମଧ୍ୟରେ ବଢ଼ୁଥିବା ବାଣିଜ୍ୟିକ ଓ ଆର୍ଥିକ ସମ୍ପର୍କକୁ ଆହୁରି ମଜବୁତ କରିବା ଉପରେ ମତବିନିମୟ ହୋଇଛି। ୟୁଏଇରେ ରହୁଥିବା ଓଡ଼ିଆ ସମ୍ପ୍ରଦାୟକୁ ଓଡ଼ିଶା ଓ ୟୁଏଇ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସେତୁ ଭାବେ ଅଭିହିତ କରିଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରବାସୀ ଓଡ଼ିଆଙ୍କ ପାଇଁ ଆବଶ୍ୟକ ସହଯୋଗ ଓ ସୁବିଧା ସୁଯୋଗ ନିଶ୍ଚିତ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଓଡ଼ିଶାର ନିବେଶ ସୁଯୋଗ ଉପରେ ଫୋକସ୍ ୟୁଏଇର ନିବେଶକଙ୍କ ସମ୍ମୁଖରେ ଓଡ଼ିଶାର ପ୍ରାକୃତିକ ସମ୍ପଦ, ଶିଳ୍ପ ଭିତ୍ତିଭୂମି, ବନ୍ଦର, ଶକ୍ତି ଉପଲବ୍ଧତା, ଦକ୍ଷ ମାନବ ସମ୍ବଳ ଓ ବଜାର ସଂଯୋଗ ଭଳି ବିଭିନ୍ନ ସୁବିଧାକୁ ଉପସ୍ଥାପନ କରାଯିବ। କେବଳ ପୁଞ୍ଜିନିବେଶ ନୁହେଁ, ପ୍ରଯୁକ୍ତି ସହଯୋଗ ଓ ଦୀର୍ଘମିଆଦୀ ଶିଳ୍ପ ଭାଗିଦାରୀ ଉପରେ ମଧ୍ୟ ଆଲୋଚନା ହେବ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା ଏବେ ଶିଳ୍ପ ବିକାଶର ଏକ ନୂଆ ପର୍ଯ୍ୟାୟରେ ଅଛି। ୟୁଏଇ ସହ ଆଲୋଚନାର ଉଦ୍ଦେଶ୍ୟ କେବଳ ନିବେଶ ଆଣିବା ନୁହେଁ; ବରଂ ପ୍ରଯୁକ୍ତି, ରୋଜଗାର ଓ ମୂଲ୍ୟ ବୃଦ୍ଧିକୁ ଆଧାର କରି ସ୍ଥାୟୀ ଭାଗିଦାରୀ ଗଢ଼ିବା ବୋଲି ସେ ସ୍ପଷ୍ଟ କରିଛନ୍ତି। ୯ ସେପ୍ଟେମ୍ବରରୁ ବଡ଼ ବୈଠକ ସେପ୍ଟେମ୍ବର ୯ରେ ୟୁଏଇର ପ୍ରମୁଖ ନିବେଶକ ଓ ବ୍ୟବସାୟିକ ଗୋଷ୍ଠୀ ସହ ଏକାଧିକ ବୈଠକ ହେବ। ଇଣ୍ଟରନ୍ୟାସନାଲ ହୋଲ୍ଡିଂ କମ୍ପାନୀ (IHC) ଓ ଏହାର ବିଭିନ୍ନ ବ୍ୟବସାୟିକ ସଂସ୍ଥା, ଇଣ୍ଡିଆନ୍ ବିଜନେସ୍ ଆଣ୍ଡ ପ୍ରୋଫେସନାଲ୍ ଗ୍ରୁପ୍ (IBPG) ଏବଂ ୟୁଏଇର ନିବେଶ କ୍ଷେତ୍ରର ବରିଷ୍ଠ ପ୍ରତିନିଧିଙ୍କ ସହ ଆଲୋଚନା କରିବ ଓଡ଼ିଶା ପ୍ରତିନିଧିମଣ୍ଡଳୀ। ଏହାପରେ ପେଟ୍ରୋକେମିକାଲ୍ସ ଓ କେମିକାଲ୍ସ କ୍ଷେତ୍ରକୁ ନେଇ ମଧ୍ୟ ବୈଠକ ହେବ। ଏହି ଆଲୋଚନାରେ ନିର୍ଦ୍ଦିଷ୍ଟ ନିବେଶ ପ୍ରସ୍ତାବ, ଶିଳ୍ପ ସହଯୋଗ ଓ ପ୍ରଯୁକ୍ତି ଭାଗିଦାରୀ ଉପରେ ଗୁରୁତ୍ୱ ଦିଆଯିବ। ୟୁଏଇ ସହ ଏହି ନିବେଶ ଅଭିଯାନ ମାଧ୍ୟମରେ ଓଡ଼ିଶା ସରକାର ନିବେଶ ପ୍ରସ୍ତାବକୁ ଭୂମିସ୍ତରୀୟ ପ୍ରକଳ୍ପରେ ପରିଣତ କରିବା, ନୂଆ ରୋଜଗାର ସୃଷ୍ଟି କରିବା ଓ ରାଜ୍ୟକୁ ବିଶ୍ୱସ୍ତରୀୟ ନିବେଶ ଗନ୍ତବ୍ୟରେ ପରିଣତ କରିବା ଉପରେ ଫୋକସ୍ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ୟୁଏଇ ଗସ୍ତ ସେପ୍ଟେମ୍ବର ୧୨ରେ ଶେଷ ହୋଇ ସେ ଭାରତ ଫେରିବା କାର୍ଯ୍ୟକ୍ରମ ରହିଛି। Post navigation ପାର୍ବଣ ଋତୁ ପୂର୍ବରୁ ପୋଲିସର ଆଗୁଆ ପ୍ରସ୍ତୁତି ତେଲକୋଇ ବିଧାୟକଙ୍କ ସୁରକ୍ଷା ନେଇ ଉଠିଲା ପ୍ରଶ୍ନ