ଏପର୍ଯ୍ୟନ୍ତ ୧.୦୩ କୋଟି ମହିଳାଙ୍କୁ ୨୫,୮୦୦ କୋଟି ଟଙ୍କାର ସହାୟତା ଭୁବନେଶ୍ୱର: ସୁଭଦ୍ରା ଯୋଜନାରେ ଯୋଡ଼ି ହେବାକୁ ଅପେକ୍ଷା କରିଥିବା ମହିଳାଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ସୂଚନା। ଆସନ୍ତା ଏପ୍ରିଲ ମାସରେ ପୁଣିଥରେ ସୁଭଦ୍ରା ପୋର୍ଟାଲ ଖୋଲାଯିବ ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି। ସୁଭଦ୍ରା ଯୋଜନାର ଦୁଇ ବର୍ଷ ପୂର୍ତ୍ତି ଅବସରରେ ସଚିବାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଜନାର ଅଗ୍ରଗତି ସମ୍ପର୍କରେ ସୂଚନା ଦେଇଛନ୍ତି। ସରକାରଙ୍କ ତଥ୍ୟ ଅନୁସାରେ, ସୁଭଦ୍ରା ଯୋଜନାରେ ଏପର୍ଯ୍ୟନ୍ତ ପ୍ରାୟ ୧ କୋଟି ୩ ଲକ୍ଷ ମହିଳା ଉପକୃତ ହୋଇଛନ୍ତି। ହିତାଧିକାରୀଙ୍କୁ ମୋଟ ୨୫,୮୦୦ କୋଟି ଟଙ୍କା ପ୍ରଦାନ କରାଯାଇଥିବା ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ପ୍ରଭାତୀ ପରିଡ଼ାଙ୍କ କହିବା ଅନୁସାରେ, ଯୋଜନାର ଲାଭ ମହିଳାମାନଙ୍କ ଆର୍ଥିକ ସଶକ୍ତୀକରଣ ସହିତ ଗ୍ରାମୀଣ ଅର୍ଥନୀତିକୁ ମଧ୍ୟ ପ୍ରଭାବିତ କରୁଛି। ମହିଳାଙ୍କ ହାତକୁ ସିଧାସଳଖ ଅର୍ଥ ପହଞ୍ଚିବା ଦ୍ୱାରା ଘରୋଇ ଓ ସ୍ଥାନୀୟ ଅର୍ଥନୈତିକ କାରବାରରେ ଏହାର ପ୍ରଭାବ ପଡ଼ୁଛି ବୋଲି ସେ ଉଲ୍ଲେଖ କରିଛନ୍ତି। ଦୁଇ ବର୍ଷ ପୂର୍ବେ ଓଡ଼ିଶାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରାଯାଇଥିଲା। ଯୋଜନାର ଦ୍ୱିତୀୟ ବାର୍ଷିକୀ ପାଳନ ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଆସନ୍ତାକାଲି ସନ୍ଧ୍ୟାରେ ରାଜ୍ୟର ୩୩୮ଟି ଆଇସିଡିଏସ୍ ପ୍ରକଳ୍ପରେ ରଙ୍ଗୋଲି ସହ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ। ମହିଳାଙ୍କ ଅଂଶଗ୍ରହଣ ସହ ଯୋଜନାର ଉଦ୍ଦେଶ୍ୟ ଓ ଉପଲବ୍ଧି ସମ୍ପର୍କରେ ମଧ୍ୟ ସଚେତନତାମୂଳକ କାର୍ଯ୍ୟକ୍ରମ ହେବ। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଲୋକସେବାର ୨୫ ବର୍ଷ ପୂର୍ତ୍ତିକୁ ନେଇ ମଧ୍ୟ ବିଭିନ୍ନ ଅଭିଯାନ ଓ କାର୍ଯ୍ୟକ୍ରମ ହେବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଏପ୍ରିଲରେ ସୁଭଦ୍ରା ପୋର୍ଟାଲ ପୁଣି ଖୋଲିବା ଘୋଷଣା ଯୋଜନାରୁ ଏପର୍ଯ୍ୟନ୍ତ ବାହାରେ ଥିବା ଯୋଗ୍ୟ ମହିଳାଙ୍କ ପାଇଁ ଆବେଦନର ସୁଯୋଗ ସୃଷ୍ଟି କରିବ। ତେବେ ନୂଆ ପର୍ଯ୍ୟାୟରେ ଆବେଦନ ପ୍ରକ୍ରିୟା, ଯୋଗ୍ୟତା ଓ ଆବଶ୍ୟକ ଦସ୍ତାବିଜ ସମ୍ପର୍କରେ ସରକାରଙ୍କ ପକ୍ଷରୁ ପରବର୍ତ୍ତୀ ସମୟରେ ବିସ୍ତୃତ ତଥ୍ୟ ଦିଆଯିବ। Post navigation ଯୁବ କ୍ରିକେଟରଙ୍କୁ ବଡ଼ ମଞ୍ଚ ଦେବ ଓଡ଼ିଶା T20 ଲିଗ୍: OCA ସଭାପତି ଓଡ଼ିଶା T20 ଲିଗ୍ ପୂର୍ବରୁ ରାଉରକେଲା ସୁପରଷ୍ଟାର୍ସର ଜର୍ସି ଲଞ୍ଚ