ଭୁବନେଶ୍ୱର, ୨୯ ଜୁଲାଇ: ରାଜ୍ୟରେ ଲଗାଣ ବର୍ଷା ପରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିକୁ ନେଇ ବିଜୁ ଜନତା ଦଳ (ବିଜେଡି) ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛି। ଦଳର ଅଭିଯୋଗ ଅନୁଯାୟୀ, ପାଣିପାଗ ବିଭାଗ ପକ୍ଷରୁ ପୂର୍ବ ସତର୍କ ସୂଚନା ମିଳିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି କରାଯାଇନଥିଲା, ଯାହାର ପରିଣାମ ସ୍ୱରୂପ ଜନଜୀବନ ପ୍ରଭାବିତ ହେବା ସହ ଜୀବନହାନୀ ଘଟିଛି। ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ବିଧାୟକ ବ୍ୟୋମକେଶ ରାୟ, ଗୌତମବୁଦ୍ଧ ଦାସ ଓ ସଞ୍ଜୀବ ମଲ୍ଲିକ କହିଥିଲେ ଯେ, ବନ୍ୟା ପ୍ରଭାବିତ ଅଞ୍ଚଳରେ ରାହାତ ଓ ଉଦ୍ଧାର କାର୍ଯ୍ୟ ଆଶାନୁରୂପ ହୋଇନାହିଁ। ସେମାନଙ୍କ ମତରେ, ପ୍ରଭାବିତ ଲୋକଙ୍କ ପାଖରେ ଆବଶ୍ୟକ ସହାୟତା ସମୟରେ ପହଞ୍ଚି ପାରିନଥିବାରୁ ସରକାରଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠିଛି। ବ୍ୟୋମକେଶ ରାୟ କହିଥିଲେ, ପୂର୍ବତନ ନବୀନ ପଟ୍ଟନାୟକ ସରକାର ସମୟରେ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ଦେଶ ଓ ବିଦେଶରେ ପ୍ରଶଂସା ସାଉଁଟିଥିଲା। ସେ ଦାବି କରିଥିଲେ ଯେ, ସେତେବେଳେ ପ୍ରତ୍ୟେକ ଜୀବନକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଥିଲା, କିନ୍ତୁ ବର୍ତ୍ତମାନ ସେହି ମାନଦଣ୍ଡ ଦେଖିବାକୁ ମିଳୁନାହିଁ। ସେ ରାଜସ୍ୱ ମନ୍ତ୍ରୀଙ୍କ ଭୂମିକାକୁ ମଧ୍ୟ ସମାଲୋଚନା କରିଥିଲେ। ଗୌତମବୁଦ୍ଧ ଦାସ କହିଥିଲେ ଯେ, ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶାର “ଜିରୋ କାଜୁଆଲିଟି” ନୀତି ଏକ ସମୟରେ ଆଦର୍ଶ ଭାବେ ପରିଗଣିତ ହୋଇଥିଲା। ତାଙ୍କ ଅଭିଯୋଗ, ବର୍ତ୍ତମାନ ସେହି ଦୃଷ୍ଟିଭଙ୍ଗୀର ଅଭାବ ଦେଖାଯାଉଛି ଏବଂ ବନ୍ୟା ପରିଚାଳନାରେ ପ୍ରଶାସନ ସନ୍ତୋଷଜନକ ଭୂମିକା ନେଇପାରିନାହିଁ। ସଞ୍ଜୀବ ମଲ୍ଲିକ କହିଥିଲେ, ଭଦ୍ରକ ସମେତ ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଲୋକମାନେ ଖାଦ୍ୟ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ପାଇବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଲଗାଣ ବର୍ଷା ଜାରି ରହିଥିବାରୁ ଅନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ବନ୍ୟା ଆଶଙ୍କା ବଢ଼ୁଥିବା ସେ କହିଥିଲେ। ବିଜେଡି ପକ୍ଷରୁ କୁହାଯାଇଛି ଯେ, ସରକାର ତୁରନ୍ତ ବନ୍ୟା ପରିଚାଳନା, ରାହାତ ବଣ୍ଟନ ଏବଂ ପ୍ରଭାବିତ ଲୋକଙ୍କ ସହାୟତା ଦିଗରେ ପଦକ୍ଷେପ ନ ନେଲେ, ଦଳ ଆଗାମୀ ଦିନରେ ଲୋକସ୍ୱାର୍ଥ ପ୍ରସଙ୍ଗକୁ ନେଇ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସତର୍କ କରିଛି। Post navigation ତାଳଚେର–ବିମଳାଗଡ଼ ରେଳ ପ୍ରକଳ୍ପ: ୨୩ ବର୍ଷ ପରେ ବି ଶେଷ ହେବାର ସମୟସୀମା ଅସ୍ପଷ୍ଟ ରାହୁଳ ଗାନ୍ଧୀଙ୍କୁ ସୋସିଆଲ ମିଡିଆରେ ହତ୍ୟା ଧମକ ପ୍ରସଙ୍ଗ: ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କଲା କଂଗ୍ରେସ