“Government springs into action over textbook errors; three-member inquiry committee constituted.”“Government springs into action over textbook errors; three-member inquiry committee constituted.”

ଭୁବନେଶ୍ୱର, ୧୭ ଜୁନ: ରାଜ୍ୟର ସ୍କୁଲ୍ ପାଠ୍ୟପୁସ୍ତକରେ ଚିହ୍ନଟ ହୋଇଥିବା ବିଭିନ୍ନ ତ୍ରୁଟିକୁ ନେଇ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।

ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏବଂ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଆଭାସୀ ମାଧ୍ୟମରେ ଯୋଗଦେଇଥିଲେ। ପାଠ୍ୟପୁସ୍ତକରେ ଥିବା ତ୍ରୁଟିଗୁଡ଼ିକର ସମୀକ୍ଷା କରାଯିବା ସହ ଏହାର ଶୀଘ୍ର ସଂଶୋଧନ ପାଇଁ ଆବଶ୍ୟକ ପଦକ୍ଷେପ ଉପରେ ଆଲୋଚନା ହୋଇଥିଲା।

ଘଟଣାର ତଦନ୍ତ ଓ ଦାୟିତ୍ୱ ନିର୍ଣ୍ଣୟ ପାଇଁ ଉନ୍ନୟନ କମିଶନରଙ୍କ ନେତୃତ୍ୱରେ ଏକ ୩ ସଦସ୍ୟ ବିଶିଷ୍ଟ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ପାଠ୍ୟପୁସ୍ତକ ପ୍ରସ୍ତୁତି ଓ ପ୍ରକାଶନ ପ୍ରକ୍ରିୟାରେ କେଉଁ ସ୍ତରରେ ତ୍ରୁଟି ଘଟିଛି ଏବଂ କେଉଁ ଅଧିକାରୀ କିମ୍ବା ସଂସ୍ଥା ଏଥିପାଇଁ ଦାୟୀ, ତାହା ଏହି କମିଟି ଅନୁଧ୍ୟାନ କରିବ।

କମିଟିକୁ ସାତ ଦିନ ମଧ୍ୟରେ ତାହାର ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ରିପୋର୍ଟ ଆଧାରରେ ଯେଉଁମାନଙ୍କର ଅବହେଳା କିମ୍ବା ଦାୟିତ୍ୱହୀନତା ସାମ୍ନାକୁ ଆସିବ, ସେମାନଙ୍କ ବିରୋଧରେ ନିୟମାନୁସାରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।

ସେହିପରି ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ କୌଣସି ଅସୁବିଧା ସୃଷ୍ଟି ନହେବା ପାଇଁ ଚିହ୍ନଟ ତ୍ରୁଟିଗୁଡ଼ିକୁ ତୁରନ୍ତ ସଂଶୋଧନ କରିବା ଏବଂ ଭବିଷ୍ୟତରେ ପାଠ୍ୟପୁସ୍ତକ ପ୍ରସ୍ତୁତି ସମୟରେ ଅଧିକ ସତର୍କତା ଅବଲମ୍ବନ କରିବାକୁ ସମ୍ପୃକ୍ତ ବିଭାଗକୁ ପରାମର୍ଶ ଦିଆଯାଇଛି।

ଶିକ୍ଷାର ଗୁଣବତ୍ତା ଏବଂ ପାଠ୍ୟସାମଗ୍ରୀର ସଠିକତା ପ୍ରତି ସରକାର ଗୁରୁତ୍ୱ ଦେଉଥିବା ବେଳେ ଏହି ଘଟଣାର ଶୀଘ୍ର ସମାଧାନ ଉପରେ ଜୋର ଦିଆଯାଇଛି।

Leave a Reply

Your email address will not be published. Required fields are marked *