Naveen wrote Letter

ସୀମା ପୁନଃ ନିର୍ଦ୍ଧାରଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଚିଠି ଲେଖି ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟ ବିଧାନ ସଭାର ସ୍ୱତନ୍ତ୍ର ଅଧିବେଶନ ଡାକି ଏ ପ୍ରସଙ୍ଗ ରେ ଆଲୋଚନା କରିବା ପାଇଁ ଅନୁରୋଧ କରିଛନ୍ତି । ନବୀନ କହିଛନ୍ତି ଯେ ସମ୍ବିଧାନର ପ୍ରସ୍ତାବିତ ୧୩୧ ତମ ସଂଶୋଧନ ବିଲ୍‌ ୨୦୨୬ – ସୀମା ପୁନଃ ନିର୍ଦ୍ଧାରଣ ବିଲ୍‌ ଦ୍ୱାରା ଲୋକସଭାରେ ଆସନ ସଂଖ୍ୟାରେ ବ୍ୟାପକ ପରିବର୍ତ୍ତନ ଘଟିବ । ଲୋକ ସଭାର ସଦସ୍ୟ ସଂଖ୍ୟା ୫୪୩ ରି ୮୫୦ କୁ ବୃଦ୍ଧି ପାଇବ । ବର୍ତ୍ତମାନ ଓଡିଶାର ଲୋକ ସଭା ଆସନ ସଂଖ୍ୟା ୨୧ ଅଛି ଯାହାକି ମୋଟ ଆସନ ସଂଖ୍ୟାର ୩.୯ ପ୍ରତିଶତ । କିନ୍ତୁ ଯଦି ଉପରୋକ୍ତ ସମ୍ବିଧାନ ସଂଶୋଧନ ବିଲ୍‌ ପାରିତ ହୁଏ ତେବେ ଲୋକସଭାରେ ଓଡିଶାର ପ୍ରତିନିଧିତ୍ୱ ୨୯ କୁ ବୃଦ୍ଧି ପାଇବ । କିନ୍ତୁ ଆନୁପାତିକ ହାରରେ ଏହା ୩.୯ ପ୍ରତିଶତରୁ ୩.୪ ପ୍ରତିଶତକୁ ହ୍ରାସ ଘଟିବ ।
ଓଡିଶା ଜନସଂଖ୍ୟା ନିୟନ୍ତ୍ରଣରେ ଏକ ଆଗୁଆ ରାଜ୍ୟ ଏବଂ ମାନବ ସମ୍ବଳର ବିକାଶରେ ମଧ୍ୟ ପ୍ରଶଂସନୀୟ କାର୍ଯ୍ୟ କରି ଆସିଛି । କିନ୍ତୁ ଏହି ନୂତନ ସଂଶୋଧନ ଦ୍ୱାରା ଓଡିଶାର ରାଜନୈତିକ ପ୍ରତିନିଧିତ୍ୱ ଜାତୀୟ ସ୍ତରରେ ୧୫ ପ୍ରତିଶତ ହ୍ରାସ ର ସମ୍ଭାବନା ରହିଛି, ଯାହାକି ଚିନ୍ତା ଜନକ । ଓଡ଼ିଶାର ରାଜନୈତିକ ପ୍ରତିଷ୍ଠା ବିଶେଷ ଭାବରେ ପ୍ରଭାବିତ ହେବ । ରିପୋର୍ଟ ଅନୁଯାୟୀ ଏହି ପ୍ରସ୍ତାବିତ ନୂତନ ବ୍ୟବସ୍ଥା ଦ୍ୱାରା ଓଡିଶା ବିପୁଳ କ୍ଷତି ସହିବାରେ ଦେଶର ଚତୁର୍ଥ ରାଜ୍ୟ ହେବ । ସାଢେ ଚାରିକୋଟି ଓଡିଆଙ୍କ ଆଶା ଓ ଆକାଂକ୍ଷା ଉପରେ ଏହା ଏକ ଶକ୍ତ ପ୍ରହାର ସଦୃଶ ଏବଂ ଆମର ଭବିଷ୍ୟତ ପୀଢି ପାଇଁ ବହୁତ ବଡ ଅନ୍ୟାୟ ହେବ ।
ଯଦି ଓଡିଶାର ରାଜନୈତିକ ଅଧିକାର ଅକ୍ଷୁର୍ଣ୍ଣ ରୁହେ, ତେବେ ଯାଇ ଆମେ ଏହି ବିଲ୍‌କୁ ସ୍ୱାଗତ କରିବୁ । କିନ୍ତୁ ଆମର ମହାନ ସମ୍ବିଧାନରେ ଉଲ୍ଲିଖିତ ସହଯୋଗ ମୂଳକ ସଂଘୀୟବାଦର ଏହି ବିଲ୍‌ ବିରୁଦ୍ଧାଚରଣ କରୁଅଛି । ତେଣୁ ଓଡିଶାର ରାଜନୈତିକ ଅଧିକାର କ୍ଷୁର୍ଣ୍ଣ ହେଲା ଭଳି ଯଦି କୌଣସି କାର୍ଯ୍ୟ ଘଟେ ତେବେ ଏହା ଓଡିଶାବାସୀଙ୍କର ଆଶା ଆକାଂକ୍ଷା ପ୍ରତି ଐତିହାସିକ ଧୋକା ହେବ ବୋଲି ନବୀନ କହିଛନ୍ତି ।

ଓଡିଶାର ଅତୀତ ଗୌରବ ଓ ମହାନ ଐତିହ୍ୟ ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ପଟ୍ଟନାୟକ କହିଛନ୍ତି ଅପ୍ରେଲ ପହିଲା ୧୯୩୬ ମସିହାରେ ଓଡିଶା ଦେଶର ପ୍ରଥମ ଭାଷା ଭିତ୍ତିକ ରାଜ୍ୟର ମାନ୍ୟତା ଲାଭ କଲା । ଓଡିଆ ଭାଷାଭାଷୀ ଅଞ୍ଚଳ ଏକାଠି ହେଲା । ଆମର ପୂର୍ବ ସୁରୀ ମାନଙ୍କର ନିରନ୍ତର ସଂଗ୍ରାମ ଓ ଦୂର ଦୃଷ୍ଟିର ଫଳ ଶ୍ରୁତି ସ୍ୱରୂପ ଏହି ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଓଡିଆ ଅସ୍ମିତାର ଜୟଗାନ କରି ଚାଲୁଛି । ଆମର ପୂର୍ବ ସୁରୀ ମାନେ ଅନେକ ତ୍ୟାଗ ସ୍ୱୀକାର କରି ଓଡିଆ ସଂସ୍କୃତିକୁ ସୁରକ୍ଷିତ ରଖି ଯାଇଛନ୍ତି । ଓଡିଶା କେବଳ ଏକ ଭୌଗଳିକ ସତ୍ତା ନୁହେଁ, ଓଡିଆ ଭାଷା କହୁଥିବା ସାଢେ ଚାରିକୋଟି ଓଡିଶାବାସୀଙ୍କର ଆସ୍ଥାର ଦେବାଳୟ ।
ସ୍ୱାଧୀନତା ସଂଗ୍ରାମରେ ଓଡିଶାର ପ୍ରମୁଖ ଭୂମିକ ବିଷୟରେ ଉଲ୍ଲେଖ କରି ନବୀନ ତାଙ୍କ ପତ୍ରରେ ୧୮୧୭ ମସିହାର ପାଇକ ବିଦ୍ରୋହ ଓ ୧୯୪୨ର ଭାରତ ଛାଡ ଆନ୍ଦୋଳନ ଆଦିରେ ଏ ମାଟିର ସୁଯୋଗ୍ୟ ସନ୍ତାନ ବକ୍ସି ଜଗବନ୍ଧୁ, ବୀର ସୁରେନ୍ଦ୍ର ସାଏ ଓ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଅତୁଳନୀୟ ଅବଦାନକୁ ଶ୍ରଦ୍ଧାର ସହ ସ୍ମରଣ କରିଛନ୍ତି । ସେହିପରି ଦେଶର ସର୍ବ କନିଷ୍ଠ ଶହୀଦ ବାଜି ରାଉତଙ୍କ ତ୍ୟାଗ ଓ ବଳିଦାନକୁ ମଧ୍ୟ ଉଲ୍ଲେଖ କରି ତାଙ୍କୁ ସାହାସର ପ୍ରତୀକ ଭାବରେ ବର୍ଣ୍ଣନା କରିଛନ୍ତି । ଏହି ମହାପୁରୁଷ ମାନଙ୍କର ଅବଦାନ ସବୁବେଳେ ସମସ୍ତଙ୍କୁ ପ୍ରେରଣା ଦେଇ ଚାଲିଛି ଓ ଚାଲିବ ।
ଓଡିଶା ମହାପ୍ରଭୁ ଜଗନ୍ନାଥଙ୍କର ପବିତ୍ର ଭୂମି । ଜଗନ୍ନାଥ ସଂସ୍କୃତି ହେଉଛି ଭାରତୀୟତାର ଆଧ୍ୟାତ୍ମିକ ଓ ନୈତିକ ଶକ୍ତି । ଜଗନ୍ନାଥ ସଂସ୍କୃତି ସବୁବେଳେ ସାମ୍ୟତା, ଭ୍ରାତୃତ୍ୱ ଓ କରୁଣାର ପ୍ରଚାର କରି ଆସିଅଛି ଏବଂ ଏହି ମୂଲ୍ୟବୋଧହିଁ ଆମ ଭାରତୀୟ ସାଧାରଣତନ୍ତ୍ରର ମୂଳ ଭିତ୍ତି ।
ଏହି ସାଂସ୍କୃତିକ ଓ ଐତିହାସିକ ପଟ୍ଟଭୂମିରେ ଓଡିଶାର ମହାନତାକୁ ଆଖି ଆଗରେ ରଖି ଓଡିଶାର ରାଜନୈତିକ ଅଧିକାର ଯେପରି କ୍ଷୂର୍ଣ୍ଣ ନ ହୁଏ , ସେଥିପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ତୁରନ୍ତ ପଦକ୍ଷେପ ନେବା ପାଇଁ ନବୀନ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଆମେ ଯଦି ବର୍ତ୍ତମାନ ପରିସ୍ଥିତିରେ ଦୃଢ଼ ପ୍ରତିବାଦ ନ କରି ଓଡିଶାର ରାଜନୈତିକ ପ୍ରତିଷ୍ଠା ହ୍ରାସର ନୀରବ ଦ୍ରଷ୍ଟା ହୋଇ ରହିବା, ତେବେ ଭବିଷ୍ୟତ ବଂଶଧର ଆମକୁ କେବେ କ୍ଷମା କରିବେ ନାହିଁ ।
ତେଣୁ ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କର ନୈତିକ ଓ ଆଇନଗତ କ୍ଷମତା ସମ୍ପର୍କରେ ସ୍ମରଣ କରାଇ ଦେଇ ଶ୍ରୀ ପଟ୍ଟନାୟକ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଓଡିଶା ବିଧାନ ସଭାର ସ୍ୱତନ୍ତ୍ର ଅଧିବେଶନ ଡାକି ଏହାକୁ ବିରୋଧ କରି ବିଧାନସଭା ରେ ଏକ ସଂକଳ୍ପ ପାରିତ କରିବା ପାଇଁ ଅନୁରୋଧ କରିଛନ୍ତି । ଓଡିଶାର ରାଜନୈତିକ ଅଧିକାର ଯେପରି ୦.୦୦୧% କ୍ଷୁର୍ଣ୍ଣ ନ ହେବ ସେଥିପାଇଁ ଆମେ ସମସ୍ତେ କାମ କରିବା ଦରକାର । ଏହି ପ୍ରସଙ୍ଗକୁ ଜଣେ ଓଡିଆ ଭାବରେ ଦୃଢତାର ସହ ଗ୍ରହଣ କରିବା ପାଇଁ ଅନୁରୋଧ କରିବା ସହ ଆମର ପ୍ରିୟ ଓଡିଶା ମାଟିର ଭାଗ୍ୟ ଓ ଭବିଷ୍ୟତର ସୁରକ୍ଷା ପାଇଁ ବିଜୁ ଜନତା ଦଳ ତାଙ୍କୁ ପୂର୍ଣ୍ଣ ସମର୍ଥନ ଜଣାଇବ ବୋଲି ଶ୍ରୀ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଛନ୍ତି ।
ମହିଳା ସଂରକ୍ଷଣ ବିଲ୍‌ ସମ୍ପର୍କରେ ଉଲ୍ଲେଖ କରି ନବୀନ କହିଛନ୍ତି ଯେ ମହାନ ଜନନାୟକ ବିଜୁ ବାବୁ ମହିଳା ସଂରକ୍ଷଣ ଓ ମହିଳା ସଶକ୍ତି କରଣ କ୍ଷେତ୍ରରେ ସାରା ଦେଶରେ ଜଣେ ଅଗ୍ରଦୂତ ଥିଲେ । ବିଜୁ ଜନତା ଦଳ ସବୁବେଳେ ବିଧାନ ସଭା ଓ ପାର୍ଲାମେଣ୍ଟରେ ମହିଳା ମାନଙ୍କ ପ୍ରତିନିଧିତ୍ୱ ବୃଦ୍ଧି ପାଇଁ ସଂଗ୍ରାମ କରି ଆସିଛି । ପଞ୍ଚାୟତି ରାଜ ଅନୁଷ୍ଠାନ ମାନଙ୍କରେ ମହିଳା ମାନଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ବିଜେଡି ବହୁ ପୂର୍ବରୁ କରିଛି । ତେଣୁ ମହିଳାଙ୍କ ସଶକ୍ତି କରଣ ପାଇଁ ଆସୁଥିବା ଜାତୀୟ ବିଧେୟକକୁ ବିଜୁ ଜନତା ଦଳ ପୂର୍ଣ୍ଣ ସମର୍ଥନ ଦେବ ବୋଲି ନବୀନ ତାଙ୍କ ପତ୍ରରେ ମଧ୍ୟ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *