ଭୁବନେଶ୍ୱର, ୨୩ ଜୁଲାଇ: ନୀତି ଆୟୋଗ ପକ୍ଷରୁ ପ୍ରକାଶିତ ଇନଭେଷ୍ଟମେଣ୍ଟ ଫ୍ରେଣ୍ଡଲିନେସ୍ ଇଣ୍ଡେକ୍ସ-୨୦୨୬ରେ ଦେଶର ଶୀର୍ଷ ୫ଟି ରାଜ୍ୟ ମଧ୍ୟରେ ଓଡ଼ିଶା ସ୍ଥାନ ପାଇଛି। ପୂର୍ବ ଓ ଉତ୍ତର ଭାରତରୁ ଓଡ଼ିଶା ଏକମାତ୍ର ରାଜ୍ୟ ଭାବେ ଏହି ତାଲିକାରେ ସ୍ଥାନ ଅଧିକାର କରିଛି। ଏହି ସଫଳତା ପରେ ରାଜ୍ୟର ବିଭିନ୍ନ ଶିଳ୍ପପତି, ଶିଳ୍ପ ପ୍ରତିନିଧି ଓ ଶିଳ୍ପ ସଂଘର କର୍ମକର୍ତ୍ତାମାନେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସମ୍ବର୍ଦ୍ଧନା ଜଣାଇଛନ୍ତି। ନୀତି ଆୟୋଗର ସୂଚକାଙ୍କ ଅନୁସାରେ, ୫୬.୬ ପଏଣ୍ଟ ସହ ଗୁଜୁରାଟ ପ୍ରଥମ ସ୍ଥାନରେ ରହିଥିବା ବେଳେ ୫୨.୪ ପଏଣ୍ଟ ସହ ଓଡ଼ିଶା ପଞ୍ଚମ ସ୍ଥାନ ଅଧିକାର କରିଛି। ମହାରାଷ୍ଟ୍ର, ତାମିଲନାଡୁ ଓ ଗୋଆ କ୍ରମଶଃ ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛନ୍ତି। ବୃହତ୍ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶାର ସ୍ଥାନ ଚତୁର୍ଥ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ନୀତି ଆୟୋଗର ଏହି ସ୍ୱୀକୃତି ଟିମ୍ ଓଡ଼ିଶା ଏବଂ ରାଜ୍ୟର ଉଦ୍ୟୋଗୀମାନଙ୍କ ପାଇଁ ବଡ଼ ପ୍ରେରଣା। କେବଳ ଶିଳ୍ପ କ୍ଷେତ୍ରରେ ନୁହେଁ, ଅର୍ଥନୈତିକ ଅଭିବୃଦ୍ଧିରେ ମଧ୍ୟ ଓଡ଼ିଶାକୁ ଶ୍ରେଷ୍ଠ ୫ ରାଜ୍ୟ ମଧ୍ୟରେ ପହଞ୍ଚାଇବା ସରକାରଙ୍କ ଲକ୍ଷ୍ୟ ବୋଲି ସେ କହିଛନ୍ତି। ସେ କହିଛନ୍ତି, ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ ଶିଳ୍ପାୟନ ଓ ପୁଞ୍ଜିନିବେଶ କ୍ଷେତ୍ରରେ ଅଭୂତପୂର୍ବ ଅଗ୍ରଗତି ହୋଇଛି। ସରକାର ୫ ବର୍ଷରେ ୫ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶର ଲକ୍ଷ୍ୟ ରଖିଥିବା ବେଳେ, ମାତ୍ର ଦୁଇ ବର୍ଷରେ ୩ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ ସୁନିଶ୍ଚିତ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ, ଗତ ଦୁଇ ବର୍ଷରେ ଓଡ଼ିଶା ପ୍ରାୟ ୨୦ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆକର୍ଷିତ କରିଛି। ବର୍ତ୍ତମାନ ସୁଦ୍ଧା ୪୫୩ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିବା ବେଳେ, ଏଥିରୁ ୯.୫୦ ଲକ୍ଷ କୋଟି ଟଙ୍କାର ନିବେଶ ଏବଂ ପ୍ରାୟ ୨.୫୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହାଛଡ଼ା, ୩.୧୧ ଲକ୍ଷ କୋଟି ଟଙ୍କାର ୧୫୨ଟି ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ ହୋଇସାରିଛି। ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ କହିଛନ୍ତି, ଏହି ରାଙ୍କିଂ କେବଳ ଏକ ସ୍ଥାନ ନୁହେଁ, ବରଂ ଓଡ଼ିଶା ପ୍ରତି ନିବେଶକମାନଙ୍କ ବିଶ୍ୱାସର ପ୍ରତିଫଳନ। ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି, ଗତ ଦୁଇ ବର୍ଷ ମଧ୍ୟରେ ଓଡ଼ିଶା ଦେଶର ଆଇଟି ମାନଚିତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ସିଆଇଆଇ ଓଡ଼ିଶାର ଅଧ୍ୟକ୍ଷ ଅନିଲ ସିଂହ କହିଛନ୍ତି, ସରକାର, ଶିଳ୍ପପତି ଓ ପ୍ରଶାସନ ମିଳିତ ଭାବେ ଟିମ୍ ଓଡ଼ିଶା ମନୋଭାବରେ କାମ କରୁଥିବାରୁ ରାଜ୍ୟ ଏହି ସଫଳତା ହାସଲ କରିଛି। ଆଇସିସି ଓଡ଼ିଶାର ଚେୟାରମ୍ୟାନ ରାଜୀବ ସାହୁ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ପ୍ରାୟ ପ୍ରତିଦିନ ଓଡ଼ିଶା ଶିଳ୍ପ କ୍ଷେତ୍ରରେ ନୂଆ ସଫଳତା ହାସଲ କରୁଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ଇପିକଲ୍ର ପରିଚାଳନା ନିର୍ଦ୍ଦେଶକ ଆବୋଲି ସୁନୀଲ ନରଭାଣେଙ୍କ ସମେତ ବିଭିନ୍ନ ଶିଳ୍ପ ସଂଘର ପ୍ରତିନିଧିମାନେ ଉପସ୍ଥିତ ଥିଲେ। Post navigation ଛାତ୍ରଛାତ୍ରୀଙ୍କ ନାଁରେ ଦେଶରେ ଏକ ଖରାପ ପରମ୍ପରା ସୃଷ୍ଟି କରାଯାଉଛି। ଏହା ପ୍ରକୃତ ଛାତ୍ର ଆନ୍ଦୋଳନ ନୁହେଁ; ବରଂ ରାଜନୈତିକ ଉଦ୍ଦେଶ୍ୟରେ ଦେଶରେ ଅରାଜକତା ସୃଷ୍ଟି କରିବାର ଏକ ପ୍ରୟାସ। ତାଳଚେର–ବିମଳାଗଡ଼ ରେଳ ପ୍ରକଳ୍ପ: ୨୩ ବର୍ଷ ପରେ ବି ଶେଷ ହେବାର ସମୟସୀମା ଅସ୍ପଷ୍ଟ