ନବୀନଙ୍କ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ବଢ଼ାଇଲା ବିଶୃଙ୍ଖଳା। ରାଜ୍ୟ ସଂଗଠନ ସଜାଡୁ ସଜାଡୁ ବିଗିଡ଼ିଲାଣି ଜିଲ୍ଲା ସଂଗଠନ। ନେତାଙ୍କୁ ନିଲମ୍ବନ ପରେ ଦଳ ଛାଡିଲେ ସମର୍ଥକ। ପୁଣି ତେଜିଲା ପାଣ୍ଡିଆନଙ୍କ ବିରୋଧରେ ପ୍ରତିବାଦ। ନିଲମ୍ବନ ବିରୋଧରେ ବର୍ଷିଲେ ନେତା। ଏପଟେ ବିଜେଡି କହିଛି ୬ ବିଧାୟକଙ୍କୁ ନିଲମ୍ବନ ସହ ସଦସ୍ୟତା ପଦ ରଦ୍ଦ ପାଇଁ ଆଇନଗତ ଲଢେଇ ମଧ୍ୟ ଲଢ଼ିବ। ବାଲେଶ୍ୱରରେ ସୁବାସିନୀ ସମର୍ଥକଙ୍କ ଇସ୍ତଫା ପର୍ବ। ବିଜେଡିରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠନ ପରେ ବଢ଼ିଲା ବିଶୃଙ୍ଖଳା। ବୁମେରାଂ ହେଲା ୬ ବିଧାୟକଙ୍କୁ ନିଲମ୍ବନ। ବିଧାୟକଙ୍କ ସମର୍ଥନରେ ଦଳ ଛାଡ଼ିଲେ ତୃଣମୂଳ ସ୍ତର କର୍ମୀ ଓ ନେତା। ଏ ଦୃଶ୍ୟ ବସ୍ତା ନିର୍ବାଚନମଣ୍ଡଳୀ ଅଧୀନରେ ଥିବା ବାଲିଆପାଳ ବ୍ଲକର। ବାଲିଆପାଳ ବ୍ଲକ୍ ସଭାପତିଙ୍କ ସହ ଦୁଇ ଜଣ ଜିଲ୍ଲା ପରିଷଦ ଓ ୨ ହଜାର କର୍ମୀ ବିଜେଡିକୁ କରିଛନ୍ତି ବାଏ ବାଏ। ଏପଟେ କଟକରେ ବି ମେଳି । ପାଣ୍ଡିଆନଙ୍କ ପୋଷ୍ଟର ଜାଳିଛନ୍ତି ବିଧାୟକ ଦେବୀ ତ୍ରିପାଠୀଙ୍କ ସମର୍ଥକ । ଆଉ ଏପଟେ ସାମ୍ବାଦିକ ସମ୍ମିଳନୀ କରି ଦଳ ଓ ସୁପ୍ରିମୋଙ୍କ ଉପରେ ବର୍ଷିଛନ୍ତି ବିଧାୟକ ସୌଭିକ ବିଶ୍ବାଳ କହିଛନ୍ତି, ‘ବାପାଙ୍କୁ ବହିଷ୍କାର ବେଳେ ମୁଁ ବି ବହିଷ୍କାର ହୋଇଯାଇଛି ବୋଲି ଭାବିଥିଲି । ଯେଉଁ ଦଳ ବାପାଙ୍କ ମୁଣ୍ଡ କାଟ କରିଛି, ସେ ଦଳକୁ ପୁଅ କେମିତି ଭୋଟ ଦେବ । ଏବେ ରାଜନୈତିକ ଅସ୍ଥିରତା ଚାଲିଛି । ସମୟ କହିବ ରାଜନୈତିକ ନିଷ୍ପତି କଣ ହେବ । ସେପଟେ ବାଲିଗୁଡା ବିଧାୟକ ଚକ୍ରମଣୀ କହଁର ମଧ୍ୟ ପ୍ରତିକ୍ରିୟା ରଖି କହିଛନ୍ତି, ମୁଁ ନିଲମ୍ବନ ଆଦେଶକୁ ଗ୍ରହଣ କରିପାରୁନି । ମୁଁ ବିଜେଡି ସହ ବିଶ୍ୱାସଘାତକତା କରିନି । ବିଜୁ ଲିଗାସୀକୁ ଭୋଟ ଦେଇଛି। ଅନ୍ୟପଟେ ବିଜେଡି ନେତା ତଥା କଟକ ମେୟର ସୁବାସ ସିଂ କହିଛନ୍ତି, ‘ଦଳ ସହ ବିଶ୍ୱାସଘାତକତା କରିଥିବା ଦେବୀ ତ୍ରିପାଠୀ ଓ ସୌଭିକ ବିଶ୍ବାଳ ଭବିଷ୍ୟତରେ ଖତ ହୋଇଯିବେ। ସେମାନେ କଟକକୁ କଳଙ୍କିତ କରିଛନ୍ତି ବୋଲି କହିଛନ୍ତି ସୁବାସ । ଆଉ ଦଳର ବରିଷ୍ଠ ଉପସଭାପତି ଦେବୀ ମିଶ୍ର କହିଛନ୍ତି, ବିଜେଡି ସମ୍ବିଧାନରେ ଶୃଙ୍ଖଳା ଭାଙ୍ଗି ଥିବାରୁ କାର୍ଯ୍ୟାନୁଷ୍ଠାନ ହୋଇଛି । ଦଳର କଲେକ୍ଟିଭ ନିଷ୍ପତ୍ତିକୁ ମାନି ନଥିବାରୁ ସଭ୍ୟ ପଦ କାହିଁକି ରଦ୍ଦ କରାନଯିବ ସେ ନେଇ ବାଚସ୍ପତିଙ୍କ ପାଖରେ ବିଜେଡି ଆବେଦନ କରିବ ବୋଲି ସେ କହିଛନ୍ତି ।ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିବା ବେଳେ ବିଜେଡିରେ ନିଲମ୍ବନ ଓ ଇସ୍ତଫା ପର୍ବ ସୁପ୍ରିମୋଙ୍କ ପାଇଁ ଟେନସନ ବଢ଼ାଇଛି । ବିଶେଷ କରି ରାଜ୍ୟସଭା ନିର୍ବାଚନ ବିଗାଡି ଦେଇଛି ବିଜେଡିର ସବୁ ଅଙ୍କ । ଆଗକୁ ଏହା କେଉଁ ମୋଡ଼ ନେଉଛି ତାଉପରେ ନଜର। Post navigation ଗ୍ରୀଷ୍ମ ପ୍ରବାହ ପାଇଁ ଶ୍ରମ ବିଭାଗର ନୂଆ ଗାଇଡଲାଇନ ଓଡ଼ିଶା ଖଦି ମେଳା – ୨୦୨୬ ଉଦ୍ଘାଟିତ