ବିଜେପି ଏମପି ନିଶିକାନ୍ତ ଦୁବେ ବିଜୁ ପଟ୍ଟନାୟକଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ରଖିଛନ୍ତି। ନିଶିକାନ୍ତ କହିଛନ୍ତି ବିଜୁ ପଟ୍ଟନାୟକ ଥିଲେ ଆମେରିକାର ଗୁଇନ୍ଦା ସଂସ୍ଥା CIA ର ଏଜେଣ୍ଟ। ଯାହାକୁ ନେଇ ଏବେ ବିଜେଡି ତରଫରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହାକୁ ବିରୋଧ କରିଛନ୍ତି ବିଜେଡିର ରାଜ୍ୟସଭା ସାଂସଦ। ସସ୍ମିତ ପାତ୍ର ଓ ମାନସ ମଙ୍ଗରାଜ ଏହାକୁ ତୀବ୍ର ନିନ୍ଦା କରିବା ସହିତ ସସ୍ମିତ ପାତ୍ର ସଂସଦୀୟ କମିଟିରୁ ଇସ୍ତଫା ଦେଇଥିବା କହିଛନ୍ତି। ବିଜୁ ଜନତା ଦଳ ତରଫରୁ ମଧ୍ୟ ଏହାକୁ ଦୃଢ଼ ଭାବରେ ନିନ୍ଦା କରାଯାଇଛି। ବିଜେଡ଼ି ତରଫରୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କୁହାଯାଇଛି ଓଡ଼ିଶାର ବରପୁତ୍ର, ମହାନ ଜନନାୟକ, ସ୍ୱାଧୀନତା ସଂଗ୍ରାମୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ବିରୋଧରେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ମିଥ୍ୟା ଓ ଅପମାନଜନକ ମନ୍ତବ୍ୟକୁ ଦୃଢ଼ ନିନ୍ଦା କରୁଛୁ। ଏହା କେବଳ ବିଜୁ ବାବୁଙ୍କ ପ୍ରତି ନୁହେଁ, ବରଂ ସମଗ୍ର ଓଡ଼ିଶା ଏବଂ ଓଡ଼ିଆ ଜାତି ପାଇଁ ଏକ ବଡ଼ ଅପମାନ। ଓଡ଼ିଆ ଅସ୍ମିତାର ଏହି ଅପମାନକୁ କୌଣସି ବି ଓଡ଼ିଆ ବରଦାସ୍ତ କରିବେ ନାହିଁ। ନିଜର ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥ ହାସଲ ପାଇଁ ଅଧାପନ୍ତରିଆ ତଥ୍ୟ ଆଧାରରେ ଏକ ମିଥ୍ୟା ନ୍ୟାରେଟିଭ୍ ତିଆରି କରିବାକୁ ଚେଷ୍ଟା କରାଯାଉଛି; ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ବିଜୁ ବାବୁ ଜଣେ ସାହସୀ ସଂଗ୍ରାମୀ ଓ ଦୂରଦର୍ଶୀ ନେତା ଥିଲେ। ଦେଶ ପାଇଁ ତାଙ୍କର ନିଃସ୍ୱାର୍ଥପର ତ୍ୟାଗ ଓ ଉତ୍ସର୍ଗୀକୃତ କାର୍ଯ୍ୟ ଅତୁଳନୀୟ। ତାଙ୍କ ଭଳି ଜଣେ ବ୍ୟକ୍ତିତ୍ୱଙ୍କ ଉପରେ ଏଭଳି ଦାୟିତ୍ୱହୀନ ଆକ୍ଷେପ ଆଦୌ ଗ୍ରହଣୀୟ ନୁହେଁ। ବିଜୁ ବାବୁଙ୍କ ଭଳି ମହାନ ନେତାଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଥିବା ବ୍ୟକ୍ତିମାନେ ମନେ ରଖିବା ଉଚିତ୍ ଯେ, ବିଜୁ ବାବୁଙ୍କ ସ୍ଥାନ ଓଡ଼ିଆଙ୍କ ହୃଦୟରେ ସବୁବେଳେ ଉଚ୍ଚରେ ରହିବ। ବିଜୁ ବାବୁଙ୍କ ଆଦର୍ଶ ଓ ବିରାଟ ବ୍ୟକ୍ତିତ୍ୱ ସଦା ସର୍ବଦା ଶୀର୍ଷରେ ରହିବ। ଓଡ଼ିଶାବାସୀ ଏହି ଅପମାନକୁ କେବେବି ସହିବେ ନାହିଁ। ଏଭଳି ହୀନ ମାନସିକତା ଦେଖାଇଥିବା ବିଜେପି ସାଂସଦ ତୁରନ୍ତ କ୍ଷମାପ୍ରାର୍ଥନା କରନ୍ତୁ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ବିଜେପିର ନେତୃବୃନ୍ଦ ଏହି ବକ୍ତବ୍ୟକୁ କଡ଼ା ଭାଷାରେ ନିନ୍ଦା କରନ୍ତୁ ନଚେତ ସାଢ଼େ ୪ କୋଟି ଓଡ଼ିଶାବାସୀ ବୁଝିବେ କେବଳ କେନ୍ଦ୍ରୀୟ ନେତୃତ୍ୱଙ୍କ ବୋଲକରା ହେବା ଛାଡ଼ିଦେଲେ ଓଡ଼ିଶା ବିଜେପି ନେତାଙ୍କୁ ଆଉ କିଛି ଜଣାନାହିଁ। Post navigation ବିଧାୟିକାଙ୍କ ଘରେ ପଶିଲା ପୁଲିସ ଡବଲ ଇଞ୍ଜିନ ସରକାର ନଖରାରେ ଅଟକାଇଲା ଚାଷୀଙ୍କୁ