ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ତିନିଦିନିଆ ଗୁଜରାଟ ଗସ୍ତ ଓଡ଼ିଶାର ଶିଳ୍ପାୟନ ଓ ନିଯୁକ୍ତି କ୍ଷେତ୍ରରେ ଏକ ନୂଆ ଆଶା ସୃଷ୍ଟି କରିଛି। ଗୁଜରାଟରୁ ଫେରିବା ପରେ ଭୁବନେଶ୍ୱରରେ ଗଣମାଧ୍ୟମକୁ ସମ୍ବୋଧନ କରି ସେ କହିଥିଲେ ଯେ, ଆଗାମୀ ଦଶ ବର୍ଷ ଓଡ଼ିଶା ପାଇଁ “ସୁବର୍ଣ୍ଣ ଦଶକ” ଭାବେ ପରିଚିତ ହେବ। ଏହି ଗସ୍ତ ଅବସରରେ ରାଜ୍ୟ ପାଇଁ ମୋଟ ୪୮,୩୩୦ କୋଟି ଟଙ୍କାର ପୁଞ୍ଜି ନିବେଶ ପ୍ରସ୍ତାବ ମିଳିଥିବାବେଳେ ୬୭,୮୩୮ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସେ ସୂଚନା ଦେଇଥିଲେ। ଗୁଜରାଟର ଅହମଦାବାଦ, ମୁନ୍ଦ୍ରା, ଏକତା ନଗର ଓ ଭଦୋଦରାରେ ଆୟୋଜିତ ନିବେଶକ ସମ୍ମିଳନୀ ଏବଂ ରୋଡ୍-ଶୋ’ରେ ମୁଖ୍ୟମନ୍ତ୍ରୀ ଶିଳ୍ପପତିମାନଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ୮ଟି MoU ଓ ୬୩ଟି ନିବେଶ ଆଗ୍ରହ ପତ୍ର ସହ ମୋଟ ୭୧ଟି ପ୍ରସ୍ତାବ ମିଳିଥିଲା। ଗ୍ରୀନ୍ ଏନର୍ଜି, ସେମିକଣ୍ଡକ୍ଟର, ଫାର୍ମାସ୍ୟୁଟିକାଲ୍ସ, ଲଜିଷ୍ଟିକ୍ସ, ଆଇଟି, ଟେକ୍ସଟାଇଲ୍, ଖାଦ୍ୟ ପ୍ରକ୍ରିୟାକରଣ ଓ ଏରୋସ୍ପେସ୍ ଭଳି କ୍ଷେତ୍ରରେ ନିବେଶ ପାଇଁ ଶିଳ୍ପପତିମାନେ ଆଗ୍ରହ ଦେଖାଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପଶ୍ଚିମ ଭାରତର ଦ୍ରୁତ ଶିଳ୍ପ ବିକାଶ ପରେ ବର୍ତ୍ତମାନ ପୂର୍ବ ଭାରତର ଉଦୟ ସମୟ ଆସିଛି। ପାରାଦୀପ, ଧାମରା ଓ ଗୋପାଳପୁର ପରି ବନ୍ଦର ମାଧ୍ୟମରେ ଓଡ଼ିଶା ପୂର୍ବ ଏସିଆ ଓ ଇଣ୍ଡୋ-ପାସିଫିକ୍ ଅଞ୍ଚଳ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଗେଟୱେ ଭାବେ ଉଭୁ କରିପାରିବ। ରାଜ୍ୟ ସରକାରଙ୍କ GO-SWIFT ସିଙ୍ଗଲ୍ ୱିଣ୍ଡୋ ବ୍ୟବସ୍ଥା ମାଧ୍ୟମରେ ନିବେଶକମାନଙ୍କୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ସେ ଆଶ୍ୱାସନ ଦେଇଥିଲେ। Post navigation ବଦଳିବେ ଓଡିଶାର ମୁଖ୍ୟମନ୍ତ୍ରୀ, ଚର୍ଚ୍ଚାରେ ଗିରିଶ ମୂର୍ମୁ ବ୍ଲାକମେଲ କରୁଥିଲେ IPS, ଏପ୍ରିଲରୁ ବନ୍ଦ ଥିଲା ଦରମା