ରାଜ୍ୟର ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ନାମଲେଖା ପାଇଁ ସଂରକ୍ଷଣ ବ୍ୟବସ୍ଥାରେ ଏକ ବଡ଼ ଧରଣର ସଂସ୍କାର ଆଣିଛନ୍ତି ମୋହନ ମାଝୀ ସରକାର।

ଇଞ୍ଜିନିୟରିଂ ଏବଂ ମେଡିକାଲ ପରି ବୈଷୟିକ ପାଠ୍ୟକ୍ରମରେ ଏଣିକି ଅନୁସୂଚିତ ଜାତି, ଜନଜାତି ଏବଂ ପଛୁଆ ବର୍ଗର ଛାତ୍ରଛାତ୍ରୀମାନେ ପୂର୍ବ ଅପେକ୍ଷା ଅଧିକ ସୁବିଧା ପାଇବେ। ଏନେଇ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ଏକ ସ୍ମାରକପତ୍ର (Memorandum) ଜାରି କରାଯାଇଛି।

କେତେ ବଢ଼ିଲା ସଂରକ୍ଷଣ ସୀମା?
ନୂଆ ନିୟମ ଅନୁଯାୟୀ, ଅନୁସୂଚିତ ଜନଜାତି (ST) ବର୍ଗଙ୍କ ପାଇଁ ସଂରକ୍ଷଣ ହାର ୧୨ ପ୍ରତିଶତରୁ ବୃଦ୍ଧି କରାଯାଇ ୨୨.୫ ପ୍ରତିଶତ କରାଯାଇଛି। ସେହିଭଳି ଅନୁସୂଚିତ ଜାତି (SC) ଛାତ୍ରଛାତ୍ରୀଙ୍କ ପାଇଁ ଏହି ସୀମା ୮ ପ୍ରତିଶତରୁ ୧୬.୨୫ ପ୍ରତିଶତକୁ ବୃଦ୍ଧି ପାଇଛି।

SEBC ବର୍ଗଙ୍କ ପାଇଁ ଖୁସି ଖବର:
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ପୂର୍ବରୁ ବୈଷୟିକ ଶିକ୍ଷା କ୍ଷେତ୍ରରେ ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆ ବର୍ଗ (SEBC) ପାଇଁ କୌଣସି ସ୍ୱତନ୍ତ୍ର ସଂରକ୍ଷଣ ବ୍ୟବସ୍ଥା ନଥିଲା। ମାତ୍ର ସରକାର ଏବେ ଏହି ବର୍ଗ ପାଇଁ ୧୧.୨୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି।

୨୦୨୬ରୁ ଲାଗୁ ହେବ ନୂଆ ନିୟମ:
ଏହି ବର୍ଦ୍ଧିତ ସଂରକ୍ଷଣ ବ୍ୟବସ୍ଥା ଆସନ୍ତା ୨୦୨୬-୨୭ ଶିକ୍ଷାବର୍ଷରୁ କାର୍ଯ୍ୟକାରୀ ହେବ। ସୂଚନାଯୋଗ୍ୟ ଯେ, ଗତ ଏପ୍ରିଲ ୪ ତାରିଖରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ପ୍ରସ୍ତାବ ଉପରେ ମୋହର ବାଜିଥିଲା। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଘୋଷଣା କରିବା ସହ ଏହାର ସଫଳ ରୂପାୟନ ପାଇଁ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।
ସାଧାରଣ ଉଚ୍ଚଶିକ୍ଷା (BA, B.Com, B.Sc) ଏବଂ ନିଯୁକ୍ତି କ୍ଷେତ୍ରରେ ପୂର୍ବରୁ ସମାନୁପାତିକ ସଂରକ୍ଷଣ ବ୍ୟବସ୍ଥା ରହିଥିବା ବେଳେ, ଏବେ ବୈଷୟିକ ଶିକ୍ଷା କ୍ଷେତ୍ରରେ ଏହି ନିଷ୍ପତ୍ତି ଗରିବ ଓ ପଛୁଆ ବର୍ଗର ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବ।

Leave a Reply

Your email address will not be published. Required fields are marked *