ନୂଆଦିଲ୍ଲୀ: ନୀଟ୍ (NEET) ପ୍ରଶ୍ନପତ୍ର ଲିକ୍ ଏବଂ ଶିକ୍ଷା ବ୍ୟବସ୍ଥାରେ ଦେଖାଦେଇଥିବା ବିଭ୍ରାଟକୁ ନେଇ ସାରା ଦେଶରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହି ପ୍ରସଙ୍ଗରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି ଆସନ୍ତା ଜୁନ୍ ୬ ତାରିଖରେ ନୂଆଦିଲ୍ଲୀର ଐତିହାସିକ ଜନ୍ତରମନ୍ତରଠାରେ ଏକ ବିଶାଳ ଗଣଧାରଣା ଦିଆଯିବ। ଆନ୍ଦୋଳନର ନେତୃତ୍ୱ ନେବେ ଅଭିଜିତ ଦୀପକେ:ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚିତ ‘କକରୋଚ୍ ଜନତା ପାର୍ଟି’ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଏହି ଆନ୍ଦୋଳନର ମଙ୍ଗ ଧରିବେ। ବର୍ତ୍ତମାନ ଆମେରିକାରେ ଥିବା ଅଭିଜିତ ୬ ତାରିଖ ସକାଳେ ଭାରତ ଫେରିବା ପରେ ସିଧାସଳଖ ଆନ୍ଦୋଳନ ସ୍ଥଳକୁ ଯିବେ। ନୀଟ୍ ସମେତ CUET ଏବଂ ସିବିଏସଇ (CBSE) ପରୀକ୍ଷା ପରିଚାଳନାରେ ହୋଇଥିବା ଅନିୟମିତତା ଯୁବପିଢ଼ିଙ୍କ ଭବିଷ୍ୟତ ସହ ଖେଳାଯାଇଥିବା ସେ ଅଭିଯୋଗ କରିଛନ୍ତି। ଯଦିଓ ତାଙ୍କୁ ଗିରଫ କରାଯିବାର ଆଶଙ୍କା ରହିଛି, ତଥାପି ସେ ନିଜ ନିଷ୍ପତ୍ତିରେ ଅଟଳ ଥିବା କହିଛନ୍ତି। ସାମିଲ ହେବେ ସୋନମ ୱାଙ୍ଗଚୁକ: ଏହି ଆନ୍ଦୋଳନକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ପ୍ରସିଦ୍ଧ ପରିବେଶବିତ୍ ତଥା ଶିକ୍ଷା ସଂସ୍କାରକ ସୋନମ ୱାଙ୍ଗଚୁକ ନିଜର ସମର୍ଥନ ଜଣାଇଛନ୍ତି। ସେ କହିଛନ୍ତି ଯେ, ଯଦି ୫ ତାରିଖ ସୁଦ୍ଧା ଶିକ୍ଷାମନ୍ତ୍ରୀ ଇସ୍ତଫା ନଦିଅନ୍ତି, ତେବେ ସେ ନିଜେ ଦିଲ୍ଲୀ ଯାଇ ଅଭିଜିତଙ୍କ ସହ ଏହି ଶାନ୍ତିପୂର୍ଣ୍ଣ ପ୍ରତିବାଦରେ ସାମିଲ ହେବେ। ପ୍ରଥମେ ସଂଗଠନକୁ ନେଇ କିଛି ସନ୍ଦେହ ଥିଲେ ମଧ୍ୟ, ଅଭିଜିତଙ୍କ ଆଭିମୁଖ୍ୟ ଜାଣିବା ପରେ ସେ ବେଶ୍ ପ୍ରଭାବିତ ହୋଇଥିବା ପ୍ରକାଶ କରିଛନ୍ତି। ଯୁବଶକ୍ତିର ହୁଙ୍କାର: ପରୀକ୍ଷା ବିଭ୍ରାଟ ଯୋଗୁଁ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ପରିଶ୍ରମ ବୃଥା ହୋଇଥିବା ବେଳେ ଏହି ପ୍ରତିବାଦ ମାଧ୍ୟମରେ ସରକାରଙ୍କ ଉପରେ ଚାପ ପକାଇବାକୁ ଲକ୍ଷ୍ୟ ରଖାଯାଇଛି। ସାରା ଦେଶର ଯୁବପିଢ଼ି ଓ ସାଧାରଣ ଜନତା ଏହି ଲଢ଼େଇରେ ତାଙ୍କୁ ସମର୍ଥନ କରିବେ ବୋଲି ଅଭିଜିତ ଦୃଢ଼ ଆଶା ରଖିଛନ୍ତି। Post navigation ଓଡ଼ିଶାରେ ବୈଷୟିକ ଶିକ୍ଷା କ୍ଷେତ୍ରରେ ବଡ଼ ପରିବର୍ତ୍ତନ: ବଢ଼ିଲା SC, ST ଓ SEBC ସଂରକ୍ଷଣ କୋଷ୍ଟାଲ ହାଇଓ୍ବେକୁ ନେଇ ମୁହାଁମୁହିଁ ସଞ୍ଜୟ – ପୃଥ୍ବୀରାଜ