ଭୁବନେଶ୍ୱର, ୦୩ ଜୁଲାଇ: ସାମାଜିକ ଗଣମାଧ୍ୟମରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ନେଇ କରାଯାଉଥିବା କଥିତ ଅପମାନଜନକ ମନ୍ତବ୍ୟ ଓ ପୋଷ୍ଟ ପ୍ରସଙ୍ଗରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ଉପସଭାପତି ଡ. ଯତୀନ ମହାନ୍ତି ଉଦ୍ବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ସାର୍ବଜନିକ ଜୀବନରେ ଥିବା ବ୍ୟକ୍ତିଙ୍କୁ ସମାଲୋଚନା କରିବାର ଅଧିକାର ଥିଲେ ମଧ୍ୟ ଅଶାଳୀନ ଭାଷା, ଅପମାନଜନକ ମନ୍ତବ୍ୟ ଏବଂ ବିଭ୍ରାନ୍ତିକର ତଥ୍ୟ ପ୍ରଚାର କରିବା କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ। ଡ. ମହାନ୍ତିଙ୍କ କହିବା ଅନୁଯାୟୀ, ନିଜକୁ ସାମ୍ବାଦିକ ବୋଲି ପରିଚୟ ଦେଉଥିବା ସୁନୀଲ ଜେନା ନାମକ ବ୍ୟକ୍ତିଙ୍କ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅପମାନଜନକ ଭାଷା ବ୍ୟବହାର କରାଯାଇଥିବା ସହ ଭ୍ରମ ସୃଷ୍ଟିକାରୀ ତଥ୍ୟ ପ୍ରଚାର କରାଯାଉଥିବା ଅଭିଯୋଗ ରହିଛି। ଏଭଳି କାର୍ଯ୍ୟ ସାମ୍ବାଦିକତାର ମର୍ଯ୍ୟାଦାକୁ କ୍ଷୁଣ୍ଣ କରିବା ସହ ସମାଜରେ ଅନାବଶ୍ୟକ ବିବାଦ ସୃଷ୍ଟି କରୁଛି ବୋଲି ସେ ମତ ରଖିଛନ୍ତି। ସେ ଆହୁରି କହିଛନ୍ତି ଯେ, ସାମାଜିକ ଗଣମାଧ୍ୟମର ସ୍ୱାଧୀନତାର ଅର୍ଥ ଏହା ନୁହେଁ ଯେ କାହାରି ସମ୍ମାନହାନି କିମ୍ବା ମିଥ୍ୟା ସୂଚନା ପ୍ରସାର କରାଯିବ। ଆଇନର ପରିସର ମଧ୍ୟରେ ରହି ଦାୟିତ୍ୱବୋଧ ସହ ମତ ପ୍ରକାଶ କରିବା ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ ବୋଲି ସେ କହିଛନ୍ତି। ଏହି ଘଟଣାକୁ ନେଇ ବିଜେପି ପକ୍ଷରୁ ଆଜି ଭୁବନେଶ୍ୱର ସାଇବର ଥାନାରେ ସୁନୀଲ ଜେନାଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ ଦାଖଲ କରାଯାଇଛି। ଅଭିଯୋଗର ତଦନ୍ତ କରି ପ୍ରଯୁଜ୍ୟ ଆଇନ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପୋଲିସ ପକ୍ଷରୁ ପ୍ରତିନିଧିମଣ୍ଡଳୀକୁ ସୂଚନା ଦିଆଯାଇଥିବା ଡ. ମହାନ୍ତି କହିଛନ୍ତି। ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ଉପସଭାପତି ଡ. ଯତୀନ ମହାନ୍ତିଙ୍କ ସହ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଜଗନ୍ନାଥ ପ୍ରଧାନ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ଶ୍ରୀ ସୁଜିତ କୁମାର ଦାସ, ଲିଗାଲ ସେଲ୍ ରାଜ୍ୟ ସଂଯୋଜକ ଶ୍ରୀ ଜୟନ୍ତ ଜେନା, ଭୁବନେଶ୍ୱର ଜିଲ୍ଲା ଉପସଭାପତି ଶ୍ରୀ ସୁଶାନ୍ତ ଜେନାଙ୍କ ସମେତ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। Post navigation ରମାକାନ୍ତ ଗୋଚ୍ଛାୟତଙ୍କ ନୂତନ କବିତା ସଂକଳନ ‘ଲୋହିତ ସ୍ୱପ୍ନ’ ଓଡ଼ିଶାରେ ଗ୍ରୀନ୍ ଏନର୍ଜି କ୍ଷେତ୍ରକୁ ବଡ଼ ଉତ୍ସାହ; ଜାପାନୀ କମ୍ପାନୀଙ୍କ ୬୭ ହଜାର କୋଟି ଟଙ୍କାର ନିବେଶ ଯୋଜନା