ଭୁବନେଶ୍ୱର, ୩ ଜୁଲାଇ: ଓଡ଼ିଶାକୁ ସ୍ୱଚ୍ଛ ଶକ୍ତି ଓ ସବୁଜ ଶିଳ୍ପର ଅନ୍ତର୍ଜାତୀୟ କେନ୍ଦ୍ରରେ ପରିଣତ କରିବା ଦିଗରେ ରାଜ୍ୟ ସରକାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଜାପାନର ଅଗ୍ରଣୀ ଶିଳ୍ପ ସଂସ୍ଥା ACME Group ଓ IHI Corporation ସହ ଓଡ଼ିଶା ସରକାର ଏକ ସହଯୋଗ ସ୍ମାରକ (MoC) ସ୍ୱାକ୍ଷର କରିଛନ୍ତି। ଏହି ସହଭାଗିତା ମାଧ୍ୟମରେ ପାରାଦୀପ ଓ ଗୋପାଳପୁରରେ ତିନୋଟି ବୃହତ୍ ଗ୍ରୀନ୍ ଏନର୍ଜି ପ୍ରକଳ୍ପ ସ୍ଥାପନ ପାଇଁ ପ୍ରାୟ ୬୭ ହଜାର କୋଟି ଟଙ୍କା ନିବେଶ ହେବା ସହ ପ୍ରାୟ ୭,୬୦୦ ଜଣଙ୍କ ପାଇଁ ରୋଜଗାର ସୁଯୋଗ ସୃଷ୍ଟି ହେବ। ଲୋକସେବା ଭବନରେ ଜାପାନୀ ବ୍ୟବସାୟୀ ପ୍ରତିନିଧିମଣ୍ଡଳ ସହ ବୈଠକ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ, ଓଡ଼ିଶାର ଶିଳ୍ପ ବିକାଶର ଆଗାମୀ ପର୍ଯ୍ୟାୟ ପ୍ରଯୁକ୍ତି, ନବସୃଜନ ଓ ସବୁଜ ଅର୍ଥନୀତିକୁ କେନ୍ଦ୍ର କରି ଆଗକୁ ବଢ଼ିବ। ରାଜ୍ୟକୁ ବିଶ୍ୱସ୍ତରୀୟ ଗ୍ରୀନ୍ ହବ୍ ଭାବେ ଗଢ଼ି ତୋଳିବା ଦିଗରେ ସରକାର କାର୍ଯ୍ୟ କରୁଥିବା ସେ କହିଥିଲେ। ତିନୋଟି ବଡ଼ ପ୍ରକଳ୍ପ ଚୁକ୍ତି ଅନୁସାରେ ଗୋପାଳପୁରରେ ୦.୪ ଏମଟିପିଏ କ୍ଷମତା ବିଶିଷ୍ଟ ଗ୍ରୀନ୍ ଆମୋନିଆ ପ୍ରକଳ୍ପ ପାଇଁ ପ୍ରାୟ ୨୦ ହଜାର କୋଟି ଟଙ୍କା ନିବେଶ ହେବ। ଏଥିସହ ୧ ହଜାର କୋଟି ଟଙ୍କା ବ୍ୟୟରେ ଫ୍ଲୋଟିଂ ଟର୍ମିନାଲ୍ ଭିତ୍ତିଭୂମି ମଧ୍ୟ ବିକଶିତ କରାଯିବ। ପାରାଦୀପରେ ୩୪ ହଜାର କୋଟି ଟଙ୍କା ବ୍ୟୟରେ ୦.୮ ଏମଟିପିଏ କ୍ଷମତାର ଗ୍ରୀନ୍ ଆମୋନିଆ ପ୍ରକଳ୍ପ ସ୍ଥାପନ କରାଯିବ। ଏହା ସହ ୧୨ ହଜାର କୋଟି ଟଙ୍କା ବିନିଯୋଗରେ ୦.୧ ଏମଟିପିଏ କ୍ଷମତା ବିଶିଷ୍ଟ ଗ୍ରୀନ୍ ମିଥାନଲ୍ ପ୍ରକଳ୍ପ ମଧ୍ୟ ପାରାଦୀପରେ ଗଢ଼ି ଉଠିବ। ନିଯୁକ୍ତି ଓ ଅର୍ଥନୈତିକ ସୁଯୋଗ ଏହି ତିନୋଟି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପ୍ରାୟ ୭,୬୦୦ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସେହିସହ ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ନୂତନ ପ୍ରଯୁକ୍ତି, ଦକ୍ଷତା ବିକାଶ ଏବଂ ସହଯୋଗୀ ଶିଳ୍ପର ବିକାଶକୁ ମଧ୍ୟ ଏହି ପ୍ରକଳ୍ପଗୁଡ଼ିକ ଗତି ଦେବ ବୋଲି ସରକାର ଆଶା ପ୍ରକାଶ କରିଛନ୍ତି। ଗ୍ରୀନ୍ ହାଇଡ୍ରୋଜେନ୍ ଉପରେ ଫୋକସ୍ ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ ଯେ, ରାଜ୍ୟରେ ଏପର୍ଯ୍ୟନ୍ତ ୧୨ଟି ଗ୍ରୀନ୍ ହାଇଡ୍ରୋଜେନ୍ ଓ ଗ୍ରୀନ୍ ଆମୋନିଆ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଏହା ମାଧ୍ୟମରେ ୨ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ ଓ ୩୬ ହଜାରରୁ ଅଧିକ ରୋଜଗାର ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି। ଜାପାନୀ ସଂସ୍ଥାଙ୍କ ସକାରାତ୍ମକ ମନୋଭାବ ବୈଠକରେ ଜାପାନର ଶିଳ୍ପ ପ୍ରତିନିଧିମାନେ ଓଡ଼ିଶାର ପୁଞ୍ଜିନିବେଶ ପରିବେଶ, ସବୁଜ ଶକ୍ତି ନୀତି ଓ ଶିଳ୍ପାନୁକୂଳ ପଦକ୍ଷେପର ପ୍ରଶଂସା କରିଥିଲେ। ରାଜ୍ୟର ଭୌଗୋଳିକ ସୁବିଧା ଓ ବନ୍ଦର ଭିତ୍ତିଭୂମି ଜାପାନ ସମେତ ବିଦେଶୀ ବଜାରକୁ ସ୍ୱଚ୍ଛ ଶକ୍ତି ରପ୍ତାନି ପାଇଁ ସହାୟକ ହେବ ବୋଲି ସେମାନେ ମତ ପ୍ରକାଶ କରିଥିଲେ। ଆହୁରି ନିବେଶ ପାଇଁ ଆମନ୍ତ୍ରଣ ବୈଠକରେ ମୁଖ୍ୟମନ୍ତ୍ରୀ IHI Corporationକୁ ଓଡ଼ିଶାରେ ଗ୍ରୀନ୍ ଇଞ୍ଜିନିୟରିଂ ଓ ଇନୋଭେସନ୍ କେନ୍ଦ୍ର ସ୍ଥାପନ ଏବଂ Mitsubishiକୁ ଗ୍ରୀନ୍ କେମିକାଲ୍ସ ଓ ସ୍ଥାୟୀ ଇନ୍ଧନ କ୍ଷେତ୍ରରେ ନିବେଶ ପାଇଁ ଆମନ୍ତ୍ରଣ ଜଣାଇଥିଲେ। ସରକାରଙ୍କ ମତରେ, ଏହି ସହଭାଗିତା ଓଡ଼ିଶାକୁ ଗ୍ରୀନ୍ ଏନର୍ଜି କ୍ଷେତ୍ରରେ ଦେଶର ଅଗ୍ରଣୀ ରାଜ୍ୟ ଭାବେ ପ୍ରତିଷ୍ଠିତ କରିବା ସହ ଦୀର୍ଘମିଆଦିରେ ଶିଳ୍ପ ଓ ରୋଜଗାର କ୍ଷେତ୍ରରେ ନୂଆ ସମ୍ଭାବନା ସୃଷ୍ଟି କରିବ। Post navigation ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅପମାନଜନକ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ସାଇବର ଥାନାରେ ଅଭିଯୋଗ ଓଡ଼ିଶାରେ ଭୋଟର ତାଲିକା ସଂଶୋଧନ ପାଇଁ ୧୦ ଆଇଏଏସ୍ ଅଧିକାରୀ ପର୍ଯ୍ୟବେକ୍ଷକ, ଜୁଲାଇ ୫ରେ ଆସିବ ଚିଠା ତାଲିକା