ପୁରୀ: ଓଡ଼ିଶାର ରେଳ ଯୋଗାଯୋଗକୁ ଆହୁରି ସୁଦୃଢ଼ କରିବା ଦିଗରେ ଆଉ ଏକ ପଦକ୍ଷେପ ସ୍ୱରୂପ ପୁରୀ-କୋରାପୁଟ ଏକ୍ସପ୍ରେସ ଏବଂ ବ୍ରହ୍ମପୁର-ଉଧନା (ସୁରଟ) ଅମୃତ ଭାରତ ଏକ୍ସପ୍ରେସର ନିୟମିତ ସେବାର ଶୁଭାରମ୍ଭ କରାଯାଇଛି। ପୁରୀ ରେଳ ଷ୍ଟେସନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସବୁଜ ପତାକା ଦେଖାଇ ଏହି ଟ୍ରେନ୍ ସେବାର ଶୁଭାରମ୍ଭ କରିଥିଲେ। ଦୀର୍ଘ ଦିନ ଧରି ଓଡ଼ିଶାବାସୀଙ୍କ ପକ୍ଷରୁ ଏହି ରେଳ ସେବା ପାଇଁ ଦାବି ହୋଇଆସୁଥିଲା। ନୂତନ ସେବା ଆରମ୍ଭ ସହିତ ରାଜ୍ୟର ବିଭିନ୍ନ ଅଞ୍ଚଳ ମଧ୍ୟରେ ଯାତାୟାତ ଅଧିକ ସୁଗମ ହେବା ସହ ଯାତ୍ରୀ ସୁବିଧାରେ ବୃଦ୍ଧି ଘଟିବ ବୋଲି ଆଶା କରାଯାଉଛି। ବିଶେଷ କଥା ହେଉଛି, ପୂର୍ବରୁ ସପ୍ତାହକୁ ତିନି ଦିନ ଚଳାଚଳ କରୁଥିବା ବ୍ରହ୍ମପୁର-ଉଧନା (ସୁରଟ) ଅମୃତ ଭାରତ ଏକ୍ସପ୍ରେସ ଏବେ ପ୍ରତିଦିନ ଚଳାଚଳ କରିବ। ଏହା ଦ୍ୱାରା ଗୁଜରାଟରେ କାର୍ଯ୍ୟରତ ଓଡ଼ିଆ ଶ୍ରମିକ, ବ୍ୟବସାୟୀ, ଛାତ୍ରଛାତ୍ରୀ ଏବଂ ସାଧାରଣ ଯାତ୍ରୀମାନେ ଅଧିକ ସୁବିଧା ପାଇବେ। ନୂତନ ପୁରୀ-କୋରାପୁଟ ଏକ୍ସପ୍ରେସ ପୁରୀରୁ ସୋମବାର, ଗୁରୁବାର ଓ ଶନିବାର ଚଳାଚଳ କରିବ। ସେହିପରି କୋରାପୁଟରୁ ମଙ୍ଗଳବାର, ଶୁକ୍ରବାର ଓ ରବିବାର ଟ୍ରେନ୍ ଚାଲିବ। ଏହି ନୂତନ ରେଳ ସେବା ମାଧ୍ୟମରେ ଓଡ଼ିଶାରେ ଯୋଗାଯୋଗ ବ୍ୟବସ୍ଥା ଆହୁରି ସୁଦୃଢ଼ ହେବା ସହ ପର୍ଯ୍ୟଟନ, ବାଣିଜ୍ୟ, ଶିଳ୍ପ ଏବଂ ଆଞ୍ଚଳିକ ଅର୍ଥନୈତିକ ବିକାଶକୁ ମଧ୍ୟ ନୂଆ ଗତି ମିଳିବ ବୋଲି ଆଶା କରାଯାଉଛି। Post navigation ପୁରୀ ରଥଯାତ୍ରା ୨୦୨୬: ପାନୀୟ ଜଳ ବ୍ୟବସ୍ଥାର ସମୀକ୍ଷା, ୪୨ MLD ଜଳ ବିଶୋଧନ ପ୍ରକଳ୍ପର ଅଗ୍ରଗତି ଯାଞ୍ଚ କଲେ ମନ୍ତ୍ରୀ ରଥଯାତ୍ରା ୨୦୨୬ ପାଇଁ ପ୍ରଶାସନ ପୂରା ପ୍ରସ୍ତୁତ: ସମନ୍ୱୟ ଓ ମନିଟରିଂ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ