ପୁରୀ, ୬ ଜୁଲାଇ ୨୦୨୬: ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଦୃଷ୍ଟିରେ ରଖି ସହରରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର ପୁରୀରେ ବ୍ୟାପକ ସମୀକ୍ଷା କରିଛନ୍ତି। ଏହା ସହ ସହରରେ ନିର୍ମାଣାଧୀନ ୪୨ MLD କ୍ଷମତାସମ୍ପନ୍ନ ଜଳ ବିଶୋଧନ ପ୍ରକଳ୍ପର କାର୍ଯ୍ୟ ମଧ୍ୟ ପରିଦର୍ଶନ କରି ଅଗ୍ରଗତି ଯାଞ୍ଚ କରିଛନ୍ତି। ରଥଯାତ୍ରା ସମୟରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାକୁ ଥିବାରୁ ସୁରକ୍ଷିତ ଓ ବିଶୁଦ୍ଧ ପାନୀୟ ଜଳର ନିରବଚ୍ଛିନ୍ନ ଯୋଗାଣ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏହି ଉଦ୍ଦେଶ୍ୟରେ ବରିଷ୍ଠ ଅଧିକାରୀ, ଯନ୍ତ୍ରୀ ଓ ପ୍ରକଳ୍ପ ସମ୍ବନ୍ଧୀୟ ଅଧିକାରୀମାନଙ୍କ ସହ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ରଥଯାତ୍ରା ପାଇଁ ଗ୍ରହଣ କରାଯାଇଥିବା ପ୍ରସ୍ତୁତି ଓ ଜଳ ଯୋଗାଣ ସମ୍ବନ୍ଧୀୟ ବିଶେଷ ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା। କ୍ଷେତ୍ର ପରିଦର୍ଶନ ସମୟରେ ମନ୍ତ୍ରୀ ଜଳ ବିଶୋଧନ ପ୍ଲାଣ୍ଟର କ୍ଲାରିଫାୟର୍, ଫିଲ୍ଟ୍ରେସନ୍ ୟୁନିଟ୍, ଯନ୍ତ୍ରପାତି ସ୍ଥାପନ ଓ ଅନ୍ୟାନ୍ୟ ଭିତ୍ତିଭୂମି କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ। ପୁରୀର ବର୍ତ୍ତମାନ ଓ ଭବିଷ୍ୟତର ପାନୀୟ ଜଳ ଆବଶ୍ୟକତା ପୂରଣରେ ଏହି ପ୍ରକଳ୍ପର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ। ସେହି ସହ କାର୍ଯ୍ୟର ଗୁଣବତ୍ତା ବଜାୟ ରଖି ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ ଶେଷ କରିବାକୁ ସମ୍ପୃକ୍ତ ସଂସ୍ଥାଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ। ମନ୍ତ୍ରୀ କହିଥିଲେ ଯେ ରଥଯାତ୍ରା ସମୟରେ ପୁରୀରେ ଜନସଂଖ୍ୟା ଅନେକଗୁଣ ବୃଦ୍ଧି ପାଉଥିବାରୁ ସମସ୍ତ ଭକ୍ତ ଓ ସ୍ଥାନୀୟ ବାସିନ୍ଦାଙ୍କୁ ସୁରକ୍ଷିତ ପାନୀୟ ଜଳ ଯୋଗାଇବା ସର୍ବାଧିକ ପ୍ରାଥମିକତା। ଯେକୌଣସି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ବ୍ୟବସ୍ଥା ପୂର୍ବରୁ ପ୍ରସ୍ତୁତ ରଖିବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଶ୍ରୀଜଗନ୍ନାଥ ମନ୍ଦିର ପରିସର, ସେବାୟତଙ୍କ ବସବାସ ସ୍ଥାନ, ତୀର୍ଥଯାତ୍ରୀଙ୍କ ରହଣି ବ୍ୟବସ୍ଥା, ଅସ୍ଥାୟୀ ଶିବିର ଓ ସହରର ଅନ୍ୟାନ୍ୟ ପ୍ରମୁଖ ଅଞ୍ଚଳରେ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବା ଉପରେ ବିଶେଷ ସମୀକ୍ଷା କରାଯାଇଥିଲା। ଜଳ ଯୋଗାଣ ନେଟୱାର୍କର ନିରନ୍ତର ନିରୀକ୍ଷଣ, ପାୱାର ବ୍ୟାକଅପ୍ ଏବଂ ଜରୁରୀକାଳୀନ ବ୍ୟବସ୍ଥାକୁ ସଜାଗ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ରଥଯାତ୍ରା ସମୟରେ ଯଦି କୌଣସି ସ୍ଥାନରେ ଜଳ ଯୋଗାଣରେ ବାଧା ସୃଷ୍ଟି ହୁଏ, ସେଥିପାଇଁ ଭ୍ରାମ୍ୟମାଣ ପାଣି ଟାଙ୍କି, ଅସ୍ଥାୟୀ ଜଳ ବଣ୍ଟନ କେନ୍ଦ୍ର ଓ ଜରୁରୀକାଳୀନ ପ୍ରତିକ୍ରିୟା ଦଳ ପ୍ରସ୍ତୁତ ରଖାଯାଇଛି। ଏଥିସହ ରଥଯାତ୍ରା ଅବଧିରେ ୨୪ ଘଣ୍ଟା କାର୍ଯ୍ୟକ୍ଷମ ଏକ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍ ମଧ୍ୟ ସକ୍ରିୟ ରହିବ। ଶେଷରେ ମନ୍ତ୍ରୀ ସ୍ପଷ୍ଟ କରିଥିଲେ ଯେ ଜଳ ବିଶୋଧନ ପ୍ରକଳ୍ପର କାର୍ଯ୍ୟରେ ଗୁଣବତ୍ତା ସହ କୌଣସି ପ୍ରକାର ଆପୋଷ କରାଯିବ ନାହିଁ। ନିର୍ଦ୍ଧାରିତ ମାନଦଣ୍ଡରୁ ବିଚ୍ୟୁତି ଘଟିଲେ ତାହାକୁ ଗମ୍ଭୀରତାର ସହ ବିଚାର କରାଯିବ। ରାଜ୍ୟ ସରକାର ରଥଯାତ୍ରା ସମୟରେ ସମସ୍ତ ଭକ୍ତ ଓ ସ୍ଥାନୀୟ ବାସିନ୍ଦାଙ୍କୁ ସ୍ୱଚ୍ଛ ପାନୀୟ ଜଳ ସହ ଉନ୍ନତମାନର ସେବା ଯୋଗାଇବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ସେ ପୁନର୍ବ୍ୟକ୍ତ କରିଥିଲେ। Post navigation ୯ ଜୁଲାଇରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି; ପ୍ରସ୍ତୁତି ନେଇ ରାଜ୍ୟସ୍ତରୀୟ ସମୀକ୍ଷା ଏଣିକି ବ୍ରହ୍ମପୁର-ଉଧନା(ସୁରଟ) ଅମୃତ ଭାରତ ଏକ୍ସପ୍ରେସ ପ୍ରତିଦିନ ଚଳାଚଳ କରିବ