Questions raised regarding the security of the Telkoi MLA.Questions raised regarding the security of the Telkoi MLA.

ଧମକ ଓ ଆକ୍ରମଣର ଅଭିଯୋଗ, ମୁଖ୍ୟମନ୍ତ୍ରୀଙ୍କୁ ଜରୁରୀ ଚିଠି

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲାର ତେଲକୋଇ ବିଧାନସଭା ଅଞ୍ଚଳରେ ଆଇନଶୃଙ୍ଖଳାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ତେଲକୋଇ ବିଧାୟକ ଡ. ଫକୀର ମୋହନ ନାଏକ। ତାଙ୍କୁ ଧମକ ଦିଆଯିବା ସହ ଦଳୀୟ କର୍ମୀଙ୍କ ଉପରେ ଆକ୍ରମଣ ହେଉଥିବା ଅଭିଯୋଗ ଆଣିଛନ୍ତି ସେ। ନିଜ ସୁରକ୍ଷା ପ୍ରତି ଆଶଙ୍କା ଥିବା ଦର୍ଶାଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ତୁରନ୍ତ ସୁରକ୍ଷା ବ୍ୟବସ୍ଥା ବଢ଼ାଇବାକୁ ଦାବି କରିଛନ୍ତି।

ବିଧାୟକଙ୍କ ଅଭିଯୋଗ ଅନୁସାରେ, ଗତ କିଛି ସମୟ ଧରି ସୋସିଆଲ ମିଡିଆରେ ତାଙ୍କ ନାମ ଓ ତାଙ୍କ ସହଯୋଗୀମାନଙ୍କୁ ଟାର୍ଗେଟ୍ କରି କିଛି ଆପତ୍ତିଜନକ ଓ ଧମକପୂର୍ଣ୍ଣ ପୋଷ୍ଟ ଘୁରିବୁଲୁଛି। ଏହା କେବଳ ଅନଲାଇନ୍ ଧମକରେ ସୀମିତ ନରହି ପରେ ଆକ୍ରମଣ ଘଟଣାରେ ପରିଣତ ହୋଇଥିବା ସେ ଦାବି କରିଛନ୍ତି।

ତାଙ୍କ ଚିଠିରେ ଥିବା ତଥ୍ୟ ଅନୁଯାୟୀ, ଅଗଷ୍ଟ ୨୨ରେ ମଣ୍ଡଳ ସଭାପତି ଶୁକୁରା ମୁଣ୍ଡାଙ୍କ ଉପସ୍ଥିତିରେ ଏକ ଦଳୀୟ ବୈଠକ ଚାଲିଥିବା ବେଳେ ଦଳୀୟ କର୍ମୀ ରଶ୍ମିକାନ୍ତ ବେହେରାଙ୍କୁ ଆକ୍ରମଣ କରାଯାଇଥିଲା। ଏହି ଘଟଣାକୁ ନେଇ ନୟାକୋଟ ଥାନାରେ ଅଭିଯୋଗ ହୋଇଥିବା ବିଧାୟକ ଜଣାଇଛନ୍ତି। ପରଦିନ ପୁଲହାର ପଞ୍ଚାୟତ ଅଞ୍ଚଳରେ ମଧ୍ୟ ଆଉ ଏକ ଆକ୍ରମଣ ହୋଇଥିବା ସେ ଚିଠିରେ ଉଲ୍ଲେଖ କରିଛନ୍ତି।

ଆହୁରି ଆକ୍ରମଣ ଆଶଙ୍କା ଅଭିଯୋଗ

ହରିଚନ୍ଦନପୁର ଏବଂ ତେଲକୋଇ ବ୍ଲକ୍‌ରେ ଆଗକୁ ଆହୁରି କିଛି ହିଂସାତ୍ମକ ଘଟଣା ଘଟାଇବା ପାଇଁ ଯୋଜନା ଚାଲିଥିବା ସୂଚନା ମିଳିଥିବା ବିଧାୟକ ଦାବି କରିଛନ୍ତି। ଏଭଳି ପରିସ୍ଥିତିରେ ନିଜ ସହ ଦଳୀୟ ସହଯୋଗୀ ଓ କର୍ମୀମାନଙ୍କ ଜୀବନ ପ୍ରତି ବିପଦ ରହିଥିବା ସେ ଆଶଙ୍କା ପ୍ରକାଶ କରିଛନ୍ତି।

ଘଟଣା ସମ୍ପର୍କରେ କେନ୍ଦୁଝର ଏସ୍‌ପିଙ୍କୁ ମଧ୍ୟ ଅବଗତ କରାଇଥିବା ସେ କହିଛନ୍ତି।

ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଦାବି

ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିବା ନିବେଦନରେ ବିଧାୟକ କିଛି ପ୍ରମୁଖ ଦାବି ରଖିଛନ୍ତି। ତାଙ୍କ ସୁରକ୍ଷା ବ୍ୟବସ୍ଥା ବଢ଼ାଇବା ସହ ସୋସିଆଲ ମିଡିଆରେ ଧମକପୂର୍ଣ୍ଣ ପୋଷ୍ଟ କରୁଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବାକୁ ସେ କହିଛନ୍ତି। ଏଥିସହ ଆକ୍ରମଣ ଘଟଣାରେ ଯେଉଁମାନେ ସମ୍ପୃକ୍ତ, ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି।

ହରିଚନ୍ଦନପୁର ଓ ତେଲକୋଇରେ ସମ୍ଭାବ୍ୟ ହିଂସାକୁ ରୋକିବା ପାଇଁ ପୋଲିସ ପକ୍ଷରୁ ପ୍ରତିଷେଧକ ବ୍ୟବସ୍ଥା ନେବାକୁ ମଧ୍ୟ ସେ ଅନୁରୋଧ କରିଛନ୍ତି।

ବିଧାନସଭା ସଚିବାଳୟର ହସ୍ତକ୍ଷେପ

ଏପଟେ, ବିଧାୟକଙ୍କ ଅଭିଯୋଗକୁ ବିଧାନସଭା ସଚିବାଳୟ ଗୁରୁତ୍ୱର ସହ ଗ୍ରହଣ କରିଛି। ମାମଲାଟିର ଶୀଘ୍ର ଯାଞ୍ଚ କରି ଆବଶ୍ୟକ ପଦକ୍ଷେପ ନେବା ପାଇଁ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କୁ ଅବଗତ କରାଯାଇଛି। ଏହାସହ ସରକାରୀ ସ୍ତରରେ ନିଆଯାଇଥିବା ପଦକ୍ଷେପ ବିଷୟରେ ବିଧାୟକଙ୍କୁ ଜଣାଇବାକୁ ମଧ୍ୟ କୁହାଯାଇଛି।

ତେଲକୋଇ ବିଧାୟକଙ୍କ ଏହି ଅଭିଯୋଗ ପରେ କେନ୍ଦୁଝରରେ ଆଇନଶୃଙ୍ଖଳା ଓ ଜନପ୍ରତିନିଧିଙ୍କ ସୁରକ୍ଷା ପ୍ରସଙ୍ଗ ପୁଣି ଚର୍ଚ୍ଚାକୁ ଆସିଛି। ତେବେ ଅଭିଯୋଗଗୁଡ଼ିକର ତଦନ୍ତ ପରେ ହିଁ ଘଟଣାର ପ୍ରକୃତ ଚିତ୍ର ସ୍ପଷ୍ଟ ହେବ।

Leave a Reply

Your email address will not be published. Required fields are marked *