Pravati Parida at the Launch of ‘Aarohan’

ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷର ଶୁଭ ଅବସରରେ ଭୁବନେଶ୍ୱରସ୍ଥିତ ଆଇସିଡବ୍ଲୁଏସ (ICWS) ପରିସରରେ ଅଭିନବ କାର୍ଯ୍ୟକ୍ରମ ‘ଆରୋହଣ’ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭାରମ୍ଭ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ଉପ-ମୁଖ୍ୟମନ୍ତ୍ରୀ କୁନି କୁନି ପିଲାମାନଙ୍କୁ ତିଳକ ଲଗାଇ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଆଶୀର୍ବାଦ ପ୍ରଦାନ କରିବା ସହ ଏହି ନୂତନ ଯାତ୍ରା ପାଇଁ ଶୁଭେଚ୍ଛା ଜଣାଇଥିଲେ। “ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପାଦେ ଆଗକୁ” ସ୍ଲୋଗାନ ସହ ଆରମ୍ଭ ହୋଇଥିବା ଏହି ଅଭିଯାନ ପ୍ରତ୍ୟେକ ଶିଶୁର ସର୍ବାଙ୍ଗୀନ ବିକାଶ ଦିଗରେ ଏକ ସାମୂହିକ ପ୍ରୟାସ ବୋଲି ସେ ମତବ୍ୟକ୍ତ କରିଛନ୍ତି।

ଏହି ଅଭିଳାଷୀ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଉଛି ରାଜ୍ୟରେ ପ୍ରାକ୍-ପ୍ରାଥମିକ ଶିକ୍ଷାର ଭିତ୍ତିଭୂମିକୁ ସୁଦୃଡ଼ କରିବା। ବିଶେଷ କରି ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ପ୍ରାକ୍-ପ୍ରାଥମିକ ଶିକ୍ଷା ଶେଷ କରିବା ପରେ ପିଲାମାନେ ଯେପରି ସହଜରେ ଶିଶୁ ବାଟିକା-୩ (Sisu Vatika-3) ରେ ନାମ ଲେଖାଇ ଶିକ୍ଷା ଗ୍ରହଣ କରିପାରିବେ, ତାହା ଏହି ଯୋଜନା ମାଧ୍ୟମରେ ନିଶ୍ଚିତ କରାଯିବ।

ଏହି ଅବସରରେ ଉପସ୍ଥିତ ପିଲା ଓ ଅଭିଭାବକମାନଙ୍କୁ ସମ୍ବୋଧିତ କରି ଉପ-ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଶିଶୁର ଜନ୍ମଠାରୁ ପ୍ରଥମ ଛଅ ବର୍ଷ ତା’ର ମସ୍ତିଷ୍କର ବିକାଶ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ। ସେଥିପାଇଁ ‘ପୋଷଣ ପକ୍ଷ-୨୦୨୬’ ଅବସରରେ ସରକାର ପ୍ରାକ୍-ପ୍ରାଥମିକ ବିକାଶକୁ ସର୍ବାଧିକ ପ୍ରାଧାନ୍ୟ ଦେଉଛନ୍ତି। ଏହି କାର୍ଯ୍ୟକ୍ରମ କେବଳ ସରକାରଙ୍କର ଦାୟିତ୍ୱ ନୁହେଁ, ବରଂ ଶିଶୁର ଉଜ୍ଜ୍ୱଳ ଭବିଷ୍ୟତ ଗଠନ ପାଇଁ ପରିବାର ଓ ସମାଜ ତଥା ଅଭିଭାବକମାନଙ୍କର ସକ୍ରିୟ ଅଂଶଗ୍ରହଣ ଏବଂ ସହଯୋଗ ଅତ୍ୟନ୍ତ ଜରୁରୀ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଡଃ.ମୃଣାଳିନୀ ଦାର୍ସୱାଲ ଅଙ୍ଗନବାଡ଼ି କେନ୍ଦ୍ରକୁ ଅଧିକ ସକ୍ଷମ କରିବା ସହିତ ଶିଶୁମାନଙ୍କ ସାମୁହିକ ବିକାଶ କ୍ଷେତ୍ରକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ସମସ୍ତ ଅନାଗୱାଡ଼ି କର୍ମୀ ଓ ସମସ୍ତ ଅଧିକାରୀଙ୍କ ସକ୍ରିୟ ସହଯୋଗ ଉପରେ ଗୁରୁତ୍ଵ ଦେଇଥିଲେ।

ଏହି ସମାରୋହରେ ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ଶାସନ ସଚିବ ତଥା ଭାରପ୍ରାପ୍ତ ନିର୍ଦ୍ଦେଶିକା (ICDS & SW) ସ୍ୱୟଂ ପ୍ରଭା ମହାନ୍ତି, ଅତିରିକ୍ତ ଶାସନ ସଚିବ ଇତିଶ୍ରୀ ଦାସ, ଏବଂ ଏନ୍. ସି. ଜ୍ୟୋତି ରଞ୍ଜନଙ୍କ ସମେତ ବିଭାଗୀୟ ବରିଷ୍ଠ ପଦାଧିକାରୀ ଓ ସହଯୋଗୀ ସଂଗଠନର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ଏଥିସହିତ ତୃଣମୂଳ ସ୍ତରର ଅଙ୍ଗନବାଡ଼ି କର୍ମୀ ଏବଂ ଶିଶୁମାନଙ୍କର ପିତାମାତା ମଧ୍ୟ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୋଗଦେଇ ଏହାକୁ ସଫଳ କରିଛନ୍ତି।

Leave a Reply

Your email address will not be published. Required fields are marked *