ମମତାଙ୍କୁ ରିପୋର୍ଟ ମାଗିଛନ୍ତି ଭାରତୀୟ ରାଜନୀତିର ଚାଣକ୍ୟ ଅମିତ ଶାହ । ଚାର୍ଜସିଟ୍ ବା ‘ଅଭିଯୋଗନାମା’ ଜରିଆରେ ୧୪ଟି ବିଭିନ୍ନ କ୍ଷେତ୍ରରେ TMC ସରକାରର ବିଫଳତାକୁ ପଦାରେ ପକାଇଛନ୍ତି । କହିଛନ୍ତି, ବେଙ୍ଗଲରେ ଅରାଜକତା ବୃଦ୍ଧି ପାଉଛି, ବିଭିନ୍ନ ଯୋଜନାରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ସରଗରମ ହୋଇଛି ରାଜନୀତି । ଶନିବାର କୋଲକାତାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ତୃଣମୂଳ କଂଗ୍ରେସ ସରକାରଙ୍କ ବିରୋଧରେ ଏକ ଲମ୍ବା ‘ଚାର୍ଜସିଟ୍’ ବା ଅଭିଯୋଗପତ୍ର ଦାଖଲ କରିଛନ୍ତି ।

ଗତ ୧୫ ବର୍ଷର ଶାସନ କାଳରେ ମମତା ବାନାର୍ଜୀଙ୍କ ସରକାର କିଭଳି ଦୁର୍ନୀତି, ଅନୁପ୍ରବେଶ ଓ ସିଣ୍ଡିକେଟ୍ ରାଜ୍‌ରେ ବୁଡ଼ି ରହିଛି, ତାହାର ପୁଙ୍ଖାନୁପୁଙ୍ଖ ତାଲିକା ରଖିଛନ୍ତି ଶାହ । ସନ୍ଦେଶଖାଲିଠାରୁ ଆରମ୍ଭ କରି ନିଯୁକ୍ତି ଦୁର୍ନୀତି ପର୍ଯ୍ୟନ୍ତ, ଅନେକ ପ୍ରସଙ୍ଗରେ ଘେରିଛନ୍ତି ଗୃହମନ୍ତ୍ରୀ ।

ଶାହଙ୍କ ଅଭିଯୋଗପତ୍ରରେ ସବୁଠୁ ବଡ଼ ପ୍ରସଙ୍ଗ ସାଜିଛି ‘ସନ୍ଦେଶଖାଲି’ । ସେ କହିଛନ୍ତି, ବେଙ୍ଗଲରେ ମହିଳାଙ୍କ ସୁରକ୍ଷା ବିପନ୍ନ ଓ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ସୁରକ୍ଷା ଦେବା ଏବଂ ରାଜ୍ୟର ଜନସଂଖ୍ୟା ଢାଞ୍ଚା ବଦଳାଇବାକୁ ନେଇ ବି ଟିଏମସିକୁ କଡ଼ା ସମାଲୋଚନା କରିଛନ୍ତି ଶାହ ।

ସେ କହିଛନ୍ତି, “ଅନୁପ୍ରବେଶ ଓ ତୁଷ୍ଟୀକରଣ” ହିଁ ମମତା ବାନାର୍ଜୀଙ୍କ ମୁଖ୍ୟ ଏଜେଣ୍ଡା । ପଶ୍ଚିମବଙ୍ଗ ନିର୍ବାଚନ ଦେଶର ସୁରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ । ଏଥର ବେଙ୍ଗଲରେ ବିଜେପି ସରକାର । ସେପଟେ ନିର୍ବାଚନ ପୂର୍ବରୁ ଶ୍ରୀକ୍ଷେତ୍ର ପୁରୀ ଆସି ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ତଥା ବିଜେପିର ବଡ଼ ଚେହେରା ଶୁଭେନ୍ଦୁ ଅଧିକାରୀଙ୍କ ପରିବାର ।

ଦୃଢ଼ୋକ୍ତି କରିଛନ୍ତି ଯେ, ଦୁର୍ନୀତିଗ୍ରସ୍ତ ଭ୍ରଷ୍ଟାଚାରୀ ସରକାରକୁ ହଟାଇ ଏଥର ପଶ୍ଚିମବଙ୍ଗରେ ନିଶ୍ଚିତ ହେବ ବିଜେପି ସରକାର । ଆସନ୍ତା ସପ୍ତାହରେ ନାମାଙ୍କନ ଦାଖଲ କରିବେ ଶୁଭେନ୍ଦୁ ଅଧିକାରୀ । ନନ୍ଦିଗ୍ରାମ ଓ ଭବାନୀପୁର ଦୁଇଟି ଆସନରୁ ସେ ନିର୍ବାଚନ ଲଢ଼ିବେ ।

Leave a Reply

Your email address will not be published. Required fields are marked *