ଭୁବନେଶ୍ୱର: ରାଜ୍ୟସଭା ସାଂସଦ ଦିଲୀପ କୁମାର ରାୟଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସରକାର ଦେଶର ବିଭିନ୍ନ ଅଦାଲତରେ ବିଚାରାଧୀନ ମାମଲାର ସଦ୍ୟତମ ତଥ୍ୟ ପ୍ରକାଶ କରିଛନ୍ତି। ରାଜ୍ୟସଭାରେ ସେ ସୁପ୍ରିମକୋର୍ଟ, ହାଇକୋର୍ଟ ଏବଂ ଜିଲ୍ଲା ଓ ଅଧସ୍ତନ ଅଦାଲତଗୁଡ଼ିକରେ ରାଜ୍ୟଭିତ୍ତିକ ବିଚାରାଧୀନ ମାମଲା ସହ ୧, ୫, ୧୦, ୨୦ ଓ ୩୦ ବର୍ଷରୁ ଅଧିକ ସମୟ ଧରି ଲମ୍ବି ରହିଥିବା ମାମଲାର ବିବରଣୀ ମାଗିଥିଲେ। କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ଉତ୍ତର ଅନୁଯାୟୀ, ୧୬ ଜୁଲାଇ ୨୦୨୬ ସୁଦ୍ଧା ଦେଶର ବିଭିନ୍ନ ଅଦାଲତରେ ମୋଟ ୫.୬୪ କୋଟିରୁ ଅଧିକ ମାମଲା ବିଚାରାଧୀନ ରହିଛି। ଏଥିମଧ୍ୟରେ ସୁପ୍ରିମକୋର୍ଟରେ ୯୬,୦୨୪ଟି, ବିଭିନ୍ନ ହାଇକୋର୍ଟରେ ୬୪.୭୨ ଲକ୍ଷ ଏବଂ ଜିଲ୍ଲା ଓ ଅଧସ୍ତନ ଅଦାଲତଗୁଡ଼ିକରେ ୪.୯୮ କୋଟି ମାମଲା ବିଚାରାଧୀନ ଅଛି। ଓଡ଼ିଶା ସମ୍ପର୍କିତ ତଥ୍ୟରେ କୁହାଯାଇଛି ଯେ, ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ୧,୬୯,୩୨୦ଟି ମାମଲା ବିଚାରାଧୀନ ଥିବାବେଳେ, ରାଜ୍ୟର ଜିଲ୍ଲା ଓ ଅଧସ୍ତନ ଅଦାଲତଗୁଡ଼ିକରେ ୧୮,୬୮,୩୨୩ଟି ମାମଲାର ଶୁଣାଣି ଅପେକ୍ଷାରେ ରହିଛି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ, ମାମଲାର ଶୁଣାଣି ଓ ନିଷ୍ପତ୍ତି ନ୍ୟାୟପାଳିକାର ଅଧିକାରଭୁକ୍ତ ହୋଇଥିଲେ ମଧ୍ୟ ବିଚାରାଧୀନ ମାମଲାର ସଂଖ୍ୟା କମାଇବା ପାଇଁ ବିଭିନ୍ନ ପ୍ରଶାସନିକ ଓ ପ୍ରଯୁକ୍ତିଗତ ପଦକ୍ଷେପ ନିଆଯାଉଛି। ସେଥିରେ ଇ-କୋର୍ଟ ଫେଜ୍-୩ ପ୍ରକଳ୍ପ, ଫାଷ୍ଟ ଟ୍ରାକ୍ ସ୍ପେଶାଲ କୋର୍ଟ, ଏରିୟର୍ସ କମିଟି ଗଠନ ଏବଂ ଲୋକ ଅଦାଲତ ଓ ବିକଳ୍ପ ବିବାଦ ସମାଧାନ (ADR) ବ୍ୟବସ୍ଥାକୁ ଅଧିକ ସକ୍ରିୟ କରାଯାଉଥିବା ଉଲ୍ଲେଖ କରାଯାଇଛି। ଏହି ପ୍ରସଙ୍ଗରେ ସାଂସଦ ଦିଲୀପ କୁମାର ରାୟ କହିଛନ୍ତି ଯେ, ନ୍ୟାୟ ବ୍ୟବସ୍ଥା ପ୍ରତି ସାଧାରଣ ଲୋକଙ୍କ ଆସ୍ଥା ଅକ୍ଷୁଣ୍ଣ ରଖିବା ପାଇଁ ସମୟବଦ୍ଧ ନ୍ୟାୟ ପ୍ରଦାନ ଅତ୍ୟନ୍ତ ଆବଶ୍ୟକ। ସରକାର ଓ ନ୍ୟାୟପାଳିକାଙ୍କ ସମନ୍ୱିତ ପଦକ୍ଷେପ ମାଧ୍ୟମରେ ବିଚାରାଧୀନ ମାମଲାର ଭାର ହ୍ରାସ ପାଇବା ସହ ସାଧାରଣ ଲୋକ ଶୀଘ୍ର ନ୍ୟାୟ ପାଇବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। Post navigation ଦେଶକୁ ମୋଦୀଙ୍କ ବଡ଼ ଉପହାର; ଭାରତରେ ଆରମ୍ଭ ହେଲା ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍ ସେବା