ପଶ୍ଚିମ ଏସିଆ ଯୁଦ୍ଧ ଭିତରେ ବନ୍ଧୁ ଭାରତର ଆଉ ୨ଟି ଏଲପିଜି ବୋଝେଇ ଜାହାଜକୁ ଷ୍ଟ୍ରେଟ ଅଫ ହର୍ମୁଜ ଅତିକ୍ରମ କରିବାକୁ ଅନୁମତି ଦେଇଛି ଇରାନ। ଅନୁମତି ମିଳିବା ପରେ ୨ଟି ଭାରତୀୟ ଜାହାଜ ହର୍ମୁଜ ଅତିକ୍ରମ କରିଛନ୍ତି। ସୁରକ୍ଷିତ ଭାବେ ଭାରତୀୟ ଜାହାଜ ଦ୍ୱୟ ଯେମିତି ହର୍ମୁଜ ଅତିକ୍ରମ କରିପାରିବେ, ସେନେଇ ଇରାନ ସୈନ୍ୟ ମଧ୍ୟ ସବୁ ପ୍ରକାରର ପଦକ୍ଷେପ ନେଇଥିବା ଜଣାପଡ଼ିଛି। ଶିପିଂ ତଥ୍ୟ ଅନୁସାରେ, BW ELM ଓ BW TYR ଯୁଦ୍ଧ ଠାରୁ ଆଶିଂକ ଭାବେ ବନ୍ଦ ଥିବା ଅତ୍ୟନ୍ତ ସମ୍ବେଦନଶୀଳ ଷ୍ଟ୍ରେଟ ଅଫ ହର୍ମୁଜ ଅତିକ୍ରମ କରିଛନ୍ତି। ଏବେ ଦୁଇ ଜାହାଜ ଭାରତ ଅଭିମୁଖେ ଆସୁଛନ୍ତି। ଭାରତୀୟ ପତାକା ଥିବା ଦୁଇ ଜାହାଜ ପରସ୍ପର ନିକଟତର ହୋଇ ଆଗକୁ ବଢ଼ୁଥିବା ବେଳେ ସେମାନଙ୍କର ଘଣ୍ଟାପ୍ରତି ବେଗ ପ୍ରାୟ ୨୭ କିମି ରହିଛି। ୨ଟି ଭାରତୀୟ ଜାହାଜ ଏଲପିଜି ଧରି ହର୍ମୁଜ ଅତିକ୍ରମ କରିଥିଲେ ବି, ଏବେ ବି ଆହୁରି ୫ଟି ଭାରତୀୟ ପତାକା ଥିବା ଜାହାଜ ୟୁଏଇଇ ଜଳରାଶିରେ ଫସି ରହିଛନ୍ତି। ଏହି ଜାହାଜଗୁଡ଼ିକରେ ଅଶୋଧିତ ତୈଳ ରହିଛି। ଜାହାଜଗୁଡ଼ିକ ହର୍ମୁଜ ଅତିକ୍ରମ କରିବା ପାଇଁ ଇରାନ ଅନୁମତି ଅପେକ୍ଷାରେ ଅଛନ୍ତି। ଅନୁମତି ମିଳିବା ପରେ ହର୍ମୁଜ ଦେଇ ଜାହାଜଗୁଡ଼ିକ ଭାରତ ଅଭିମୁଖେ ଆସିବେ। ଦିନକ ପୂର୍ବରୁ ଇରାନୀୟ ବୈଦଶିକ ମନ୍ତ୍ରୀ ଆବ୍ବାସ ଅରାଘଚି ହର୍ମୁଜକୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ। ବିଶ୍ୱର ପ୍ରମୁଖ ବାଣିଜ୍ୟକ ଜଳପଥ ହର୍ମୁଜ ସମ୍ପର୍କରେ ସେ କହିଥିଲେ ଯେ ଭାରତ, ପାକିସ୍ତାନ, ଚାଇନା, ଇରାନ ଓ ରୁଷ ଭଳି ବନ୍ଧୁତ୍ୱ ରାଷ୍ଟ୍ର ପାଇଁ ଏହା ଖୋଲା ରହିଛି।ଏହି ଦେଶଗୁଡ଼ିକର ଜାହାଜ ସୁରକ୍ଷିତ ଭାବେ ହର୍ମୁଜ ଅତିକ୍ରମ କରିପାରିବ। ସେମାନେ କୌଣସି ବିରୋଧର ସମ୍ମୁଖୀନ ହେବ ନାହିଁ। ଅରାଘଚିଙ୍କ ଏପରି ବୟାନ ପରେ ଏବେ ୨ଟି ଏଲପିଜି ବୋଝେଇ ଭାରତୀୟ ଜାହାଜ ହର୍ମୁଜ ଅତିକ୍ରମ କରିଛନ୍ତି। ଏହାପୂର୍ବରୁ ଜାଗ ବସନ୍ତ, ପାଇନ ଗ୍ୟାସ, ଶିବାଲିକ ଓ ନନ୍ଦା ଦେବୀ ମଧ୍ୟ ସୁରକ୍ଷିତ ଭାବେ ଷ୍ଟ୍ରେଟ ଅଫ ହର୍ମୁଜ ଅତିକ୍ରମ କରିଥିଲେ। Post navigation ମମତାଙ୍କ ବିରୁଦ୍ଧରେ ଶାହା ଦେଲେ ଚାର୍ଜସିଟ ବିଜୁ ପଟ୍ଟନାୟକଙ୍କ ଉପରେ ନିଶିକାନ୍ତ ଦୁବେଙ୍କ ଆପତ୍ତିଜନକ ମନ୍ତବ୍ୟ