ଗ୍ୟାସ୍ ସମସ୍ୟା ଦୂର କରିବାକୁ ସରକାରଙ୍କ ବଡ଼ ପଦକ୍ଷେପ । ଦେଶରେ ଜାରି ରହିଥିବା ଜାଳେଣି ସମସ୍ୟା ମଧ୍ୟରେ ବିହାରର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ରନ୍ଧନ ଗ୍ୟାସର ଅଭାବକୁ ଦେଖି ଏବେ ଗରିବ ଶ୍ରେଣୀର ଲୋକଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ବିହାରରେ ସମସ୍ତ BPL (ରାସନ କାର୍ଡଧାରୀ) ପରିବାରକୁ ଗ୍ୟାସ୍ ବଦଳରେ କୋଇଲା ଯୋଗାଇ ଦିଆଯିବ। ବିଶ୍ୱ ବଜାରରେ ଏବଂ ବିଶେଷ କରି ଦକ୍ଷିଣ-ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ପରିସ୍ଥିତି ଯୋଗୁଁ ଶକ୍ତି ଯୋଗାଣ ବାଧାପ୍ରାପ୍ତ ହୋଇଛି। ଏହାର ପ୍ରଭାବରେ ବିହାରରେ ରନ୍ଧନ ଗ୍ୟାସର ଘୋର ଅଭାବ ଦେଖାଦେଇଛି। ଲୋକଙ୍କୁ ରୋଷେଇ କରିବାରେ ଯେପରି ଅସୁବିଧା ନହେଉ, ସେଥିପାଇଁ ବିକଳ୍ପ ଜାଳେଣି ଭାବେ ‘କୁକିଂ କୋଇଲା’ ବଣ୍ଟନ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଖାଦ୍ୟ ଓ ଗ୍ରାହକ ସଂରକ୍ଷଣ ବିଭାଗ ପକ୍ଷରୁ ସମସ୍ତ ୩୮ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି। ସାଧାରଣ ବଣ୍ଟନ ପ୍ରଣାଳୀ ବା PDS (ରେସନ ଦୋକାନ) ମାଧ୍ୟମରେ ଏହି କୋଇଲା ହିତାଧିକାରୀଙ୍କୁ ଦିଆଯିବ। ଆପଦା ପ୍ରବନ୍ଧନ ଅଧିନିୟମ ଅନୁଯାୟୀ ଏହି ସହାୟତା ଯୋଗାଇ ଦେବାକୁ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଛି। ସରକାରଙ୍କ ପକ୍ଷରୁ କୋଇଲା ଯୋଗାଇବା ପାଇଁ ନିଷ୍ପତ୍ତି ହୋଇଥିଲେ ସୁଦ୍ଧା, ଜଣେ ହିତାଧିକାରୀଙ୍କୁ କେତେ ପରିମାଣର କୋଇଲା ମିଳିବ ଏବଂ ଏହାର ଦାମ କେତେ ରହିବ, ସେ ନେଇ ସ୍ପଷ୍ଟ ସୂଚନା ଶୀଘ୍ର ପ୍ରକାଶ ପାଇବ। ଗ୍ୟାସ ପାଇଁ ହନ୍ତସନ୍ତ ହେଉଥିବା ସାଧାରଣ ଜନତାଙ୍କ ପାଇଁ ସରକାରଙ୍କର ଏହି ‘କୋଇଲା ଯୋଜନା’ କେତେଦୂର ସହାୟକ ହେଉଛି, ତାହା ଦେଖିବାକୁ ବାକି ରହିଲା। Post navigation ଫେଲ୍ ମାରିଲା କି ଶାହାଙ୍କ ନକ୍ସଲ ଷ୍ଟ୍ରାଟେଜି ?